ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ରାଜ୍ୟସଭାରେ ପାରିତ ହୋଇପାରିଲା ନାହିଁ ଟ୍ରିପଲ ତଲାକ୍‌ ବିଲ୍‌। ଏମିତି କି ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ବି ହୋଇପାରିଲାନି। ଗୃହରେ ଏହି ବିଲ୍‌ ଉପରେ ଆଲୋଚନା ହେବା ପୂର୍ବରୁ ବିରୋଧୀ ହୋହାଲ୍ଲା ଓ ହଙ୍ଗାମା କରିଥିଲେ।

ଗୃହ ଆରମ୍ଭ ହେବା କ୍ଷଣି କେନ୍ଦ୍ର ସରକାର ତତ୍କାଳ ଟ୍ରିପଲ ତଲାକ୍‌କୁ ଅପରାଧ ଭାବେ ଗ୍ରହଣ କରିବା ଲାଗି ଆଣିଥିବା ବିଲ୍‌କୁ ଉପସ୍ଥାପନ କରିଥିଲେ। ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏହା ଉପରେ ଆଲୋଚନା ହୋଇପାରିନଥିଲା। ବିରୋଧୀ ବିଲ୍‌କୁ ସଂସଦର ଚୟନ କମିଟିକୁ ପଠାଇବାକୁ ଦାବି କରିଥିଲେ। ଫଳରେ ରାଜ୍ୟସଭା ଅଧ୍ୟକ୍ଷ ଗୃହକୁ ୨ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

କେନ୍ଦ୍ର ସରକାର ଗୃହରେ ବିଲ୍ ଉପସ୍ଥାପନ କରିବା କ୍ଷଣି କଂଗ୍ରେସ, ତୃଣମୂଳ କଂଗ୍ରେସ, ଏନସିପି, ଟିଡିପି, ଜେଡିଏସ୍, ସିପିଆଇ, ସିପିଆଇଏମ୍ ଓ ଆପ୍ ପକ୍ଷରୁ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ଧାରା ୧୨୫ ଅନୁଯାୟୀ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ନୋଟିସ୍ ଦେଇଥିଲେ।

ସେପଟେ ତିନି ତଲାକ ବିଲ୍ ପ୍ରସଙ୍ଗରେ ମୁହଁ ଖୋଲିଛି ବିଜେଡି। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ଆମେ ତାହାକୁ ସମ୍ମାନ ଜଣାଉଛୁ। କିନ୍ତୁ ବିଲ୍ ପାରିତ ହେବା  ପୂର୍ବରୁ ଏଥିରେ ରହିଥିବା ତ୍ରୁଟିକୁ ସୁଧାରିବା ଉଚିତ୍ ବୋଲି କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ପୂର୍ବରୁ ବିରୋଧୀଙ୍କ ହୋ ହଲ୍ଲା ମଧ୍ୟରେ କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ଟ୍ରିପଲ୍‌ ତଲାକ୍‌ ବିଲ୍‌କୁ ଲୋକସଭାରେ ପାରିତ କରିଥିବା ବେଳେ ଏହା ଏବେ ରାଜ୍ୟସଭାରେ ଅଟକିଛି। ମୁସଲିମ୍ ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏହି ବିଲ୍ ପାସ୍ କରିବାକୁ ଚାହୁଁଥିବା ବେଳେ ଏଥିରେ ଥିବା କିଛି ବ୍ୟବସ୍ଥାରେ ସଂଶୋଧନ ପାଇଁ ବିରୋଧୀ ଦଳଗୁଡ଼ିକ ଅଡ଼ି ବସିଛନ୍ତି।

LEAVE A REPLY

Please enter your comment!
Please enter your name here