ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାରେ ଯୋଡ଼ି ହୋଇଛି ଆଉ ୪୨ଟି ଆମ୍ବୁଲାନ୍ସ। ଭୁବନେଶ୍ୱରସ୍ଥିତ ରାଜ୍ୟ ପରିବହନ ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ପତାକା ଦେଖାଇ ଏହି ଆମ୍ବୁଲାନ୍ସସେବା ଶୁଭାରମ୍ଭ କରିଛନ୍ତି।

“୧୦୮ ଆମ୍ବୁଲାନ୍ସ ସେବାରେ ରାଜ୍ୟ ସରକାର ଆଜି ୪୨ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିଛନ୍ତି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ସେବାକୁ ଅଗ୍ରାଧିକାର ଦିଆଯିବ। ଯେଉଁ ସ୍ଥାନରେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ ସେଠାରେ ରୋଗୀ ଏବଂ ଗର୍ଭବତୀ ମହିଳାମାନଙ୍କ ପାଇଁ ମା’ ଘରର ବ୍ୟବସ୍ଥା କରାଯାଇଛି। ଯାତାୟାତର ସୁବିଧା ନଥିବା ଦୁର୍ଗମ ଅଞ୍ଚଳର ରେଗୀମାନଙ୍କପାଇଁ ଯାତାୟାତ ଖର୍ଚ୍ଚ ମଧ୍ୟ ଦିଆଯିବାର ବ୍ୟବସ୍ଥା ରହିଛି,” କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା।

ରାଜ୍ୟରେ ୨୦୧୩ରେ ୧୦୮ ଆମ୍ବୁଲାନ୍ସସେବା ଆରମ୍ଭ ହଇଥିଲା। ବର୍ତ୍ତମାନ ସୁଦ୍ଧା ୪୭୦ଟି ଆମ୍ବୁଲାନ୍ସ ରାଜ୍ୟର ପ୍ରତ୍ୟକ ଜିଲ୍ଲାରେ ଲୋକଙ୍କୁ ମାଗଣାରେ ସେବା ଯୋଗାଇ ଆସୁଛି। ଏହି ୪୭୦ଟି ୧୦୮ ଆମ୍ବୁଲାନ୍ସ ମଧ୍ୟରୁ ୪୧୪ଟି ମୌଳିକ ଜୀବନ ରକ୍ଷା ସେବା ଏବଂ ୫୬ଟି ଉନ୍ନତ ଜୀବନ ରକ୍ଷା ସେବା ପାଇଁ ଉଦ୍ଦିଷ୍ଟ।

ଏହି ଆମ୍ବୁଲାନ୍ସ ସେବା ବ୍ୟତିତ ଗର୍ଭବତୀ ମା’ ଏବଂ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ନିମନ୍ତେ ରାଜ୍ୟରେ ୫୦୦ଟି ୧୦୨ ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି। ଆଦିବାସୀ ଜିଲ୍ଲାମାନଙ୍କରେ ସେବାକୁ ଅଧିକ ପ୍ରସାରିତ କରିବା ପାଇଁ ୪୨ଟି ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାର ଏହି ଆମ୍ବୁଲାନ୍ସ ପାଇଁ ୫ ବର୍ଷ ନିମନ୍ତେ ୯୦ କୋଟି ଟଙ୍କାର ବ୍ୟବସ୍ଥା ରହିଅଛି। ଗତ ଜୁଲାଇ ମାସରେ ୨୬ଟି ଆମ୍ବୁଲାନ୍ସ ୧୦୮ ଆମ୍ବୁଲାନ୍ସ ସେବାରେ ଯୋଡ଼ି ହୋଇଥିଲା।

Comment