ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିପିଲି ପୀଡ଼ିତାଙ୍କୁ ନେଇ ରାଜ୍ୟ ରାଜନୀତିରେ ଝଡ଼।

ପିପିଲି ପୀଡ଼ିତାଙ୍କୁ ନେଇ ଜୋର୍ ଧରିଛି ରାଜନୀତି। ଏହି ପ୍ରସଙ୍ଗକୁ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପିପିଲି ପୀଡ଼ିତାଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବାରେ ବିଫଳ ବୋଲି ମୋଦି କହିବା ପରେ ନବୀନ ଏହାର ଉତ୍ତର ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ହୋଇଯାଇଛି।

୨୦୧୯ ନିର୍ବାଚନ ପୂର୍ବରୁ ମୋଦି ଆଜି ଆସିଥିଲେ ବାରିପଦା। ଛଉ ପଡ଼ିଆରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବା ବେଳେ ମୋଦି ନାରୀ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ମୋଦି କହିଥିଲେ, “୮ ବର୍ଷ ତଳେ ପୁରୀ ଜିଲ୍ଲାର ଜଣେ ନାରୀଙ୍କୁ ସୁରକ୍ଷା ଦେଇପାରି ନଥିଲେ ରାଜ୍ୟ ସରକାର। ଏଯର୍ପ୍ୟନ୍ତ ତାଙ୍କୁ ନ୍ୟାୟ ଦେଇପାରି ନାହାନ୍ତି। ନାରୀ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ବିଫଳ। ନାରୀ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ରାଜ୍ୟ ସରକାର ତାକୁ ଓଡ଼ିଶାରେ ଲାଗୁ କରୁ ନାହାନ୍ତି।”

ବାରିପଦାରେ ମୋଦି ଏହି ମନ୍ତବ୍ୟ ଦେବାର ଠିକ୍ ୨ ଘଣ୍ଟା ପରେ ଭୁବନେଶ୍ଵରରେ ନବୀନ ପଟ୍ଟନାୟକ ଏହାର ଉତ୍ତର ଦେଇଛନ୍ତି।

ନବୀନ କହିଛନ୍ତି, “ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆମେ ଏହି ପ୍ରସଙ୍ଗ ଉପରେ ବିଚାର କରୁଛୁ। ଏହି ଘଟଣା ଉପରେ ଆମେ ଗୁରୁତ୍ୱର ସହ ବିଚାର କରୁଛୁ।”

ମୋଦି ଉଠାଇଥିବା ନାରୀ ସୁରକ୍ଷା ପ୍ରସଙ୍ଗରେ ବିଜେଡି ମଧ୍ୟ ଜବାବ ରଖିଛି। ବିଜେଡି ବିଧାୟକ ଅମରପ୍ରସାଦ ଶତପଥୀ କହିଛନ୍ତି, “ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ପ୍ରତି ସଚେତନ ଅଛନ୍ତି। ପୁରୀ ସମାବେଶରୁ ଏହା ସ୍ପଷ୍ଟ ହୋଇଛି। ନ୍ୟାୟିକ ପ୍ରକ୍ରିୟା ଅନୁଯାୟୀ ତଦନ୍ତ କରାଯାଇଛି। ଏଥିରେ କେହି ହସ୍ତକ୍ଷେପ କରିବା ଠିକ୍ ନୁହେଁ। ମୋଦି ଆଣିଥିବା ଅଭିଯୋଗ ଅମୂଳକ।”

Comment