ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପୁରୀ ଲୋକସଭା ଆସନ ଉପରେ ମୋଦୀଙ୍କ ନଜର ରହିଥିବାବେଳେ ନବୀନଙ୍କର ବି ରହିଛି ବହୁତ ଆଶା। ଏହି ଆସନ ହାତେଇବାକୁ ଗୁରୁତ୍ଵ ଦେଉଛନ୍ତି ଉଭୟ ବିଜେପି ଏବଂ ବିଜେଡି। ଏଥିପାଇଁ ଦୁଇ ଜଣ ଜାତୀୟସ୍ତରରେ ପରିଚିତ ନେତା ଏଥର ବିଜେପି ଓ ବିଜେଡିର ପ୍ରାର୍ଥୀ ହୋଇଛନ୍ତି। ଗତଥର ଭୁବନେଶ୍ଵରରୁ ହାରିଥିବା ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ପୁରୀରୁ ଅଳ୍ପକେ ହାରି ଯାଇଥିବା ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ଏଥର ଖାତା ଖୋଲିବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। କଂଗ୍ରେସର ସ୍ଥିତି ସେତେ ମଜଭୁତ୍ ନଥିଲେ ମଧ୍ୟ ଦୁଇ ଦଳଙ୍କ ବିଜୟ ରାସ୍ତାରେ କଣ୍ଟା ହେବାର ସମ୍ଭାବନା ରହିଛି।

ପୁରୀ ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ

ପୁରୀ ଲୋକସଭା ଆସନ ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ। ଗତଥର ଏହି ଲୋକସଭା ଆସନ ଅଧୀନ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୫ଟିରେ ବିଜେଡି ଭଲ ଭୋଟ୍ ବ୍ୟବଧାନରେ ଜିତିଥିଲା। ତଥାପି ସମ୍ବିତଙ୍କ ଖାତାରେ ପଡ଼ିଥିବା ଭୋଟ୍ ବିଜେଡିକୁ ଶେଷ ପର୍ଯ୍ୟନ୍ତ ନିଶ୍ଵାସ ଅଟକାଇ ଅପେକ୍ଷା କରିବାକୁ ବାଧ୍ୟ କରିଦେଇଥିଲା। ପୁରୀ ଓ ବ୍ରହ୍ମଗିରିରେ ବିଜେପି ଖାତା ଖୋଲିଥିଲା। ମାତ୍ର ୧୧, ୭୧୪ ଭୋଟ୍ ବ୍ୟବଧାନରେ ପିନାକୀଙ୍କ ବିଜୟ ବିଜେଡିକୁ ଆଶ୍ଵସ୍ତ କରିଥିଲା, କିନ୍ତୁ ଆଦୌ ଉଲ୍ଲସିତ କରିପାରିନଥିଲା।

ତେଣୁ ପୁରୀ ପାଇଁ ଏଥର ଉଭୟ ପ୍ରାର୍ଥୀ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଜଣେ ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ଅଧିକାରୀ, ଆଉ ଜଣେ ଦୀର୍ଘ ବର୍ଷ ଧରି ବିଜେପିର ଜାତୀୟ ମୁଖପାତ୍ର ଭାବେ କାର୍ଯ୍ୟ କରିଛନ୍ତି। ତେଣୁ ନେତା ହିସାବରେ ଦୁଇ ଜଣ ଏକକୁ ଆରେକ। ଗତ ଥରର ପରାଜୟର ଦୁଃଖ ଉଭୟ ଭୋଗ କରିଛନ୍ତି। ସମ୍ବିତଙ୍କ ପାଇଁ କ୍ଷେତ୍ର ନୂଆ ନୁହେଁ ଏବଂ ଅରୁପ ପୁରୀ ଡେଲାଙ୍ଗ ଅଞ୍ଚଳର ଲୋକ। ଦଳ ଓ ବ୍ୟକ୍ତିଗତ ସମ୍ମାନ ପାଇଁ ଉଭୟ ସବୁ ଶକ୍ତି ଲଗାଇଦେଇଛନ୍ତି।

ଶଙ୍ଖର ବିଜୟ ଧାରାକୁ ଅଟକାଇବେ କି ସମ୍ବିତ?

