ମାଲକାନଗିରିରୁ ଇଶ୍ୱର ପଟନାୟକ

winter

ଗୋଟେ ପଟେ ଅତ୍ୟଧିକ ଶୀତ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅନ୍ୟପଟେ ଏହି ଶୀତକୁ ଉପଭୋଗ କରୁଛନ୍ତି ମାଲକାନଗିରିବାସୀ।

ପ୍ରକୃତିର ରୌଦ୍ର ରୂପକୁ ଖରା ଦିନେ ଖୁବ୍‌ ନିକଟରୁ ଦେଖି ଆସିଛନ୍ତି ମାଲକାନଗିରିବାସୀ। ହେଲେ ଶୀତର ଲହରୀରେ ପ୍ରକୃତି ଯେ ଏତେ ସୁନ୍ଦର ରୂପ ଧାରଣ କରିପାରେ ତାହା ଥିଲା ଏହି ଅଞ୍ଚଳବାସୀଙ୍କୁ ଅଜଣା।

winter

ସକାଳୁ ସକାଳୁ ଘନ କୁହୁଡ଼ି ସାଙ୍ଗକୁ ଶୀତର କାକର, ଫୁଲ ଉପରେ ହୀରା ପରି ଦିଶେ। ତେବେ ସକାଳ ସମୟରେ ସହରରେ ବିଭିନ୍ନ ବର୍ଗର ଦୃଶ୍ୟ ଦେଖିବାକୁ ମିଳେ।

କିଏ ମର୍ଣ୍ଣିଂ ୱାକ୍‌ରେ ବାହାରି ଶୀତର ମଜା ନେଉଛି ତ କିଏ ନିଆଁ ପୋଇଁ ନିଜକୁ ଉଷୁମ କରୁଛି। କେଉଁଠି ଚା’ ଦୋକାନରେ କପେ ଗରମ ଚାହା ସହ ଗପର ପେଡ଼ି ଖୋଲୁଛି ତ ଆଉ କେଉଁଠି ଶୀତକୁ ନେଇ ଅସ୍ତବ୍ୟସ୍ତ ହେଉଛି ଜୀବନଯାତ୍ରା। ତେବେ ମାଲକାନଗିରିରେ ପ୍ରଥମ ଥର ପାଇଁ ଏପରି ଶୀତ ଅନୁଭୂତ ହେଉଥିବାରୁ ଲୋକେ ଏହାକୁ ସ୍ୱାଗତ କରିବା ସହ ପ୍ରକୃତିର ନୂଆ ରୂପକୁ ମନଭରି ଉପଭୋଗ ମଧ୍ୟ କରିଛନ୍ତି।

winter

ଅନ୍ୟପଟେ ମାତ୍ରାଧିକ ଶୀତ ଯୋଗୁଁ ସକାଳ ୯ଟା ଯାଏଁ କୁହୁଡ଼ିର ଚାଦର ସହରକୁ ଢାଙ୍କି ରଖିଛି। ଏଥିସହ ସହରର ଆଦିବାସୀ ଓ ଶ୍ରମିକ ଶ୍ରେଣୀର ଲୋକେ ଚାଳ ଛପର ଘରେ ରହୁଥିବାରୁ ଏହି ଶୀତକୁ ସହ୍ୟ କରି ନପାରି ନିଆଁ ଓ ଖରାର ସହାୟତା ନେଉଛନ୍ତି। ପ୍ରକୃତିର ରୂପ ଅନେକଙ୍କୁ ଆକୃଷ୍ଟ କରୁଥିବା ବେଳେ ଏହା ଅନେକଙ୍କ ପାଇଁ ଅସୁବିଧା ମଧ୍ୟ ସୃଷ୍ଟି କରିଛି। ହେଲେ ଏକଥାକୁ କେହି ମନା କରିପାରିବେନି କି ଏତେ ବର୍ଷରେ ପ୍ରଥମ ଥର ସତେ ଯେମିତି ମାଲକାନଗିରି ସହର କାଶ୍ମୀର ପାଲଟିଯାଇଛି।

Comment