ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାସନ୍ଦକୁ ଡରି ଗର୍ଭବତୀ ଝିଅକୁ ଛୁଇଁଲାନି ମା’, ସହାୟ ହେଲେ ବ୍ରାହ୍ମଣକୁଳର ଆଶାକର୍ମୀ

ଜଙ୍ଗଲ ଭିତରେ ରାତିବେଳା ଯନ୍ତ୍ରଣାରେ ଚିତ୍କାର କରୁଥିଲେ ପ୍ରସବ ବେଦନା ଭୋଗୁଥିବା ଜଣେ ଆଦିବାସୀ ମହିଳା ଗୌରୀ। ସାମାଜିକ ବାସନ୍ଦର ଭୟ ଏତେ ଥିଲା, ଗାଁର କେହି ଜଣେ ବି ମହିଳା ଗୌରୀଙ୍କ ପାଖ ମାଡ଼ିଲେ ନାହିଁ। ଏପରିକି ଗୌରୀଙ୍କ ସାବତ ମା’ ମଧ୍ୟ ବାସନ୍ଦର ଗାର ଡେଇଁବାର ସାହସ କରିପାରି ନଥିଲେ। କିନ୍ତୁ ଜାତି ଆଗରେ କର୍ତ୍ତବ୍ୟକୁ ବଡ଼ ଭାବି ଜଣେ ବ୍ରାହ୍ମଣ କୁଳର ଆଶାକର୍ମୀ ସେଠାରେ ପହଞ୍ଚି ଗୌରୀଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଅତ୍ୟାଧୁନିକ ଭାରତରେ ସାମାଜିକ ବ୍ୟବସ୍ଥାର ଏଭଳି ବିଡ଼ମ୍ବିତ ଚିତ୍ର ଏବେ ମଧ୍ୟ ଦେଖିବାକୁ ମିଳୁଛି ଯେଉଁଠି ସାମାଜିକ ବାସନ୍ଦର ତିନି ଗାର ଡେଇଁବାକୁ ସାହସ କରିପାରୁନି ମାନବିକତା। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଚିତ୍ର।

ପ୍ରେମ ବିବାହ ପାଇଁ ଗାଁରୁ ବାସନ୍ଦ ହେଲେ ଦମ୍ପତି

ଦୁଇବର୍ଷ ତଳେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‍ ଦଳପତିଗୁଡ଼ା ପଞ୍ଚାୟତ କମାରଗୁଡ଼ାର ଗୌରୀ କମାରଙ୍କୁ ପ୍ରେମବିବାହ କରିଥିଲେ କେନ୍ଦୁଗୁଡ଼ା ଗ୍ରାମର ତ୍ରିଲୋଚନ ପୂଜାରୀ। ପୂଜାରୀ ସମ୍ପ୍ରଦାୟର ପୁଅ କମାର ଘର ଝିଅକୁ ବାହା ହୋଇଥିବାରୁ ତାକୁ ବୋହୂ ଭାବେ ଗ୍ରହଣ କରିବା ପାଇଁ ପରିବାର ଲୋକଙ୍କୁ ବାରଣ କରିଥିଲେ ଗ୍ରାମବାସୀ। ଗାଁରେ ନିଶାପ ବସିଲା। ମୁରବୀ ଲୋକେ କହିଲେ- ଝିଅକୁ ଟଙ୍କା ଦେଇ ଛାଡ଼ିଦେଉ ତ୍ରିଲୋଚନ। ଏଥିରେ କିନ୍ତୁ ତ୍ରିଲୋଚନ ରାଜି ହେଲେନାହିଁ।

ପରିଣତିରେ ତାଙ୍କୁ ଗାଁରୁ ବାସନ୍ଦ କରି ତଡ଼ିଦିଆଗଲା। ତାଙ୍କ ସହ ପରିବାର ଲୋକେ ସମ୍ପର୍କ ନରଖିବା, ଏପରିକି ସେମାନଙ୍କୁ ନ ଛୁଇଁବା ପାଇଁ ମଧ୍ୟ ଫତୱା ଜାରି କରିଦେଲେ ଗାଁ ମୁରବୀ। ବାଧ୍ୟହୋଇ ତ୍ରିଲୋଚନ ଓ ଗୌରୀ ଗାଁରୁ ଦୂର ଜଙ୍ଗଲ ନିକଟରେ ଚାଳିଆ କରି ରହୁଥିଲେ।

