ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାରୁ ଆସିଲା ହୃଦୟବିଦାରକ ଚିତ୍ର।
ମରିଗଲାଣି ମାନବିକତା। ମଣିଷ ଆରପାରିକୁ ଚାଲିଗଲେ ବି ମଶାଣିକୁ ନେବାକୁ ଚାରିକାନ୍ଧ ମିଳୁନି। ଏମିତି ଏକ ଅଭାବନୀୟ ଚିତ୍ର ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି। ଜଣେ ବିଧବା ମହିଳାଙ୍କ ମୃତଦେହ ଉଠାଇବା ପାଇଁ ଗାଁ ଲୋକେ ନଆସିବାରୁ ଶେଷରେ ପୁଅ ନିଜ ସାଇକେଲରେ ମା’ର ଶବକୁ ବୋହିଛି।
ସାଇକେଲରେ ମା’ର ଶବକୁ ପୁଅ ଲଦି ଗାଁଠାରୁ ୪ କିଲୋମିଟର ଦୂର ଜଙ୍ଗଲରେ ଶେଷକୃତ୍ୟ ସମ୍ପନ୍ନ କରିଛି।
ସୁନ୍ଦରଗଡ଼ ଜିଲ୍ଲା କରପବାହାଲ ଗାଁର ଘଟଣା। ୪୫ ବର୍ଷିୟା ଜାନକୀ ସିଂହାନିଆ ୧୭ ବର୍ଷର ପୁଅ ସହ ରହୁଥିଲା। ବୁଧବାର ଦିନ ଜାନକୀ ପାଣି ଆଣିବାକୁ ଘର ପାଖ ନଳକୂଅକୁ ଯାଇଥିଲେ। ହେଲେ ପାଦ ଖସିଯିବାରୁ ଜାନକୀ ତଳେ ପଡ଼ିଯାଇ ପ୍ରାଣ ହରାଇଥିଲେ।
ଖବର ପାଇ ଜାନକୀଙ୍କ ପୁଅ ଘରୁ ବାହାରି ଆସିଥିଲେ। ମା’ ଆରପାରିକୁ ଚାଲି ଯାଇଥିବାରୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମା’ର ଶେଷକୃତ୍ୟ ସମ୍ପନ୍ନ ପାଇଁ ପୁଅ ଗାଁ ଲୋକଙ୍କୁ ଡାକିଥିଲା। ହେଲେ ଗାଁ ଲୋକେ ଶବ ଉଠାଇବାକୁ ମନା କରିଦେଇଥିଲେ।
ଜାନକୀ ଛୋଟ ଜାତି ହୋଇଥିବାରୁ ଏବଂ ସେ ଗାଁରୁ ସାମାଜିକ ବାସନ୍ଦ ହୋଇଥିବାରୁ ଚାରିକାନ୍ଧ ଦେବାକୁ ମନା କରି ଦେଇଥିଲେ ଗ୍ରାମବାସୀ। ଶେଷରେ ମୃତ ଜାନକୀଙ୍କ ପୁଅ ମନରେ ସାହସ ବାନ୍ଧିଲା।
ଏକୁଟିଆ ମା’ର ଶବକୁ ନିଜ ସାଇକେଲ ପଛରେ ବାନ୍ଧି ଏକ ଚାଦର ଘୋଡ଼ାଇ ଗାଁଠାରୁ ୪ କିଲୋମିଟର ଦୂର ଜଙ୍ଗଲକୁ ଆଣିଥିଲା। ଏକୁଟିଆ କାଠ ସଂଗ୍ରହ କରି ମା’ଙ୍କୁ ମୁଖାଗ୍ନି ଦେଇଥିଲା ପୁଅ।
ଜାନକୀ ଗତ ୧୦ ବର୍ଷ ତଳେ ବିବାହ କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଗତ କିଛି ବର୍ଷ ତଳେ ଆରପାରିକୁ ଚାଲି ଯାଇଥିଲେ। ପୁଅ ସହିତ ରହୁଥିଲେ ଜାନକୀ।
ଜଣେ ଅସହାୟ ବିଧବା ମହିଳାଙ୍କୁ ମଶାଣିକୁ ନେବା ପାଇଁ ଚାରିକାନ୍ଧ ନମିଳିବା ଖବର ବିଜୁଳି ବେଗରେ ପ୍ରଚାର ହୋଇଯିବାରୁ ପ୍ରଶାସନର ନିଦ ଭାଙ୍ଗି ଯାଇଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କୁ ପଚରା ଉଚରା କରି ଫେରିଛି।
ଏମିତି ଘଟଣା କେତେ ଘଟିବ?
ସୁନ୍ଦରଗଡ଼ ଜିଲ୍ଲାର ଏହି ହୃଦୟବିଦାରକ ଘଟଣା କିଛି ନୂଆ ନୁହେଁ। ଏହା ପୂର୍ବରୁ ଅନେକ ଛାତିଥରା ଘଟଣା ଘଟିଛି। ହେଲେ ଲୋକଙ୍କ ମାନସିକତା ବଦଳୁନି।
ଗତବର୍ଷ ଗଜପତି ଜିଲ୍ଲାରେ ଜଣେ ୭ ବର୍ଷିୟ ଝିଅର ଶବକୁ ଉଠାଇବା ପାଇଁ ଗାଁ ଲୋକେ ମନା କରିଦେବା ପରେ ବାପା ବୋହିଥିଲା ଝିଅର ଶବ।
୨୦୧୮ ଅଗଷ୍ଟ ୨ରେ ମଧ୍ୟ ବୌଦ୍ଧ ଜିଲ୍ଲାରେ ଘଟିଥିଲା ଏମିତି ଘଟଣା। ଶବ ଉଠାଇବାକୁ ଗାଁ ଲୋକେ ମନା କରିଦେବା ପରେ ଶେଷରେ ଭିଣୋଇ ଶାଳୀର ଶବକୁ ସାଇକେଲରେ ବୋହିଥିଲା।
୨୦୧୬ରେ କଳାହାଣ୍ଡି ଜିଲ୍ଲାର ଦାନ ମାଝି ଘଟଣା ଏବେ ବି ଲୋକଙ୍କ ପନରୁ ଯାଇନି। ସରକାରୀ ସୁବିଧା ନମିଳିବାରୁ ଦାନ ମାଝି ନିଜ ସ୍ତ୍ରୀର ଶବକୁ କାନ୍ଧରେ ୧୨ କିଲୋମିଟର ବୋହି ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥିଲା।








ସୁନ୍ଦରଗଡ଼ ଜିଲ୍ଲାରୁ ଆସିଲା ହୃଦୟବିଦାରକ ଚିତ୍ର।







