ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିମୁଦ୍ରାକରଣ ପରେ ଦେଶରେ ଯେଉଁଭଳି ଅବସ୍ଥା ସୃଷ୍ଟି ହୋଇଥିଲା ସେହିଭଳି ପୁଣି ଥରେ ହେବାକୁ ଯାଉଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଦେଶର ଅଧାଅଧି ଏଟିଏମ ବନ୍ଦ ହେବାର ସମ୍ଭାବନା ରହିଛି ବୋଲି ଖବର ପ୍ରକାଶ ପାଇବା ପରେ ଏନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।
ଫେଡରେସନ ଅଫ ଏଟିଏମ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ନିକଟରେ କୁହାଯାଇଥିଲା ଯେ, ୨୦୧୯ ମାର୍ଚ୍ଚ ସୁଦ୍ଧା ଦେଶର ଅଧା ଅଧି ଏଟିଏମ୍ ବନ୍ଦ ହୋଇଯିବ। ଏହି ଖବର ଆସିବା ପରେ ଅର୍ଥନୀତି ବିଶାରଦ ମାନେ କହିଛନ୍ତି ଯେ, ଯଦି ଅଧା ଏଟିଏମ୍ ବନ୍ଦ ହୁଏ ନୋଟବନ୍ଦୀ ବେଳେ ଯେଉଁଭଳି ଲୋକେ ଧାଡ଼ି ବାନ୍ଧି ଠିଆ ହୋଇଥିଲେ ସେହିଭଳି ଅବସ୍ଥା ଉପୁଯିବ।
ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଲିବରାଲ ଷ୍ଟଡ଼ିଜ୍ ଓ ଇକୋନୋମିକ୍ସ ବିଭାଗର ସହକାରୀ ପ୍ରଫେସର ଅମିତ ବସଲେ କହିଛନ୍ତି ଯେ, ଏଟିଏମ ବନ୍ଦ ହେଲେ ଟଙ୍କା ଉଠାଇବା ପାଇଁ ଲୋକେ ପୁଣି ଥରେ ବ୍ୟାଙ୍କରେ ଓ ଏଟିଏମରେ ଲାଇନ ଲଗାଇ ଠିଆ ହେବାକୁ ବାଧ୍ୟ ହେବେ। ଫେଡରେସନ ପକ୍ଷରୁ ଗତ ସପ୍ତାହରେ ଚେତାବନୀ ଦେଇ କୁହାଯାଇଥିଲା ଯେ, ଏଟିଏମର ହାର୍ଡୱେର ଓ ସଫ୍ଟୱେର ଅପଗ୍ରେଡ଼ କରାଯିବା ସହ ନଗଦ ଯୋଗାଣରେ ଯେଉଁ ଅସୁବିଧା ଦେଖାଯାଉଛି ସେହି କାରଣରୁ ଆସନ୍ତା ବର୍ଷ ମାର୍ଚ୍ଚ ବେଳକୁ ୫୦ ପ୍ରତିଶତ ଏଟିଏମ ଅଚଳ ହୋଇଯିବ।
ଏଟିଏମ ଫେଡେରେସନର ଜଣେ କର୍ମକର୍ତ୍ତା କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ ସୁଦ୍ଧା ଯେଉଁ ସମୟ ସୀମା ଧାର୍ଯ୍ୟ କରାଯାଇଛି ତା ଭିତରେ ଅପଗ୍ରେଡସନ କାମ ସରିବା ସମ୍ଭବ ନୁହେଁ। ଏଣୁ ଏଟିଏମରେ ତାଲା ପକାଇ ଛଡ଼ା ଅନ୍ୟ ଉପାୟ ନାହିଁ। ଫେଡରସନର କହିବା ଅନୁଯାୟୀ, ଭାରତରେ ଏବେ ପ୍ରାୟ ୨ଲକ୍ଷ ୩୮ ହଜାର ଏଟିଏମ ରହିଛି। ଯଦି ଏଥିରୁ ଅଧା ଏଟିମ ବନ୍ଦ ହୋଇଯାଏ ଟଙ୍କା ଉଠାଇବା ମୁସ୍କିଲ ହେବ ଅନେକ ଲୋକ ବେରୋଜଗାର ହୋଇପଡିବେ। ଆହୁରି ମଧ୍ୟ ଦେଶର ଅର୍ଥିନୀତି ଉପରେ ଏହାର ଭୀଷଣ ପ୍ରଭାବ ପଡ଼ିବ। ହୁଏତ, ବଡ଼ ବଡ଼ ସହରମାନଙ୍କରେ ଲୋକେ କୌଣସି ପ୍ରକାରେ ସମସ୍ୟାକୁ ସମ୍ଭାଳି ନେବେ, କିନ୍ତୁ ଯେଉଁଠି ଗୋଟିଏ କି ଦୁଇଟି ଏଟିଏମ ଅଛି ସେ ସବୁ ସ୍ଥାନରେ ଲୋକଙ୍କ ଅବସ୍ଥା ସଙ୍ଗୀନ ହେବାର ଆଶଙ୍କା ରହିଛି ବୋଲି ଅର୍ଥନୀତିଜ୍ଞ ବସଲେ କହିଛନ୍ତି।