ଓଡ଼ିଶାଲାଇଭ୍‌ ବିଜିନେସ୍ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି। ଆସନ୍ତା ଫେବୃଆରୀ ୧୩ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଶୁକ୍ରବାର ଅନ୍ତରୀଣ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ଥିବାରୁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିବା ପୀୟୁଷ ଗୋଏଲ ଚଳିତ ବର୍ଷ ବଜେଟ୍‌ ଉପସ୍ଥାପନ କରିବେ।

୧୯୪୭ ମସିହାରୁ ବର୍ତ୍ତମାନ ସୁଦ୍ଧା ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ବହୁ ମହତ୍ତ୍ୱପୂର୍ଣ୍ଣ  ଏବଂ ରୋଚକ ତଥ୍ୟ ଦେଖିବାକୁ ମିଳିଛି। ଏହା ଛଡ଼ା ବହୁ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହା ଜାଣିବା ଜରୁରୀ ଅଟେ। ଆସନ୍ତୁ ଜାଣିବା ବଜେଟ ବାବଦରେ ୧୦ଟି ରୋଚକ ତଥ୍ୟ।

୧. ଦେଶର ସର୍ବପ୍ରଥମ  ବଜେଟ୍ ୧୯୪୭ ମସିହା ନଭେମ୍ବର ୨୬ରେ ଉପସ୍ଥାପିତ ହୋଇଥିଲା। ତତ୍କାଳୀନ ଅର୍ଥମନ୍ତ୍ରୀ ଆର.କେ. ସନମୁଖମ ଉପସ୍ଥାପନ କରିଥିଲେ।

୨. ସବୁଠୁ ଅଧିକ ବଜେଟ ଉପସ୍ଥାପନ କରିବାର ରେକର୍ଡ ମୋରାରଜି ଦେଶାଇଙ୍କ ନାଁରେ ରହିଛି। ସେ ସର୍ବାଧିକ ୧୦ ଥର ବଜେଟ୍ ଉପସ୍ଥାପନ କରିଛନ୍ତି। କଂଗ୍ରେସ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ଥିବା ପି.ଚିଦାମ୍ବରମ ୯ ଥର, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅର୍ଥମନ୍ତ୍ରୀ ଭାବେ ୮ ଥର ବଜେଟ୍  ଉପସ୍ଥାପନ କରିଛନ୍ତି।

୩. ମୋରାରଜି ଦେଶାଇଙ୍କ ନାଁରେ ଆଉ ଏକ ରେକର୍ଡ ବି ରହିଛି। ସେ ହେଉଛନ୍ତି ସର୍ବପ୍ରଥମ ଅର୍ଥମନ୍ତ୍ରୀ ନିଜ ଜନ୍ମଦିନରେ ବଜେଟ୍ ଉପସ୍ଥାପନ କରିଥିଲେ।  ଏହି ବଜେଟ୍ ୧୯୬୪ ଫେବୃଆରୀ ୨୯ରେ ଉପସ୍ଥାପିତ ହୋଇଥିଲା।

୪. ଇନ୍ଦିରା ଗାନ୍ଧି ଭାରତର ଏକମାତ୍ର ମହିଳା ଅର୍ଥମନ୍ତ୍ରୀ ଅଟନ୍ତି। ଯେତେବେଳେ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିଲେ ମୋରାରଜି ଦେଶାଇ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ। ହଠାତ୍ ଅର୍ଥମନ୍ତ୍ରୀ ପଦରୁ ମୋରାରଜି ଦେଶାଇ ଇସ୍ତଫା ଦେବା ଫଳରେ ଇନ୍ଦିରା ଗାନ୍ଧି ଅର୍ଥମନ୍ତ୍ରାଳୟର କାର୍ଯ୍ୟଭାର ନିଜ ଅଧୀନରେ ରଖିଥିଲେ।

