ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ବିକ୍ଷୋଭ

ରାଜରାସ୍ତାରେ ଅଟକି ରହିଲା ଗାଡ଼ି। ଷ୍ଟେସନ ଛାଡ଼ିଲାନି ଟ୍ରେନ। ରାସ୍ତାରେ ଅଟୋ କିମ୍ବା ସିଟି ବସ୍ ବି ଦେଖିବାକୁ ମିଳିଲାନି। ଦୂର ଦୂରାନ୍ତକୁ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ଆଜି ନାହିଁ ନଥିବା ଅସୁବିଧା ଭୋଗିଥିଲେ।

ଷ୍ଟେସନରେ ଯାତ୍ରୀମାନେ ଟ୍ରେନକୁ ଅପେକ୍ଷା କରି ରହିଥିବା ବେଳେ ବସ୍ ଷ୍ଟାଣ୍ଡରେ ବସ୍ ନଥିବାରୁ ଯାତ୍ରୀ ମୁଣ୍ଡରେ ହାତଦେଇ ବସିଥିଲା। ବିଭିନ୍ନ ଅଫିସକୁ ଆସୁଥିବା କର୍ମଚାରୀ ମଧ୍ୟ ସିଟି ବସ୍ ଏବଂ ଅଟୋକୁ ଅପେକ୍ଷା କରି କରି ନିରାଶ ହୋଇଥିଲେ। କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଏଭଳି ଚିତ୍ର ରାଜ୍ୟର ପ୍ରମୁଖ ସହରରେ ଦେଖିବାକୁ ମିଳିଛି।

ବାଇକ୍ ଚାଳକଙ୍କୁ ଅଟକାଉଛନ୍ତି ବିକ୍ଷୋଭକାରୀ

୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଓଡ଼ିଶାର ପ୍ରମୁଖ ସହରରେ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ଏବଂ କଟକ ସମେତ ସମ୍ବଲପୁର, ବ୍ରହ୍ମପୁର, ଭଦ୍ରକ, ପୁରୀ, ବାଲେଶ୍ୱର, ବାରିପଦା ଆଦି ଜିଲ୍ଲାରେ ବନ୍ଦର ପ୍ରଭାବ ପଡ଼ିଥିଲା।

ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ରାସ୍ତାରୋକ କରିଥିଲେ। ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ ଆନ୍ଦୋଳନକାରୀ। ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଛକ ଜୟଦେବ ବିହାର, ବରମୁଣ୍ଡା, କଳିଙ୍ଗ ହସ୍ପିଟାଲ, ରସୁଲଗଡ଼, ଏଜି ଛକ, ମାଷ୍ଟରକ୍ୟାଣ୍ଟିନ ଛକରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଥିଲେ।

ବସ୍ ନଥିବାରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଯାତ୍ରୀ ଭୋଗୁଛନ୍ତି ଦୁର୍ଦ୍ଦଶା

ରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥରେ ଶହ ଶହ ମାଲବାହୀ ଟ୍ରକ, ଯାତ୍ରୀବାହୀ ବସ୍ ଅଟକି ରହିଥିଲା। ଯେଉଁ ଅଟୋ ଚାଳକମାନେ ଯାତ୍ରୀଙ୍କୁ ଉଠାଉଥିଲେ ସେମାନଙ୍କୁ ଆନ୍ଦୋଳନକାରୀମାନେ ଘଉଡ଼ାଉଥିଲେ।

ସେହିପରି କଟକରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିଲା। ପ୍ରେସଛକ, ବାଦାମବାଡ଼ି, ବକ୍ସିବଜାର ଆଦି ଅଞ୍ଚଳରେ ଆନ୍ଦୋଳନକାରୀମାନେ ରାସ୍ତାରୋକ କରିଥିଲେ। ଫଳରେ ଯାତ୍ରୀମାନେ ଅସୁବିଧା ଭୋଗିଥିଲେ।

ରାଜପଥରେ ଅଟକି ରହିଛି ଟ୍ରକ

ଶ୍ରୀକ୍ଷେତ୍ର ପୁରୀରେ ବି ବନ୍ଦର ପ୍ରଭାବ ପଡ଼ିଛି। ଶ୍ରମିକ ସଙ୍ଗଠନ ପକ୍ଷରୁ ବଡ଼ଦାଣ୍ଡରେ ରାଲି ଏବଂ ଶୋଭାଯାତ୍ରା କରାଯିବାରୁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା। ଦୋକାନ, ବଜାର ବନ୍ଦ ରହିଥିଲା। ଫଳରେ ପୁରୀକୁ ଆସିଥିବା ପର୍ଯ୍ୟଟକ ହଇରାଣ ହୋଇଥିଲେ।

ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର, ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁର, ଉତ୍ତର ଓଡ଼ିଶାର ପ୍ରମୁଖ ସହର ବାରିପଦା ଏବଂ ବାଲେଶ୍ୱରରେ ବି ବନ୍ଦର ପ୍ରଭାବ ଜୋରଦାର ରହିଥିଲା। ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ, କଲେଜ ଛୁଟି ଘୋଷଣା କରିଥିଲେ। ସନ୍ଧ୍ୟା ୬ଟା ପରେ ଜନଜୀବନ ସ୍ୱାଭାବିକ ହୋଇଥିଲା।

ପୁରୀରେ ବନ୍ଦର ପ୍ରଭାବ

ବୁଧବାର ମଧ୍ୟ କେନ୍ଦ୍ରୀୟ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ସର୍ବନିମ୍ନ ମଜୁରୀ ମାସିକ ୨୫ ହଜାର ଟଙ୍କା, ଶ୍ରମିକ ବିରୋଧୀ ଶ୍ରମ ଆଇନରେ ସଂଶୋଧନ ବାତିଲ, ସରକାର ନିର୍ଦ୍ଧାରଣ କରିଥିବା ସର୍ବନିମ୍ନ ମଜୁରୀ କଡ଼ାକଡ଼ି ଲାଗୁ, ସ୍ଥାୟୀ କାର୍ଯ୍ୟରେ ଅସ୍ଥାୟୀ ନିଯୁକ୍ତି ବନ୍ଦ, ସମାନ କାମକୁ ସମାନ ଦରମା, ଦରଦାମ ନିୟନ୍ତ୍ରଣ, ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ, ଶ୍ରମ ବିଭାଗରେ ଖାଲି ପଦବୀ ତୁରନ୍ତ ପୂରଣ, ବିଭିନ୍ନ ବର୍ଗର ଶ୍ରମିକଙ୍କୁ ଇଏସ୍‌ଆଇ, ଇପିଏଫ୍, ପେନସନ୍ ବଳୟ ମଧ୍ୟକୁ ଆଣିବା, ପୁରୁଣା ପେନସନ ନୀତି ଲାଗୁ କରିବା, ବେକାରୀ ଭତ୍ତା ଆଦି ଦାବି ନେଇ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି।

ଏହି ଆନ୍ଦୋଳନରେ ଏଆଇୟୁଟିୟୁସି ସମେତ ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସାମିଲ ହୋଇଥିଲେ।

Comment