ଓଡ଼ିଶାଲାଇଭ୍‌ ବ୍ୟୁରୋ

Berhmpur Gosani Nuagaon Murder Caseବ୍ରହ୍ମପୁରର ଲୋମଟାଙ୍କୁରା କାହାଣୀ – ହତାଶିଆ ପ୍ରେମିକ ପାଲଟିଲା ହତ୍ୟାକାରୀ।

ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଜଣେ ଯୁବକ ନୃଶଂସ କାଣ୍ଡ ଘଟାଇଛି। ମହିଳାଙ୍କ ୭ ବର୍ଷର ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛି।

ଏହି ନୃଶଂସ କାଣ୍ଡ ଘଟାଇଥିବା ଯୁବକ ଜଣ ହେଉଛନ୍ତି ଯାଜପୁର ଅଞ୍ଚଳର ଦେବାଶିଷ ପଣ୍ଡା। ଘଟଣାର ୪ ଦିନ ପରେ ଦେବାଶିଷକୁ ଗିରଫ କରିଛି ପୋଲିସ।

ଫେସ୍‌ବୁକ୍‌ରେ ଫ୍ରେଣ୍ଡସିପ୍

ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଅଞ୍ଚଳରେ ୭ ବର୍ଷର ପୁଅ ସହ ଭଡ଼ା ଘରେ ରହୁଥିଲେ ଜଣେ ମହିଳା। ଏହି ମହିଳାଙ୍କୁ ଯାଜପୁର ଅଞ୍ଚଳର ଦେବାଶିଷ ପ୍ରଥମେ ଫେସ୍‌ବୁକ୍‌ରେ ଫ୍ରେଣ୍ଡସିପ୍ ରିକୁଏଷ୍ଟ ପଠାଇଥିଲେ। ଏହାକୁ ଗ୍ରହଣ କରିଥିଲେ ମହିଳା ଜଣକ।

ଫେସ୍‌ବୁକ୍‌ରୁ ଆରମ୍ଭ ହୋଇଥିବା ବନ୍ଧୁତା ପରେ ଭାଇ-ଭଉଣୀର ସମ୍ପର୍କ ନେଇଥିଲା। ଏହାର ସୁଯୋଗରେ ଦେବାଶିଷ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା।

ଏହି ଭାଇ-ଭଉଣୀର ସମ୍ପର୍କ ଭିତରେ ଦେବାଶିଷ ମନ ଭିତରେ ସଇତାନ ମନୋଭାବ ଲୁଚି ରହିଥିଲା। ଶେଷରେ ଯେଉଁ ମହିଳାଙ୍କୁ ଭଉଣୀ କରିଥିଲା ତାଙ୍କୁ ପ୍ରେମ ନିବେଦନ କରିଥିଲା ଦେବାଶିଷ। ହେଲେ ଏହାକୁ ଗ୍ରହଣ କରି ନଥିଲେ ମହିଳା।

ଇପ୍‌ସିତ ଇଚ୍ଛା ଦେବାଶିଷର ପୂରଣ ନହେବାରୁ ମହିଳାଙ୍କ ଉପରେ ପ୍ରତିଶୋଧ ନେବାକୁ ଉପାୟ ପାଞ୍ଚିଲା ଦେବାଶିଷ। ଶେଷରେ ମହିଳାଙ୍କ ୭ ବର୍ଷର ପୁଅକୁ ଜୀବନରୁ ମାରିଦେବାକୁ ଯୋଜନା ପ୍ରସ୍ତୁତ କଲା। ଏହି ଯୋଜନାରେ ସଫଳ ମଧ୍ୟ ହେଲା ଦେବାଶିଷ।

ପଥରରେ ଛେଚି ନିର୍ମମ ହତ୍ୟା

ଗତ ୧୨ ତାରିଖର ଘଟଣା। ସ୍କୁଲରେ ଛାଡ଼ିଦେବା ବାହାନାରେ ୭ ବର୍ଷର ପୁଅକୁ ତାରାତାରିଣୀ ପାହାଡ଼କୁ ନେଇଯାଇଥିଲା ଦେବାଶିଷ। ସେଠାରେ ତାକୁ ପଥରରେ ଛେଚି ନିର୍ମମ ହତ୍ୟା କରିଥିଲା। ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲା।

ଏପଟେ ପୁଅ ନିଖୋଜ ନେଇ ଗୋଷାଣୀ ନୂଆଗଁ ଥାନାରେ ଏତଲା ଦେଇଥିଲେ ମହିଳା। ପୋଲିସ ଅଭିଯୁକ୍ତର ମୋବାଇଲ ଟ୍ରାକ କରି ସୋନପୁର ଡୁଙ୍ଗୁରିପାଲିରୁ ଗିରଫ କରିଛି।

Comment