ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜନୀତି, ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବହୁ ସୁନାମଧନ୍ୟ ବ୍ୟକ୍ତିବିଶେଷ ବର୍ଷ ୨୦୧୮ରେ ଦୁନିଆକୁ ଅଳବିଦା କହିଛନ୍ତି। ଭାରତୀୟ ରାଜନୀତିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ, ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ, ଡିଏମକେ ସୁପ୍ରିମୋ କରୁଣାନିଧି ଏବଂ ପ୍ରସିଦ୍ଧ ଲେଖକ ଭି.ଏସ୍.ନାଇପଲ ପ୍ରମୁଖଙ୍କ ବିୟୋଗରେ ମର୍ମାହତ ହୋଇଛି ବିଶ୍ୱ। ଆସନ୍ତୁ ଜାଣିବା ସେହି ରାଜନେତାଙ୍କ ବିଷୟରେ।

ଚିରନିଦ୍ରାରେ ଭୀଷ୍ମ ପିତାମହ

ବର୍ଷ ୨୦୧୮ରେ ଚିରନିଦ୍ରାରେ ଶୋଇଯାଇଥିଲେ ବିଜେପିର ଭେଟେରାନ ନେତା ତଥା ଭାରତୀୟ ରାଜନୀତିର ଭୀଷ୍ମ ପିତାମହ ଅଟଳବିହାରୀ ବାଜପେୟୀ। ଅଗଷ୍ଟ ୧୬ ତାରିଖରେ ତାଙ୍କର ମହାପ୍ରୟାଣ ହୋଇଥିଲା। ନିଜର ଦୀର୍ଘ ରାଜନୈତିକ ଜୀବନ ମଧ୍ୟରେ ସେ ଦେଶର ୩ ଥର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ପ୍ରଥମେ ୧୯୯୬ରେ ୧୩ ଦିନ, ତା’ ପରେ ୧୯୯୮ରେ ୧୩ ମାସ ଏବଂ ୧୯୯୯ରେ ପୂରା ପାଞ୍ଚ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ନେତୃତ୍ୱରେ କେନ୍ଦ୍ରର ପ୍ରଥମ ଅଣକଂଗ୍ରେସ ସରକାର ଗଠନ ହୋଇଥିଲା, ଯାହାକି ପୂର୍ଣ୍ଣ ୫ ବର୍ଷ କ୍ଷମତାରେ ରହିଥିଲା।

୧୯୨୪ ମସିହାରେ ଡିସେମ୍ବର ୨୫ରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ତାଙ୍କର ଜନ୍ମ ହୋଇଥିଲା। ବ୍ରିଟିଶ ଶାସନକୁ ବିରୋଧ କରି ସେ କିଛିଦିନ ଜେଲରେ ରହିଥିଲେ। ୧୯୫୨ରେ ସେ ପ୍ରଥମେ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ୧୯୫୭ରେ ନିର୍ବାଚନରେ ବିଜୟୀ ହୋଇଥିଲେ। ମୋରାରଜୀ ଦେଶାଇଙ୍କ କ୍ୟାବିନେଟରେ ବୈଦେଶିକ ମନ୍ତ୍ରୀ ଥିଲେ ବାଜପେୟୀ। ୧୯୮୦ରୁ ୧୯୮୬ ପର୍ଯ୍ୟନ୍ତ ସେ ବିଜେପିର ପ୍ରଥମ ସଭାପତି ଥିଲେ। ସେ ୫୦ ବର୍ଷ ଧରି ସାଂସଦ ରହିଥିଲେ। ୧୦ ଥର ଲୋକସଭା ଏବଂ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ପର୍ଯ୍ୟନ୍ତ ସାଂସଦ ଥିଲେ ବାଜପେୟୀ।

ତେବେ ୨୦୦୪ ନିର୍ବାଚନରେ ଏନଡିଏ ପରାଜିତ ହେବା ପରେ ବିରୋଧୀଦଳ ନେତା ହେବାକୁ ମନା କରିଦେଇଥିଲେ ବାଜପେୟୀ। ୨୦୦୫ରେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଭାରତ ସରକାର ତାଙ୍କୁ ପଦ୍ମ ବିଭୂଷଣ ଓ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ।

