ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାର ଗୋପୀନାଥ ଚୌଧୁରୀ। ଦୀର୍ଘ ୨୦ ବର୍ଷ ହେଲା ସେ ଗଛ ଲଗାଉଛନ୍ତି। ଏ ପର୍ଯ୍ୟନ୍ତ ସେ ୧୦ ହଜାରରୁ ଅଧିକ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଗଛ ପ୍ରତି ତାଙ୍କର ଏହି ଭଲ ପାଇବା ପାଇଁ ଏବେ ଟ୍ରି ମ୍ୟାନ ଭାବେ ଗୋପୀନାଥ ପୂରା ଜିଲ୍ଲାରେ ପରିଚିତ।

ଦିନକୁ ଦିନ ବ୍ୟାପକ ଭାବେ ଗଛ କଟାଯିବା ଯୋଗୁଁ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ସହ ପରିବେଶ ସନ୍ତୁଳନ ବିଗିଡିବାରେ ଲାଗିଛି । ଫଳରେ ବିଭିନ୍ନ ସମୟରେ ମନୁଷ୍ୟକୁ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେବାକୁ ପଡୁଛି। ଏଥିପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଥିବା ବେଳେ ଗୋପୀନାଥ ଏହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି।

ରାୟଗଡ଼ା ସହରର ତ୍ରିନାଥ ମନ୍ଦିର ସାହିର ଗୋପୀନାଥ ଚୌଧୁରୀ। ମୃତ୍ତିକା ସଂରକ୍ଷଣ ବିଭାଗରେ କିରାଣୀ ଭାବେ କାମ କରୁଥିଲେ। ହେଲେ ଅବସର ଗ୍ରହଣ ପରେ ଏବେ ଗଛ ଲଗାଇବା ତାଙ୍କ ପାଇଁ ନିଶା ପାଲଟିଛି । ନିଜ ଘରେ ବିଭିନ୍ନ ଫୁଲଗଛ ସମେତ ଔଷଧୀୟ ବୃକ୍ଷର ଚାରା ତିଆରି କରି ପ୍ରତିଦିନ ସହର ତଥା ଆଖପାଖ ଅଞ୍ଚଳରେ ବୃକ୍ଷ ରୋପଣ କରି ଆସୁଛନ୍ତି । ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୨୦ ବର୍ଷ ହେଲାଣି ଗୋପୀନାଥ ରାସ୍ତାକଡ଼ରେ ଲଗାଇ ଆସୁଛନ୍ତି ଏଭଳି ହଜାର ହଜାର ଗଛ।

ଟଗର, କନିଅର, ରଙ୍ଗଣୀ ଆଦି ଫୁଲଗଛ ସାଙ୍ଗକୁ ବେଲ, ଅଁଳା, ଜାମୁକୋଳି ଭଳି ଔଷଧୀୟ ବୃକ୍ଷ ମଧ୍ୟ ଲଗାଉଛନ୍ତି। ଗଛ ଲଗାଇବା ସହ ଆଗ୍ରହୀ ଲୋକଙ୍କୁ ମାଗଣାରେ ଚାରା ମଧ୍ୟ ବଣ୍ଟନ କରିଥାନ୍ତି ଗୋପୀନାଥ। ସହରରେ ଲୋକଙ୍କ ଫୁଲର ଚାହିଦା ମେଣ୍ଟାଇବା ସହ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ଏଭଳି ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି ଗୋପୀନାଥ।

ସକାଳୁ ଉଠିବାଠାରୁ ସଂଧ୍ୟା ଯାଏଁ ସାରାଦିନ କେବଳ ଗଛଲଗା ଓ ଗଛର ଯତ୍ନ କରିବାରେ ସେ ସମୟ ବିତାଇଥାନ୍ତି। କେବଳ ଗୋପୀନାଥ ଏକା ନୁହନ୍ତି ତାଙ୍କର ଏହି କାର୍ଯ୍ୟରେ ପତ୍ନୀ ପୁଅ ବୋହୂ ସମେତ ସାରା ପରିବାର ସହଯୋଗର ହାତ ବଢାଇଥାନ୍ତି। କେବଳ ଗଛଲଗା କାମ ନୁହେଁ ଲୋକଙ୍କୁ ବୃକ୍ଷର ଉପକାରିତା, ପରିବେଶର ସୁରକ୍ଷା ସମ୍ପର୍କରେ ବି ଲୋକଙ୍କୁ ସଚେତନ କରାଇଥାନ୍ତି ଗୋପୀନାଥ। ପ୍ରତିଦିନ ସଂଧ୍ୟାରେ ସେ ଘର ଘର ବୁଲି ଖାଲି ଦୁଗ୍ଧ ପ୍ୟାକେଟ୍‍ ଜରି, ଅବ୍ୟବହୃତ ଜରି ସଂଗ୍ରହ କରି ସେଥିରେ ଚାରା ରୋପଣ କରିଥାନ୍ତି। ଯେଉଁ ପଲିଥିନ୍‍ଗୁଡ଼ିକ ପରିବେଶର କ୍ଷତି ନକରିବ, ମାଟିରେ ମିଶିଯିବ ସେଭଳି ପଲିଥିନ୍‍ ହିଁ ବ୍ୟବହାରରେ ଲଗାଇଥାନ୍ତି।

ଟ୍ରି ମ୍ୟାନ୍‍ ନାମରେ ପରିଚିତ ଗୋପିନାଥ ପ୍ରତିଦିନ ସକାଳେ ଚାରା ଓ ପାଣି ବୋଲତ ଧରି ବାଇକ୍‍ରେ ବୁଲି ବୁଲି ସହରର କୋଣ ଅନୁକୋଣ ଖାଲିସ୍ଥାନ ଗୁଡିକରେ ଗଛ ଲଗାନ୍ତି ଓ ଲଗାଇଥିବା ଗଛଗୁଡିକର ଯତ୍ନ ମଧ୍ୟ ନେଇଥାନ୍ତି। ସହରକୁ ସବୁଜ ସୁନ୍ଦର କରିବା ସହ ଗୋପୀନାଥଙ୍କ ବୃକ୍ଷରୋପଣ ଭଳି ମହତ୍‍ କାର୍ଯ୍ୟପାଇଁ ସାହି ପଡ଼ିଶାଠାରୁ ସହରର ସବୁ ସ୍ଥାନରେ ତାଙ୍କରି ପ୍ରଶଂସା କରିଥାନ୍ତି ଲୋକେ। ପରିବେଶପ୍ରେମୀ ଗୋପୀନାଥଙ୍କ ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ ହେବ ଏଥିରେ ସନ୍ଦେହ ନାହିଁ ।

Comment