ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ସରକାରୀ ଜାଗାକୁ ଜବରଦଖଲ କରିବା ନେଇ ଶ୍ୱଶୁର ଘର ସହିତ ହୋଇଥିଲା କଳି। ସେହି ସରକାରୀ ଜମିରେ ଥିବା ଏକ ଘରେ ରାତିରେ ଶୋଇକକୁ ଆସୁଥିବା  ଶଳାକୁ ରାଗରେ ଏକ ଖଣ୍ଡାରେ ଚୋଟ ପରେ ଚୋଟ ପକାଇ ଅତି ବିଭତ୍ସ ଭାବରେ ହତ୍ୟା କରିଥିଲା ଭିଣୋଇ। ଘଟଣାଟି ଘଟିଥିଲା କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ମହିଷାସୁର ଗାଁରେ।

ଖଣ୍ଡାମରା ଗାଁର ସଦାଶିବ ଭୂୟାଁ ତାର ଶଳା ସଞ୍ଜୟ ମହାନ୍ତିଙ୍କୁ ଗତ ୨୦୧୨ ମସିହା ଡିସେମ୍ବର ମାସ ୧୩ ତାରିଖରେ ହତ୍ୟା କରିଥିଲା। ଏହି ମାମଲାର ଶୁଣାଣି ବୁଧବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ସେସନ୍ ଜଜ୍ କୋର୍ଟରେ ହୋଇଥିଲା।

ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ବାସୁଦେବ ପଣ୍ଡା ଅଭିଯୁକ୍ତ ସଦାଶିବ ଭୂୟାଁଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଦେଇ ନପାରିଲେ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ହତ୍ୟା ଉଦ୍ୟମ ଅଭିଯୋଗରେ ୭ ବର୍ଷ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଆଉ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ରାଜନଗର ଥାନା ଖଣ୍ଡାମରା ଗାଁର ସଦାଶିବ ଭୂୟାଁ ନାମକ ଜଣେ ଯୁବକ ଶ୍ୱଶୁର ଘର ଗାଁ ମହିଷାସୁରରେ ରହୁଥିଲା। ଶ୍ୱଶୁର ଶ୍ୟାମସୁନ୍ଦର ମହାନ୍ତିଙ୍କ ଘର ସମ୍ମୁଖରେ ଏକ ସରକାରୀ ଜମି ରହିଥିଲା। ଏହି ଜମିରେ ଶ୍ୟାମସୁନ୍ଦର ଏକ ଦୋକାନ କରିଥିଲେ।

ସଦାଶିବ ଏହି ଜମିକୁ ନିଜ ଦଖଲକୁ ନେବାକୁ ଶ୍ୱଶୁରଘର ସହିତ ବହୁବାର କଳି ଝଗଡ଼ା କରିଆସୁଥିଲା। ଗତ ୨୦୧୨ ମସିହା ଡିସେମ୍ବର ମାସ ୧୩ ତାରିଖ ଦିନ ସଦାଶିବର ଶଳା ସଞ୍ଜୟ ମହାନ୍ତି ସେହି ଦୋକାନ ଘରେ ଶୋଇବାକୁ ରାତିରେ ଆସୁଥିବା ବେଳେ ସଦାଶିବ ସଞ୍ଜୟଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରିଥିଲା।

ରାଜନଗର ଥାନା ପୋଲିସ ସଦାଶିବ ବିରୋଧରେ ୩୦୭ ଓ ୩୦୨ ଦଫାରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୧୩ ମସିହାରୁ ବିଚାର ବିଭାଗିୟ ଜେଲ ହାଜତରେ ରହି ମାମଲା ଲଢୁଥିଲା ସଦାଶିବ। ଆଜି କେନ୍ଦ୍ରାପଡା ଜିଲା ସେସନ ଜଜ୍ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା।

LEAVE A REPLY

Please enter your comment!
Please enter your name here