ବାସନ୍ଦକୁ ଡରି ଗର୍ଭବତୀ ଝିଅକୁ ବି ଛୁଇଁଲାନି ମା’

ଅଗଷ୍ଟ ୨୧ ତାରିଖ ସୋମବାର। ସ୍ୱାମୀ ତ୍ରିଲୋଚନ ନଥିବା ବେଳେ ଗର୍ଭବତୀ ଥିବା ଗୌରୀଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ପ୍ରବଳ ଯନ୍ତ୍ରଣାରେ ସେ ଚିତ୍କାର କରୁଥିବା ବେଳେ ସେଠି ଜମା ହୋଇଥିଲେ ଗାଁ ଲୋକ। କିନ୍ତୁ ବାସନ୍ଦ ହେବା ଭୟରେ କେହି ଜଣେ ହେଲେ ଗୌରୀଙ୍କୁ ଛୁଇଁ ନଥିଲେ। ଏପରିକି ପାଖରେ ଥିବା ସାବତ ମା’ ରତନା ମଧ୍ୟ ଝିଅକୁ ପାଣି ଟୋପେ ଦେବାକୁ ସାହସ କରିନଥିଲେ। ସାମାଜିକ ବାସନ୍ଦ ହେବାର ଭୟ ଏତେ ଥିଲା ଯେ, ତା’ରି ତଳେ ଚାପିହୋଇଯାଇଥିଲା ଗାଁ ଲୋକଙ୍କ ମାନବିକତା। ଅସହ୍ୟ ଯନ୍ତ୍ରଣା ଭିତରେ ସେହି ଜଙ୍ଗଲ ଭିତରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ ଗୌରୀ।

ଜାତି ଆଗରେ କର୍ତ୍ତବ୍ୟକୁ ବଡ଼ ଭାବିଲେ ବ୍ରାହ୍ମଣ କୁଳର ଆଶା କର୍ମୀ

ଏ ଖବର ଗାଁର ଆଶା କର୍ମୀ ବିଜୟଲକ୍ଷ୍ମୀ ତ୍ରିପାଠୀଙ୍କ ପାଖରେ ପହଞ୍ଚିଲା। ସେ ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦେଲେ। ବିଜୟଲକ୍ଷ୍ମୀ ବ୍ରାହ୍ମଣ କୁଳର ହୋଇ ମଧ୍ୟ ଜାତି ଆଗରେ କର୍ତ୍ତବ୍ୟ ତାଙ୍କୁ ବଡ଼ ବୋଲି ମନେହେଲା। ୨ କିମି ବାଟ ଚାଲିଚାଲି ସେ ଗୌରୀଙ୍କ ପାଖରେ ପହଞ୍ଚିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଗୌରୀ ଓ ତାଙ୍କ ନବଜାତଙ୍କୁ ନେଇ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ବିଜୟଲକ୍ଷ୍ମୀ। ତାଙ୍କର ଏଭଳି କାର୍ଯ୍ୟକୁ ମାଲକାନଗିରି ଜିଲ୍ଲାର ସବୁ ମହଲ ପ୍ରଶଂସା କରିବା ସହ ତାଙ୍କୁ ପ୍ରଶାସନ ପୁରସ୍କୃତ କରୁ ବୋଲି ଦାବି କରିଛନ୍ତି ବୁଦ୍ଧିଜୀବୀ।

ଅନ୍ୟପକ୍ଷରେ ସାମାଜିକ ବାସନ୍ଦ ନାଁରେ ଏଭଳି ଅମାନବିକତାର ସବୁ ସ୍ତରରେ ନିନ୍ଦା କରାଯାଇଛି। ପ୍ରଶାସନ ଏ ଦିଗରେ କେବଳ ଆଇନଗତ ନୁହେଁ, ସାମାଜିକ ସ୍ତରରେ ସଂସ୍କାର ଆଣିବା ପାଇଁ ପଦକ୍ଷେପ ନେଉ ବୋଲି ବୁଦ୍ଧିଜୀବୀ ମହଲ ମତ ରଖିଛନ୍ତି।

Tags: Pregnant Lady, Asha Workers, Social Issue, Pregnancy, Asha Karmi, Bijayalaxmi Tripathy, Gouri, Ambulance, Safe Motherhood, Social Outcast,

Comment