ପରଲୋକରେ ଡିଏମକେ ସୁପ୍ରିମୋ

ଗତ ଅଗଷ୍ଟ ୭ ତାରିଖରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ମୁଥୁଭେଲ କରୁଣାନିଧିଙ୍କର ପରଲୋକ ହୋଇଥିଲା। କରୁଣାନିଧି ୫ ଥର ତାମିଲନାଡୁ ମୁଖ୍ୟମନ୍ତ୍ରୀ ରହିବା ସହିତ ୫୦ ବର୍ଷରୁ ଅଧିକ ସମୟ ଧରି ଡିଏମକେର ଅଧ୍ୟକ୍ଷ ରହିଥିଲେ।

୧୯୨୪ ମସିହା ଜୁନ ୩ରେ ତାଙ୍କର ଜନ୍ମ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ତାମିଲ ଫିଲ୍ମ ଜଗତ ସହ ଜଡିତ ଥିଲେ। ମାତ୍ର ୧୪ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ କରୁଣାନିଧି। ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

୩୩ ବର୍ଷ ବୟସରେ ୧୯୫୭ରେ କୁଲିଥଲାଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୧୯୬୯ରେ ସେ ପ୍ରଥମକରି ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୨୦୦୩ରେ ଶେଷଥର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଅଲବିଦା ସୋମନାଥ ଚାଟାର୍ଜୀ

ବିଦାୟୀ ବର୍ଷରେ ଦେଶ ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କୁ ମଧ୍ୟ ହରାଇଥିଲା। ୧୦ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ସୋମନାଥ ଚାଟାର୍ଜୀ ୧୯୬୮ ମସିହାରେ ସିପିଏମରେ ଯୋଗ ଦେଇଥିଲେ। ୧୯୬୮ ମସିହାରେ ସିପିଏମରେ ଯୋଗ ଦେଇଥିଲେ ଚାଟାର୍ଜୀ। ସିପିଏମର କେନ୍ଦ୍ରୀୟ କମିଟିର ସଦସ୍ୟ ମଧ୍ୟ ଥିଲେ।

୨୦୦୪-୨୦୦୯ ପର୍ଯ୍ୟନ୍ତ ୟୁପିଏ-୧ ସମୟରେ ସେ ଲୋକସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ। ୨୦୦୮ରେ ଭାରତ-ଆମେରିକା ବେସାମରିକ ଆଣବିକ ଚୁକ୍ତି ପ୍ରସଙ୍ଗରେ ୟୁପିଏ-୧ ସରକାରରୁ ସିପିଏମ ସମର୍ଥନ ପ୍ରତ୍ୟାହାର କରିବା ସହ ତାଙ୍କୁ ବାଚସ୍ପତି ପଦବୀ ଛାଡ଼ିବାକୁ କୁହାଯାଇଥିଲା। ସେ କିନ୍ତୁ ଏଥିପାଇଁ ମନା କରିଦେଇଥିଲେ।

ବାଚସ୍ପତି ପଦବୀ ରାଜନୀତିରୁ ଊଦ୍ଧ୍ୱର୍ରେ ବୋଲି ଦର୍ଶାଇଥିଲେ ସେ। ଏହାପରେ ସିପିଏମ ପକ୍ଷରୁ ଦଳରୁ ବହିଷ୍କାର କରାଯାଇଥିଲା। ଏହି ଘଟଣା ତାଙ୍କୁ ଖୁବ ଦୁଃଖ ଦେଇଥିଲା। ୨୦୦୯ ଲୋକସଭା ନିର୍ବାଚରେ ସେ ଆଉ ପ୍ରତିଦ୍ୱନ୍ଦ୍ୱିତା ନକରି ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଥିଲେ। ବାଚସ୍ପତି ଥିବାବେଳେ ତାଙ୍କ ପ୍ରୟାସରେ ୨୦୦୪ ଜୁଲାଇ ୫ ତାରିଖରୁ ଶୂନ୍ୟକାଳ ସିଧାପ୍ରସାରଣ ଟିଭିରେ ହୋଇଥିଲା।

ସେହିଭଳି ତାଙ୍କ ସମୟରେ ୨୦୦୬ ମସିହା ଜୁଲାଇ ମାସରେ ୨୪ ଘଣ୍ଟିଆ ଲୋକସଭା ଟିଭି ଚ୍ୟାନେଲର ପ୍ରସାରଣ ମଧ୍ୟ ଆରମ୍ଭ ହୋଇଥିଲା।

