ଓଡ଼ିଶାଲାଇଭ୍ ବ୍ୟୁରୋ

ବାଉଁଶ, ମାଟି ଦୀପ ଓ ଲାଟେରାଇଟ୍ ଷ୍ଟୋନ୍‌କୁ ବ୍ୟବହାର କରି ରାଜଧାନୀରେ ନିର୍ମିତ ହୋଇଛି ବିଭିନ୍ନ କଳାକୃତି।

ହକି ବିଶ୍ୱକପ୍‌କୁ ଆଉ ଅଳ୍ପ ଦିନ ବାକି ରହିଲା। ଖାସ୍‌ ହକି ବିଶ୍ୱକପ୍‌ ପାଇଁ ସଜେଇ ହେଉଛି ରାଜଧାନୀ। ବିଭିନ୍ନ କଳାକୃତିରେ ଝଲସୁଛି ମନ୍ଦିର ମାଳିନୀ ସହର। ରାଜଧାନୀର ବିଭିନ୍ନ ସ୍ଥାନରେ ୩ଡି ପେଣ୍ଟିଂ ଚାଲିଥିବା ବେଳେ ପୁରୁଣା ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଆକର୍ଷଣୀୟ କଳାକୃତି।

ଏହି କଳାକୃତିକୁ ତିଆରି କରିବା ପାଇଁ ବିଶେଷ କରି ବାଉଁଶ, ମାଟି ଦୀପ, ଲାଟେରାଇଟ୍ ଷ୍ଟୋନ୍‌ ବା ମାଙ୍କଡ଼ା ପଥରର ବ୍ୟବହାର କରାଯାଇଛି। ଏଭଳି ଏକ ନିଆରା ଉଦ୍ୟମ କରିଛି ଭୁବନେଶ୍ୱର ଆର୍ଟ ଟ୍ରେଲ୍‌। ଯାହାକି କଳାପ୍ରେମୀଙ୍କୁ ବେଶ୍ ଆକୃଷ୍ଟ କରୁଛି। କେଉଁଠି ମହାପ୍ରସାଦ କୁଡୁଆରେ ନିର୍ମିତ ମନ୍ଦିର ତ ଆଉ କେଉଁଠି ଦୀପରେ ତିଆରି ମାଛ ଏଭଳି ଅନେକ ଆକର୍ଷଣୀୟ କଳା ଦେଖିବାକୁ ମିଳିଛି।

ଏଥିସହ ଡକ୍ ଏଭବ୍ ଫିସ୍ ବିଲୋ ଥିମ୍‌କୁ ନିର୍ମାଣ ହୋଇଛି ବାଉଁଶ ଘର। ଯାହା ପାଣି ଭିତରେ ଶୋଭା ପାଉଛି। ଏଭଳି ଅନେକ କିଛି କଳାକୃତି ଭୁବନେଶ୍ୱର ଆର୍ଟ ଟ୍ରେଲ୍‌ରେ ଦେଖିବାକୁ ମିଳିଛି। ଯାହାକୁ ଲୋକମାନେ ବେଶ୍‌ ଉପଭୋଗ କରୁଛନ୍ତି।

ପୁରୁଣା ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିରଠାରୁ ଆରମ୍ଭ କରି ନୀଳକଣ୍ଠେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ଯାଏଁ ଏହି କଳାକୃତି ହୋଇଛି।

ଏହାଛଡ଼ା ବିନ୍ଦୁ ସାଗରରେ ତିଆରି ହୋଇଛି ମାଟି କୁଡୁଆର ମନ୍ଦିର ଓ ଦୀପର ମାଛ। ଏଠାରେ ସେଲ୍‌ଫି ନେବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି।

ଏହି କଳାକୃତି କରିବା ପାଇଁ ଦେଶ ବିଦେଶର ପ୍ରାୟ ୨୪ ଜଣ କଳାକାର ସେମାନଙ୍କର କଳା ନୈପୁଣ୍ୟ ଦେଖାଇଛନ୍ତି। ଯେଉଁଥିରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଏଥିସହ ମାସେ ଧରି ଚାଲିବାକୁ ଥିବା ଏହି ମେଳା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

Comment