ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଭାରତ। ଅଷ୍ଟ୍ରେଲିଆରେ ଚାଲିଥିବା ଦିନିକିଆ ସିରିଜରେ କଙ୍ଗାରୁ ଦଳକୁ ୭ ୱିକେଟରେ ହରାଇ ଭାରତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ବାଜିମାତ କରିଛି। ମହେନ୍ଦ୍ର ସିଂହ ଧୋନୀଙ୍କ ଅପରାଜିତ ୮୭ ରନ, କେଦାର ଯାଦବଙ୍କ ଅପରାଜିତ ୬୧ ରନ ସଂଗ୍ରହ କରି ଦଳକୁ ବିଜୟର ସ୍ଵାଦ ଚଖାଇଛନ୍ତି। ୟୁଜବେନ୍ଦ୍ର ଚହଲଙ୍କ ବୋଲିଂ ବି ଦଳକୁ ସିରିଜ ଜିତିବାରେ ସହାୟକ ହୋଇଛି। ଆଜିର ମ୍ୟାଚରେ ଚହଲ ୬ଟି ୱିକେଟ ହାସଲ କରି ଦଳକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଶୁକ୍ରବାର ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୦ ୱିକେଟରେ ୨୩୦ ରନ୍‌ କରିଥିଲା। ଭାରତ ପାଇଁ ୨୩୧ ରନ୍‌ର ଟାର୍ଗେଟ ରହିଥିଲା।

ପୂର୍ବରୁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଭାରତ ଇତିହାସ ରଚିଥିଲା।  ଏବେ ଦିନିକିଆ ସିରିଜ ବିଜୟୀ ହୋଇ ଆଉ ଏକ ଇତିହାସ ରଚିଛି ଭାରତ। ପୂର୍ବରୁ ଅଷ୍ଟ୍ରେଲିଆ ମାଟିରେ ଭାରତ ଦ୍ୱିପାକ୍ଷିକ ଦିନିକିଆ ସିରିଜ ଜିତି ନଥିଲା। ତୃତୀୟ ମ୍ୟାଚ ବା ଶେଷ ମ୍ୟାଚରେ ଭାରତ ବିଜୟ ହାସଲ କରି ଦଳ ଆଉ ଏକ ନୂଆ ରେକର୍ଡ ନିଜ ନାଁରେ କରିଛି।

ଭାରତ ବନାମ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ

ସିଡନୀ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୫ ୱିକେଟ ହରାଇ ୨୮୮ ରନ୍‌ ସଂଗ୍ରହ କରିଥିଲା କଙ୍ଗାରୁ ଦଳ। ଜବାବରେ ଭାରତୀୟ ଦଳ ୨୮୯ ରନ୍‌ର ଟାର୍ଗେଟକୁ ପିଛା କରି ୯ ୱିକେଟ ହରାଇ ୨୫୪ ରନ୍‌ କରିଥିଲା। ଏଥିସହ କଙ୍ଗାରୁ ଦଳଠାରୁ ୩୪ ରନ୍‌ରେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ। ଭାରତୀୟ ଦଳରେ ରୋହିତ ଶର୍ମା ସର୍ବାଧିକ ୧୩୩ ରନ୍‌ ସଂଗ୍ରହ କରିଥିବା ବେଳେ ଏମଏସ୍‌ ଧୋନି ୫୧ ରନ୍‌ ସଂଗ୍ରହ କରିଥିଲେ।

ଦ୍ୱିତୀୟ ମ୍ୟାଚ

ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଜବରଦସ୍ତ ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ। କର ବା ମର ମ୍ୟାଚରେ ବିରାଟ ବାହିନୀ ଘରୋଇ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଥିଲା।  ବିଜୟ ସୂଚକ ଛକା ମାରି ଭାରତକୁ ଉପହାର ଦେଇଥିଲେ ମହେନ୍ଦ୍ର ସିଂ ଧୋନି। ଏହି ରୋମାଞ୍ଚକର ମୁକାବିଲାରେ ବିଜୟ ଲକ୍ଷ୍ୟ ୨୯୯କୁ ଭାରତ ୪ ବଲ ପୂର୍ବରୁ ହାସଲ କରିନେଇଥିଲା। କୋହଲିଙ୍କ ଦମଦାର ଶତକ(୧୦୪) ଏବଂ ଧୋନିଙ୍କ ଲଢୁଆ ଇନିଂସ ସାଙ୍ଗକୁ ଅନ୍ୟ ଭାରତୀୟ ବ୍ୟାଟସ୍ୟାନଙ୍କ ଉପଯୋଗୀ ଇନିଂସ ଦଳକୁ ବିଜୟର ସ୍ୱାଦ ଚଖାଇଥିଲା।

Comment