ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡ଼ିକରେ ଗ୍ରାହକ ସେବା ସମୟକୁ କମାଇ ଦିଆଯାଇଛି। ୬ ଘଣ୍ଟା ପରିବର୍ତ୍ତେ ବ୍ୟାଙ୍କଗୁଡ଼ିକରେ ଏଣିକି ୪ ଘଣ୍ଟା ଗ୍ରାହକସେବା ଉପଲବ୍ଧ ହେବ। ଯଦି ଆପଣଙ୍କର ବ୍ୟାଙ୍କଜନିତ କିଛି କାମ ଅଛି, ତେବେ ସକାଳ ୧୦ରୁ ଅପରାହ୍‌ଣ ୨ଟା ମଧ୍ୟରେ ବ୍ୟାଙ୍କ ଯାଇ ଏହା କରିପାରିବେ।

ଏପ୍ରିଲ ୨୬ରୁ ଏହି ନିୟମ କାର୍ଯ୍ୟକାରୀ ହୋଇଥିବା ବେଳେ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏନେଇ ସୋମବାର ଅର୍ଥ ବିଭାଗର ଉପ ସଚିବ ତାରାକାନ୍ତ ଭକ୍ତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି)ର ସଂଯୋଜକ ତଥା ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।  ଅର୍ଥ ବିଭାଗର ଚିଠି ମୁତାବକ, ଯଦିଓ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ। କିନ୍ତୁ ଗ୍ରାହକମାନେ ସକାଳ ୧୦ରୁ ଅପରାହ୍‌ଣ ୨ଟା ମଧ୍ୟରେ ହିଁ କାରବାର କରିପାରିବେ। ମେ’ ୧୫ ପରେ ସ୍ଥିତିକୁ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସେହିପରି ଏହି ସମୟ ମଧ୍ୟରେ ଯେତେସବୁ ଶନିବାର ପଡ଼ିବ ସହରାଞ୍ଚଳରେ ଥିବା ବ୍ୟାଙ୍କ ଶାଖା ଓ କାର୍ଯ୍ୟାଳୟଗୁଡ଼ିକରେ ସପ୍ତାହାନ୍ତ ସଟ୍‌ଡାଉନ ନିୟମ ପାଳନ କରିବେ।

ସେହିପରି ବ୍ୟାଙ୍କର ସମସ୍ତ ଶାଖା ଏବଂ ପ୍ରଶାସନିକ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ରୋଟେସନ ଭିତ୍ତିରେ ଚାଲିବ। ହେଲେ ଯେଉଁ ଶାଖାରେ ୫ କିମ୍ଵା ତା’ଠାରୁ କମ୍ କର୍ମଚାରୀ ଥିବେ ସେଠାରେ କଣ୍ଟ୍ରୋଲିଂ ଅଫିସର ବ୍ୟାଙ୍କ ପରିଚାଳନା ପାଇଁ ଆବଶ୍ୟକୀୟ ନିଷ୍ପତ୍ତି ନେବେ। ତେବେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କସେବା ଯୋଗାଇବା ପାଇଁ ଡିପୋଜିଟ୍ ଗ୍ରହଣ, ନଗଦ ଟଙ୍କା ଉଠାଣ, ରେମିଟାନ୍ସ ଏବଂ ସରକାରୀ କାରବାର ଭଳି ସେବା ଜାରି ରହିବ। ଏଥିସହ ସବୁ ଜିଲ୍ଲାର ଏଟିଏମ୍‌ଗୁଡ଼ିକରେ ଯଥେଷ୍ଟ ପରିମାଣର ଟଙ୍କା ରଖିବା ପାଇଁ ବ୍ୟାଙ୍କଗୁଡ଼ିକୁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

Comment