ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉପକୂଳ ଓଡ଼ିଶାରେ ଘନ କୁହୁଡ଼ିର ଆସ୍ତରଣ ଛାଇ ରହିଛି। ସାରା ରାଜ୍ୟରେ କୁହୁଡ଼ିର ପ୍ରଭାବ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଆସନ୍ତା ୨୫ ତାରିଖ ଯାଏଁ କୁହୁଡ଼ି ଲାଗି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ଏବଂ ଗୁରୁବାର ପାଇଁ କୁହୁଡ଼ିର ସତର୍କ ସୂଚନା ଜାରି କରାଯାଇଛି। ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଲ, ଅନଗୁଳ, କନ୍ଧମାଳ ଆଦି ଜିଲ୍ଲାମାନଙ୍କରେ ସତର୍କ ସୂଚନା ଜାରି କରାଯାଇଛି।

୨୬ ଏବଂ ୨୭ ତାରିଖରେ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଏହି କୁହୁଡ଼ି ପ୍ରଭାବରେ ଯାତାୟାତ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଅନ୍ୟପକ୍ଷରେ ଘନ କୁହୁଡ଼ି ଯୋଗୁଁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ହେଉଛି। କେନ୍ଦ୍ରାପଡ଼ା ରାଜନଗର ଓ ଗୋପାଳପୁର ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ କଟକ-ଚାନ୍ଦବାଲି ରାସ୍ତାରେ ଜେଂଟିଲା ଛକରେ ବୋଲେରୋକୁ ଇଣ୍ଡିଗୋ ଧକ୍କା ଦେବା ଫଳରେ ୫ ଜଣ ଆହତ ହୋଇଛନ୍ତି।

ସେହିଭଳି କଟକ-ପାରାଦୀପ ରାସ୍ତାରେ ଆଳୁ ବୋଝେଇ ଟ୍ରକ ଏବଂ ପିକ୍‌ ଅପ୍‌ ଭ୍ୟାନ୍‌ ରାସ୍ତା ତଳକୁ ଖସି ପଡ଼ିଛି। ଏହାସହ ଚୌଦ୍ୱାର-ଟାଙ୍ଗୀ ବଇଁଚୁଆ ନିକଟରେ କୁହୁଡ଼ି ଯୋଗୁଁ ଡିଭାଇଡରରେ ପିଟି ହେଲା କାର୍‌। ଏହି ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

ଅନ୍ୟ ପକ୍ଷରେ କୁହୁଡ଼ି ପାଇଁ ଫସିଲେ ଯାତ୍ରୀ। ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱର ଏୟାର ଏସିଆର ବିମାନ ଅବତରଣ କରିନପାରି କୋଲକତା ଫେରିଯାଇଛି। ଏଥିପାଇଁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Comment