୫. ବଜେଟ୍ ପୁସ୍ତକ ଛାପୁଥିବା କର୍ମଚାରୀଙ୍କୁ ସାଧାରଣ ବଜେଟ୍ ଉପସ୍ଥାପନ ହେବା ପର୍ଯ୍ୟନ୍ତ ପାଖାପାଖି ୧୦ ଦିନ ପର୍ଯ୍ୟନ୍ତ ଗୋପନୀୟ ଭାବେ ରଖାଯାଇଥାଏ। ଏହି ସମୟରେ କର୍ମଚାରୀମାନେ କୌଣସି ବାହାର ବ୍ୟକ୍ତିଙ୍କ ସହିତ ଭେଟିବାକୁ ଅନୁମତି ମିଳିନଥାଏ। ପୁସ୍ତକ ଛଫା ‘ହାଲୱା ସେରିମନି’ରୁ ହୋଇଥାଏ। ଏଥିରେ ଅର୍ଥ ମନ୍ତ୍ରାଳୟର କର୍ମଚାରୀଙ୍କ ସହିତ ଅର୍ଥମନ୍ତ୍ରୀ ସାମିଲ ଥାନ୍ତି।

୬. ପାରମ୍ପରିକ ମହତ୍ତ୍ୱକୁ ଧ୍ୟାନରେ ରଖି କୁହାଯାଇଥାଏ, କୌଣସି ଶୁଭ କାମ ଆରମ୍ଭରୁ ମିଠା ବଣ୍ଟା ଯାଇଥାଏ। ଏହି କାରଣରୁ ବଜେଟ୍ ପୁସ୍ତକ ଛଫା ପୂର୍ବରୁ ‘ହାଲୱା ସେରିମନି’ ହୋଇଥାଏ। ଏହି ହାଲୱା ମନ୍ତ୍ରାଳୟର ସମସ୍ତ କର୍ମଚାରୀମାନେ ରାନ୍ଧିଥାନ୍ତି।

୭. ପ୍ରଧାନମନ୍ତ୍ରୀ ପଦରେ ଥିବା ସତ୍ତ୍ୱେ ରାଜୀବ ଗାନ୍ଧି ବଜେଟ୍‌ ଉପସ୍ଥାପନ କରିଛନ୍ତି। ଯେତେବେଳେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିଲେ ସେ ସମୟରେ ବିପି ସିଂହ ଅର୍ଥମନ୍ତ୍ରୀ ଥିଲେ। କିନ୍ତୁ ବିପି ସିଂହ ଇସ୍ତଫା ଦେବା କାରଣରୁ ରାଜୀବ ଗାନ୍ଧି ୧୯୮୭-୮୮ରେ ବଜେଟ୍‌ ଉପସ୍ଥାପନ କରିଥିଲେ।

୮. ୧୯୯୭-୯୮ରେ ବିନା ଆଲୋଚନାରେ ସାମ୍ବିଧାନିକ ସଙ୍କଟ କାରଣରୁ ବଜେଟକୁ ପାରିତ କରାଯାଇଥିଲା। ସେ ସମୟରେ ଇନ୍ଦ୍ର କୁମାର ଗୁଜରାଲ ପ୍ରଧାନମନ୍ତ୍ରୀ ଥିଲେ। ଗୁଜରାଲ ସରକାର ବଜେଟ୍ ପାରିତ କରିବା ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ।

୯. କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ୧୯୯୭-୯୮ ବର୍ଷରେ ଯେଉଁ ବଜେଟ୍ ଉପସ୍ଥାପନ କରିଥିଲେ ତାହାକୁ ଡ୍ରିମ୍ ବଜେଟ୍ କୁହାଯାଉଛି। ଏହି ବଜେଟରେ ବହୁ ଆର୍ଥିକ ସୁଧାର ଦେଖିବାକୁ ମିଳିଥିଲା। ଆୟକର ଛାଡ଼, କର୍ପୋରେଟ୍ ଟିକସ ଛାଡ଼ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ।

୧୦. ୧୯୯୯ ମସିହା ପୂର୍ବରୁ ସନ୍ଧ୍ୟା ୫ଟା ପରେ ବଜେଟ୍ ଉପସ୍ଥାପନ ହେଉଥିଲା। କିନ୍ତୁ ସେହି ବର୍ଷ ଅର୍ଥମନ୍ତ୍ରୀ ୟଶୱନ୍ତ ସିହ୍ନା ପରମ୍ପରା ଭଙ୍ଗ କରି ପୂର୍ବାହ୍ନ ୧୧ଟା ରେ ବଜେଟ୍ ଉପସ୍ଥାପନ କରିଥିଲେ।

LEAVE A REPLY

Please enter your comment!
Please enter your name here