ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ମହାମାରୀ ପରିଚାଳନାକୁ ଗୁରୁତ୍ୱ ଦେଇଛନ୍ତି ବିଏମସି କମିସନର ତଥା ବରିଷ୍ଠ ଆଇଏଏସ୍ ଅଫିସର ସଞ୍ଜୟ କୁମାର ସିଂ। ଏଣିକି ଭୁବନେଶ୍ୱରରେ କୋଭିଡ୍ ଆକ୍ରାନ୍ତଙ୍କୁ ତୁରନ୍ତ ଆମ୍ଭୁଲାନ୍ସ ଯୋଗାଇ ଦିଆଯିବ। ଫୋନକଲ୍ ଆସିବା ମାତ୍ରେ ତୁରନ୍ତ ରୋଗୀଙ୍କ ପାଖରେ ପହଞ୍ଚିବ ଆମ୍ବୁଲାନ୍ସ। ଡକ୍ତରଖାନା ସମ୍ମୁଖରେ କେଉଁ ରୋଗୀଙ୍କୁ କେତେ ସମୟ ଅପେକ୍ଷା କରିବାକୁ ପଡ଼ୁଛି, ତା’ଉପରେ ନଜର ରଖାଯିବ। ଏଥିପାଇଁ କୋଭିଡ୍ ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଉଥିବା ଆମ୍ବୁଲାନ୍ସରେ ଜିପିଏସ୍ ଲଗେଇବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି କମିସନର। ଜିପିଏସ୍ ଲାଗିବା ଦ୍ୱାରା ସହଜରେ ଆମ୍ବୁଲାନ୍ସକୁ ଟ୍ରାକିଂ କରାଯାଇପାରିବ।

କୋଭିଡ୍ କେୟାର ହସ୍‌ପିଟାଲ୍‌(ସିସିଏଚ୍) ଏବଂ କୋଭିଡ୍ କେୟାର ସେଣ୍ଟର(ସିସିସି)କୁ ପଠାଇବା ପାଇଁ ଭୁବନେଶ୍ୱରରେ ସମୁଦାୟ ୬୪ଟି ଆମ୍ବୁଲାନ୍ସ ରହିଛି। ଏଥିମଧ୍ୟରୁ ୪୦ଟିରେ ଜିପିଏସ୍ ସଂଯୋଗ ହୋଇ ସାରିଥିବାବେଳେ ଅନ୍ୟଗୁଡିକରେ ଅଳ୍ପ ଦିନରେ ଜିପିଏସ୍ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିସନର। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଦ୍ୱାରା ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।୧୯୨୯ ଟୋଲଫ୍ରି ନମ୍ବରରେ କଲ୍ ଆସିବା ପରେ, ଆକ୍ରାନ୍ତଙ୍କ ସ୍ଥିତି ଦେଖି ତାଙ୍କୁ ସିସିସି କିମ୍ବା ସିସିଏଚ୍‌କୁ ପଠାଯାଉଛି। କିନ୍ତୁ ଏବେ ଏହି ସେବାକୁ ଆହୁରି ଶୀଘ୍ର କରିବା ପାଇଁ ପ୍ରକ୍ରିୟା ଚାଲୁ ରହିଛି। ବର୍ତ୍ତମାନ ପ୍ରତ୍ୟେକ ଜୋନ୍‌ରେ ତିନୋଟି ଲେଖାଁଏ ଆମ୍ବୁଲାନ୍ସ ଦିଆଯାଇଛି। ଏହା ସାଙ୍ଗକୁ ଆହୁରି ସାତଟି ଆମ୍ବୁଲାନ୍ସ ପ୍ରତ୍ୟେକ ଜୋନ୍‌କୁ ଦିଆଯାଇ ପ୍ରତ୍ୟେକ ଜୋନ୍‌ରେ ଅନ୍ୟୁନ ଦଶଟି ଆମ୍ବୁଲାନ୍ସ ରହିବ ବୋଲି ବିଏମ୍‌ସି କମିସନର କହିଛନ୍ତି।

ଜୋନାଲ୍ କଣ୍ଟ୍ରୋଲ ରୁମରେ ଜଣେ ଓଆରଏସ୍ ଅଫିସର, ଜଣେ ଓଏଏସ୍‌, ଜଣେ ଡିଇଓ ରହି ଏହି ଏହି କାର୍ଯ୍ୟ କରିବେ। ଏଥିସହ ବଳକା ୩୪ଟି ଆମ୍ବୁଲାନ୍ସ କ୍ୟାପିଟାଲ୍ ହସ୍ପିଟାଲର ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ୍‌ରେ ରହିବ । ଏହାର ସଂଯୋଗକାରୀ ଭାବେ ଜଣେ ଓଏଏସ୍ ଅଫିସର ରହିବେ। ତାଙ୍କ ସହିତ ଆୟୁଷ ଡାକ୍ତର, ଏଏସ୍‌ଓ ଏବଂ ଡିଇଓ ମଧ୍ୟ ରହିବେ। ଏହି ପଦକ୍ଷେପ ଦ୍ୱାରା କମ୍ ସମୟ ମଧ୍ୟରେ କୋଭିଡ୍ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯିବ କହିଛି ବିଏମ୍‌ସି।

LEAVE A REPLY

Please enter your comment!
Please enter your name here