ଗତ ନିର୍ବାଚନରେ ସମ୍ବିତ ପୁରୀ ଓ ବ୍ରହ୍ମଗିରିର ବିଧାନସଭା ନିର୍ବାଚନମଣ୍ଡଳୀରୁ ସର୍ବାଧିକ ଭୋଟ୍ ପାଇଥିଲେ। ଅନ୍ୟ ୫ଟି ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଓ ନୟାଗଡ଼ରେ ପଛେଇ ଯାଇଥିଲେ। ସତ୍ୟବାଦୀ, ପିପିଲି ଓ ନୟାଗଡ଼ରେ ବିଜେଡିକୁ ୧୨ ହଜାରରୁ ଅଧିକ ଭୋଟ୍ ମିଳିଥିଲା। କିନ୍ତୁ ରଣପୁର ଓ ଚିଲିକାରେ ବିଜେଡି ପ୍ରାର୍ଥୀ ଅଳ୍ପ ଭୋଟ୍‌ରେ ଆଗୁଆ ରହିଥିଲେ। ଏଥିପାଇଁ ସମ୍ବିତ ସବୁ ନିର୍ବାଚମଣ୍ଡଳୀରେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ପିପିଲି ଓ ଚିଲିକାରେ ବିଜେପିର ସ୍ଥିତି ମଜଭୁତ୍ ହୋଇଥିବା ବେଳେ ରଣପୁରରେ ଇରାନୀ ରାୟ ଓ ତାଙ୍କ ସ୍ଵାମୀ ବିଜେପି ଛାଡ଼ି ବିଜେଡିରେ ମିଶିଥିବାରୁ ସମ୍ବିତଙ୍କୁ ଅଡୁଆ ହୋଇପାରେ। ତେଣୁ ସମ୍ବିତ ସ୍ଥାନୀୟ ଅଞ୍ଚଳର ବିକଳ୍ପ ନେତୃତ୍ଵମାନଙ୍କୁ ଏକାଠି କରି ଭୋଟ୍ ବଢ଼ାଇବାକୁ ଚେଷ୍ଟା ଚଳାଇଛନ୍ତି।

ଦଳୀୟ ସଂଗଠନ ଉପରେ ଅରୁପଙ୍କ ଭରସା

ବିଜେଡି ଅରୁପଙ୍କ ଉପରେ ଭରସା କରିଛି। ବିଜୟ ପାଇଁ ବ୍ୟକ୍ତିଗତ ଭୋଟ୍ ବ୍ୟାଙ୍କ ଅପେକ୍ଷା ଅରୁପ ସଂଗଠନ ଉପରେ ଅଧିକ ଭରସା କରିଛନ୍ତି। ଗତ ଥର ପୁରୀ ଓ ବ୍ରହ୍ମଗିରିରେ ବିଜେଡିର ଭୋଟ୍ କମି ଥିବାରୁ ଏଥର ସେହି ଦୁଇ ନିର୍ବାଚନମଣ୍ଡଳୀରେ ଅଧିକ ଫୋକସ୍ କରିଛନ୍ତି ଅରୁପ। ଏହା ସହିତ ପୁରୀରେ ବିଭିନ୍ନ କ୍ଷେତ୍ରରେ ବିକାଶ, ବିଶେଷ କରି ପରିକ୍ରମା ପ୍ରକଳ୍ପ ବିଜେଡିକୁ ବେଶୀ ଫାଇଦା ଦେବ। ସବୁ ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ ବିଜେଡି ସଂଗଠନକୁ ମଜଭୁତ୍ କରିଛି। ଏହା ଅରୁପଙ୍କୁ ଫାଇଦା ଦେବ ବୋଲି ରାଜନୀତି ସମୀକ୍ଷକମାନେ ଆକଳନ କରିଛନ୍ତି। କିନ୍ତୁ ମୋଦୀଙ୍କ ଫୋକସରେ ଏହି କ୍ଷେତ୍ର ରହିଥିବାରୁ ସେ ମଧ୍ୟ ଏହାକୁ ନେଇ ରଣନୀତି ପ୍ରସ୍ତୁତ କରୁଥିବା ରାଜନୀତି ସମୀକ୍ଷକ କହିଛନ୍ତି।

