ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ବ୍ୟକ୍ତି  ୧୬ ମାସ ପରେ ଘରକୁ ଫେରିଛି।

ପ୍ରାୟ ୧୬ ମାସ ତଳେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯିବା ପରେ ପରିବାର ଲୋକେ ମିଶି ତାଙ୍କ ମୃତଦେହକୁ ଗାଁ ପାଖ ଗଙ୍ଗା ନଦୀରେ ଭସାଇ ଦେଇଥିଲେ। ଅନ୍ତିମ ସଂସ୍କାରର ବିଧି ସ୍ୱରୂପ ନଦୀ କୂଳରେ ଆତ୍ମାର ଶାନ୍ତି ପାଇଁ ବିଧିବଦ୍ଧ କ୍ରିୟାକର୍ମ ମଧ୍ୟ ହୋଇଥିଲା। ଏବେ ଏହି ମୃତ ଲୋକଟି ସଶରୀରେ ଗାଁକୁ ଫେରିବା ଦେଖି  ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଘଟଣାଟି ଠିକ୍ ଫିଲ୍ମର କାହାଣୀ ପରି ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ସତ୍ୟ। ୧୬ମାସ ପରେ ସେ କେମିତି ଜୀବିତ ଅବସ୍ଥାରେ ଫେରିଲେ, ତାକୁ ନେଇ ଚର୍ଚ୍ଚା ଲାଗିରହିଛି।

ଉତ୍ତରପ୍ରଦେଶ ଗୁନ୍ନର ସୈମୁଲା ଗୁନ୍ନର ଗାଁ ନିବାସୀ ଯୋଗେଶ୍ କୁମାର୍ ହରିୟାଣାର ରୋହମତ୍‌ରେ କାମ କରୁଥିଲେ। ସେଠାରେ ୨୦୧୭ ଅଗଷ୍ଟ୨୩ ତାରିଖ ରାତିରେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ଏହାପରେ ତାଙ୍କୁ ସ୍ଥାନୀୟ ଲୋକ ଏକ ସାପୁଆ କେଳା ପାଖକୁ ନେଇ ଯାଇଥିଲେ। କିନ୍ତୁ ଯୋଗେଶଙ୍କ ଅବସ୍ଥା ଦେଖି ସେମାନେ ଚିକିତ୍ସା କରିବା ପାଇଁ ମନା କରି ଦେଇଥିଲେ।

ଏହା ପରେ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଥିଲା। ତେବେ ଏହା ମଧ୍ୟରେ ଯୋଗେଶଙ୍କ ନିଃଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଇଥିଲା। ପରିବାର ଓ ସ୍ଥାନୀୟ ଲୋକେ ତାଙ୍କୁ ମୃତ ଭାବି ନିକଟରେ ପ୍ରବାହିତ ଗଙ୍ଗାରେ ଶରୀରକୁ ଭସାଇ ଦେଇଥିଲେ। ନଦୀ କୂଳରେ ଅନ୍ତ୍ୟେଷ୍ଟି କ୍ରିୟା ମଧ୍ୟ ସରିଥିଲା।

ତେବେ ଦୀର୍ଘ ୧୬ମାସ ପରେ କିଛି ସାପୁଆ କେଳାଙ୍କ ସହ ଯୋଗେଶ ତାଙ୍କ ଗାଁକୁ ଫେରିଛନ୍ତି। ଯୋଗେଶଙ୍କୁ ଦେଖି ପରିବାର ଲୋକେ ଖୁସି କମ୍ ଆଶ୍ଚର୍ଯ୍ୟ ଅଧିକ ହୋଇଛନ୍ତି। ଯୋଗେଶ୍‌ଙ୍କୁ ଦେଖିବା ପାଇଁ ଏବେ ତାଙ୍କ ଗାଁରେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଛି।

ଯୋଗେଶ୍‌ଙ୍କ ସହ ଆସିଥିବା ସାପୁଆ କେଳାଙ୍କ କହିବା ଅନୁଯାୟୀ, ଯୋଗେଶ୍‌ଙ୍କୁ ସେମାନେ ଗଙ୍ଗାରୁ ପାଇଥିଲେ। ଏହାପରେ ସେମାନେ ତାଙ୍କ ଚିକିତ୍ସା କରି ଶରୀରରୁ ବିଷ କାଢ଼ିଥିଲେ। ବିଷ ଖସିଯିବା ପରେ ଯୋଗେଶଙ୍କ ଜୀବନ ଫେରିଥିଲା ଏବଂ ସେ ଧୀରେ ଧୀରେ ସୁସ୍ଥ ହୋଇଥିଲେ।

Comment