ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧିକାଂଶ ସମୟରେ ଏଟିଏମରେ ଅସୁବିଧା ଥିବା କାରଣରୁ କିମ୍ବା ଟଙ୍କା ନଥିବା ହେତୁ ଟ୍ରାଞ୍ଜାକସନ୍ ଫେଲ୍ ହୋଇଯାଇଥାଏ। ହେଲେ ଆପଣଙ୍କ ଆକାଉଣ୍ଟରୁ କିନ୍ତୁ ଟଙ୍କା କଟିଯାଇଥାଏ। ଏହି ଟଙ୍କା ପାଇବାକୁ ହେଲେ ଗ୍ରାହକଙ୍କୁ ବ୍ୟାଙ୍କକୁ ଦୌଡ଼ିବା ସହ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ।

ଏଭଳି ସମସ୍ୟାର ସମାଧାନ ପାଇଁ ଆରବିଆଇ ଆଣିଛି ନୂଆ ନିୟମ। ଏଣିକି ଏଟିଏମ୍ ଟ୍ରାଞ୍ଜାକସନ ଫେଲ୍ ହୋଇ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା କଟିଲେ; ବ୍ୟାଙ୍କ ତାକୁ ୫ ଦିନ ଭିତରେ ଫେରାଇବ। ଯଦି ଏହି ଧାର୍ଯ୍ୟ ସମୟଠାରୁ ବ୍ୟାଙ୍କ ଅଧିକ ସମୟ ନିଏ , ତେବେ ଏଥିପାଇଁ ବ୍ୟାଙ୍କକୁ ଫାଇନ୍ ସ୍ୱରୂପ ଗ୍ରାହକଙ୍କୁ ସୁଧ ଦେବାକୁ ପଡ଼ିବ।ଆରବିଆଇ ଏନେଇ ସୂଚନା ଦେଇ କହିଛି ଯେ, ଯଦି କୌଣସି ଗ୍ରାହକଙ୍କ ଏଟିଏମ୍ ଟ୍ରାଞ୍ଜାକସନ୍ ଫେଲ୍ ହୋଇଥିଲେ ମଧ୍ୟ ଆକାଉଣ୍ଟରୁ ଟଙ୍କା କଟିଛି ତେବେ ସେ ତୁରନ୍ତ ଏନେଇ ବ୍ୟାଙ୍କକୁ ଅବଗତ କରାନ୍ତୁ। ବ୍ୟାଙ୍କରେ ସେ ଏଥିପାଇଁ ଅଭିଯୋଗ କରିବେ। ଅଭିଯୋଗ କରିବାର ୫ ଦିନ ଭିତରେ ବ୍ୟାଙ୍କ ଗ୍ରାହକଙ୍କ ଟଙ୍କା ତାଙ୍କ ଆକାଉଣ୍ଟକୁ ଫେରାଇବ। ନଚେତ୍ ଏହାଠାରୁ ଅଧିକ ସମୟ ଲାଗିଲେ ବ୍ୟାଙ୍କକୁ ଏଥିପାଇଁ ସୁଧ ଦେବାକୁ ପଡ଼ିବ।

ଏଥିସହ ଆରବିଆଇ ଆହୁରି ମଧ୍ୟ କହିଛି ଯେ, ଯଦି ବ୍ୟାଙ୍କ ଗ୍ରାହକଙ୍କୁ ସୁଧ ନଦିଏ ତେବେ ଏନେଇ ଗ୍ରାହକ ରିଜର୍ଭ ବ୍ୟାଙ୍କର ପୋର୍ଟାଲ ଜରିଆରେ ଅଭିଯୋଗ କରିପାରିବେ। ଅଭିଯୋଗ ପାଇବା ପରେ ଏନେଇ ଆରବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Comment