ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷକର ଛୁଆ ମଣିଷ ମାଂସ ଖାଉଛି। ଶୀର୍ଷକଟିକୁ ପଢ଼ୁଥିବା ବେଳେ ଆପଣଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଥିବ। ସତରେ କ’ଣ ବର୍ଷକର ଗୋଟେ ଛୁଆ ମଣିଷ ମାଂସ ଏବଂ ରକ୍ତ ଖାଇପାରେ କି? ଯଦି ସତ ତା’ହେଲେ ନିଶ୍ଚୟ ଆଶ୍ଚର୍ଯ୍ୟଜନକ। ଘଟଣାର ସତ୍ୟାସତ୍ୟ ଏବେ ସାମ୍ନାକୁ ଆସିଛି। ଯାହା ଜାଣିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ।

ଅଷ୍ଟ୍ରେଲିଆର ଲୁଇସ ନାମକ ଜଣେ ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନିର୍ଦ୍ଧାରିତ ସମୟ ଅତିବାହିତ ହୋଇ ଯାଇଥିଲେ ସୁଦ୍ଧା ତାଙ୍କର ସନ୍ତାନ ପ୍ରସବ ହେଉନଥିଲା। ଡାକ୍ତରମାନେ ଅପରେସନ କରି ଛୁଆଟିକୁ ବାହାର କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସନ୍ତାନ ପ୍ରସବ କରାଉଥିବା ଡାକ୍ତରମାନେ ଏହି ଅପରେସନ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସହଜରେ ପିଲାଟିକୁ ମା’ ପେଟ ଭିତରୁ ବାହାର କରି ପାରିନଥିଲେ। ଏଥିପାଇଁ ଡାକ୍ତରମାନଙ୍କୁ ବେଶ କିଛି ସମୟ ନାକେଦମ ହେବାକୁ ପଡ଼ିଥିଲା।

ଦୀର୍ଘ ସମୟର ଅପରେସନ ପରେ ଡାକ୍ତରମାନେ ଛୁଆଟିକୁ ମା’ ପେଟରୁ ବାହାର କରିଥିଲେ ସିନା ପିଲାଟିର ନିଶ୍ୱାସ ପ୍ରଶ୍ୱାସ ଚାଲୁନଥିଲା କି କନ୍ଦାକନ୍ଦି ମଧ୍ୟ କରୁନଥିଲା। ଫଳରେ ପିଲାଟିର ବଞ୍ଚିବା ଆଶା କ୍ଷୀଣ ବୋଲି ଲୁଇସଙ୍କୁ ଡାକ୍ତରମାନେ କହିଥିଲେ। ପ୍ରଥମ ସନ୍ତାନ ହୋଇଥିବାରୁ ଲୁଇସ ପ୍ରଥମେ ଭାଙ୍ଗି ପଡ଼ିଥିଲେ। ଲୁଇସଙ୍କ ସ୍ୱାମୀ ମଧ୍ୟ ଗଭୀର ଦୁଃଖ କରିଥିଲେ।

ଶେଷରେ ଡାକ୍ତର ଛୁଆଟିକୁ ମୃତ ଘୋଷଣା କରିଥିଲେ। ହେଲେ ଲୁଇସ ଓ ତାଙ୍କ ସ୍ୱାମୀ ଏଥିରେ ଜମା ଭାଙ୍ଗିନଯାଇ ଛୁଆଟି ପୁଣି ନିଶ୍ଚୟ ବଞ୍ଚିବ ବୋଲି ମନରେ ଦୃଢ଼ ଆଶା ରଖିଥିଲେ। ମୃତ ଶିଶୁଟି ପାଖରେ ବସି ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ସତକୁ ସତ ମାତ୍ର କେଇ ମିନିଟ ଭିତରେ ଛୁଆଟିର ଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ଡାକ୍ତରମାନେ ଖୁସି ହୋଇ ଛୁଆର ଆବଶ୍ୟକୀୟ ଚିକିତ୍ସା କରିଥିଲେ।

ଛୁଆଟି ସମ୍ପୂର୍ଣ ସୁସ୍ଥ ହେବାପରେ ଲୁଇସ ଯେତେବେଳେ ପ୍ରଥମ କରି ତାକୁ କୋଳକୁ ନେଇଥିଲେ ସେତେବେଳେ ତାଙ୍କ ଭିତରେ ଏକ ଅଦ୍ଭୁତ ଭାବଧାରା ସୃଷ୍ଟି ହୋଇଥିଲା। ଛୁଆକୁ ନେଇ ଲୁଇସ ସବୁବେଳେ ଏକ ଅଲୌକିକତା ଅନୁଭବ କରି ଆସୁଥିଲେ। ଇତି ମଧ୍ୟରେ ଛୁଆକୁ ବର୍ଷେ ପୂରିବାକୁ ବସିଥିଲା। ଯେଉଁ ଛୁଆ ମରିଯାଇଥିଲା ବୋଲି ଡାକ୍ତରମାନେ ଘୋଷଣା କରିବାପରେ ସେ ବଞ୍ଚିଗଲା ସେ ଛୁଆ ନିଶ୍ଚୟ କିଛି ନା କିଛି ସ୍ୱତନ୍ତ୍ର ଓ ସ୍ୱତନ୍ତ୍ର ଶକ୍ତିର ଅଧିକାରୀ। ତେଣୁ ତା’ର ପ୍ରଥମ ଜନ୍ମଦିନ ମଧ୍ୟ ନିଆରା ତଥା ସ୍ୱତନ୍ତ୍ର ଶୈଳୀରେ କରିବା ପାଇଁ ଲୁଇସ ଚିନ୍ତା କରୁଥିଲେ।

ଲୁଇସ ଭାବିଲେ ଅଲୌକିକ ଘଟଣା ସହିତ ଜଡିତ ତାଙ୍କ ପୁଅର ଜନ୍ମଦିନ ଏକ ‘ଭୟାନକ ଥିମ’ର ଫଟୋସୁଟ ମାଧ୍ୟମରେ କରିବା ଉଚିତ ହେବ। ସେଥିପାଇଁ ଜଣେ ଫଟୋଗ୍ରାଫରକୁ ଡାକି ମଣିଷ ମାଂସ ଖାଉଥିବା ଭଳି ଢଙ୍ଗରେ ପୁଅର ଫଟୋସୁଟ କରାଇଥିଲେ ଲୁଇସ। ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

Comment