ପରଲୋକରେ ଅନନ୍ତ କୁମାର

କର୍କଟ ରୋଗରେ ପୀଡ଼ିତ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ ୫୯ ବର୍ଷ ବୟସରେ ନଭେମ୍ବର ୧୨ ତାରିଖରେ ହୋଇଥିଲା। କର୍ଣ୍ଣାଟକରେ ବିଜେପିର ଉତଥାନ ପଛରେ ରାଜ୍ୟ ବିଜେପି ଅଧ୍ୟକ୍ଷ ବି.ଏସ୍.ୟେଦୁରପ୍ପାଙ୍କ ସହିତ ତାଙ୍କୁ ମୁଖ୍ୟ ବିନ୍ଧାଣୀ ବୋଲି ମନେ କରାଯାଏ।

୧୯୯୮ ମସିହାରେ ବାଜପେୟୀଙ୍କ କ୍ୟାବିନେଟରେ ସେ ସବୁଠୁ ଯୁବ ମନ୍ତ୍ରୀ ହେବାର କୀର୍ତ୍ତିମାନ ସ୍ଥାପନ କରିଥିଲେ। ପରେ ପର୍ଯ୍ୟଟନ, କ୍ରୀଡ଼ା, ସଂସ୍କୃତି, ସହରାଞ୍ଚଳ ବିକାଶ ପରି ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଥିଲେ। ମୃତ୍ୟୁବେଳକୁ ସେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଥିଲେ।

କୁଲଦୀପ ନାୟାର

ବିଦାୟୀ ବର୍ଷର ଅଗଷ୍ଟ ମାସରେ ବରିଷ୍ଠ ସାମ୍ବାଦିକ ତଥା ଲେଖକ କୁଲଦୀପ ନାୟାରଙ୍କ ଦେହାନ୍ତ ହୋଇଥିଲା। ୧୯୨୩ ମସିହାରେ ସିଆଲକୋଟରେ ଜନ୍ମିତ କୁଲଦୀପ ଲାହୋର କଲେଜରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଦେଶ ବିଭାଜନ ସମୟରେ ସେ ଭାରତ ଚାଲିଆସିଥିଲେ।

ଏକ ଉର୍ଦ୍ଦୁ ଦୈନିକରେ ପ୍ରଥମେ ସାମ୍ବାଦିକ ଭାବେ କାମ କରିବା ଆରମ୍ଭ କରିଥିଲେ। ତା’ପରେ ଇଂରାଜୀ ଖବରକାଗଜ ‘ଦ ଷ୍ଟେଟସମ୍ୟାନ୍’ର ଦିଲ୍ଲୀ ସଂସ୍କରଣର ସମ୍ପାଦକ ରହିଥିଲେ। ବିଭିନ୍ନ ଖବରକାଗ ଏବଂ ଖବର ସରବରାହ ସଂସ୍ଥା ପାଇଁ ମଧ୍ୟ ସେ କାମ କରିଥିଲେ। ୧୯୯୦ରେ ତାଙ୍କୁ ବ୍ରିଟେନରେ ଭାରତୀୟ ହାଇକମିଶନର ଭାବେ ନିଯୁକ୍ତି ମିଳିଥିଲା। ୧୯୯୭ରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।

ଭି.ଏସ୍ ନାଇପଲ

ବିଦାୟୀ ବର୍ଷରେ ସାହିତ୍ୟରେ ନୋବେଲ ଜିତିଥିବା ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଲେଖକ ସାର ବିଦ୍ୟାଧର ସୁରଜ ପ୍ରସାଦ ନାଇପଲ ଦୁନିଆକୁ ଅଲବିଦା କହିଥିଲେ। ‘ଇନ୍ ଏ ଫ୍ରି ଷ୍ଟେଟ’, ‘ଏ ହାଉସ ଫର ମିଷ୍ଟର ବିଶ୍ୱାସ’ ପ୍ରଭୃତି ହେଉଛି ତାଙ୍କର ଉଲ୍ଲେଖନୀୟ ସାହିତ୍ୟକୃତି। ୧୯୩୨ରେ ତ୍ରିନିବାଦରେ ତାଙ୍କର ଜନ୍ମ। ୧୯୭୧ ମସିହାରେ ତାଙ୍କୁ ବ୍ଲକର ଓ ୨୦୦୧ରେ ନୋବେଲ ପୁରସ୍କାର ମିଳିଥିଲା। ୨୦୦୮ରେ ‘ଦ ଟାଇମ୍ସ’ ପକ୍ଷରୁ ପ୍ରକାଶିତ ୫୦ ଜଣ ମହାନ ବ୍ରିଟିଶ ଲେଖକଙ୍କ ତାଲିକାରେ ନାଇପରଙ୍କଚ ସପ୍ତମ ସ୍ଥାନ ମିଳିଥିଲା।

Comment