କଂଗ୍ରେସ ଭୋଟ୍ ଉପରେ ସମସ୍ତଙ୍କ ଆଖି

କଂଗ୍ରେସରୁ ଗତଥର ପ୍ରାର୍ଥୀ ହୋଇଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ। ୪୪ ହଜାର ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ ସତ୍ୟପ୍ରକାଶ। ଏଥର କିନ୍ତୁ ପୁରୀକୁ ନେଇ ପ୍ରଥମରୁ ହିଁ ଅଡୁଆ ସ୍ଥିତିରେ ରହିଛି କଂଗ୍ରେସ। ପ୍ରଥମେ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। କିନ୍ତୁ ପର ମୁହୂର୍ତ୍ତରେ ସୁଚରିତା ଟିକେଟ ଫେରାଇ ଦେଇଥିଲେ। ପରେ କଂଗ୍ରେସ ଜୟନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ଜୟନାରାୟଣ ଏ ସ୍ଥିତିରେ କଂଗ୍ରେସର ସ୍ଥିତିକୁ କେମିତି ସଜାଡ଼ିବେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପଟେ କଂଗ୍ରେସର ଭୋଟ୍ ହାତେଇବାକୁ ଉଭୟ ବିଜେଡି ଓ ବିଜେପି ରଣନୀତି ପ୍ରସ୍ତୁତ କରିଛନ୍ତି।

 ବିଜେଡି ସପକ୍ଷରେ ପରିସଂଖ୍ୟାନ

୧୯୯୯ରୁ ପୁରୀ ବିଜେଡି ଖାତାରେ ରହିଆସିଛି। ୧୯୯୯ ଓ ୨୦୦୪ରେ ବ୍ରଜକିଶୋର ତ୍ରିପାଠୀ ବିଜେଡି ପ୍ରାର୍ଥୀ ହୋଇ ଜିତିଥିଲେ। ବିଜେପି-ବିଜେଡି ମେଣ୍ଟ ଥିବାରୁ ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପିନାକୀ ମିଶ୍ର ଜିତି ଆସିଥିଲେ। ଗତ ଥର ବିଜେପିର ସ୍ଥିତି ମଜଭୁତ୍ ହୋଇଛି। ପୂର୍ବରୁ ଦଳ ଏଠାରେ ତୃତୀୟ ସ୍ଥାନରେ ହିଁ ରହୁଥିଲା।

୨୦୦୯ରେ ବିଜେଡି ପ୍ରାର୍ଥୀ ପିନାକୀଙ୍କୁ ୪,୩୬ ହଜାର ଭୋଟ୍, ବିଜେପି ପ୍ରାର୍ଥୀ ବ୍ରଜକିଶୋର ତ୍ରିପାଠୀଙ୍କୁ  ୨,୦୯,୨୮୭ ଓ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ମାନସିଂହଙ୍କୁ ୨,୨୫,୬୫୬ ଭୋଟ୍ ମିଳିଥିଲା। ୨୦୧୪ରେ ପିନାକୀଙ୍କୁ ୫, ୨୩, ୧୬୧,  କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତିଙ୍କୁ ୨,୫୯,୮୦୦ ଓ ବିଜେପି ପ୍ରାର୍ଥୀ ଅଶୋକ ସାହୁଙ୍କୁ ୨,୧୫,୭୬୩ ଭୋଟ୍ ମିଳିଥିଲା। ୨୦୧୯ରେ ପିନାକୀଙ୍କୁ ୫, ୩୮,୩୨୧ ଭୋଟ୍, ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ୫, ୨୬,୬୦୭ ଭୋଟ୍ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକଙ୍କୁ ୪୪,୭୩୪ ଭୋଟ୍ ମିଳିଥିଲା।

କଂଗ୍ରେସ କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବା ବେଳେ ପୁରୀରେ ଦ୍ଵିମୁଖୀ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୀତି ସମୀକ୍ଷକମାନେ ଆକଳନ କରୁଛନ୍ତି।

Tags: #Politics #OdishaPolitic #Puri #OdishaAssemblyElections2024 # Odisha #PuriLokSabhaElection #BJD #BJP #Congress

LEAVE A REPLY

Please enter your comment!
Please enter your name here