ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ଟଙ୍କା ରହିଛି। ରାଜ୍ୟ ବଜେଟରେ ସବୁ କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି। ଚଳିତ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୨, ୨୪୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାବେଳେ ଶିକ୍ଷା କ୍ଷେତ୍ରକୁ ମଧ୍ୟ ପ୍ରାଥମିକତା ମିଳିଛି। ଶିକ୍ଷା କ୍ଷେତ୍ର ପାଇଁ ୨୭,୩୨୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଚଳିତ ବର୍ଷ ରାଜ୍ୟ ବଜେଟରେ ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି, ୧୦୦ଟି ଉତ୍କର୍ଷ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ କକ୍ଷ ନିମନ୍ତେ ୭୯ କୋଟି ଟଙ୍କା, ବେସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ୧,୧୦୯ କୋଟି ଟଙ୍କା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିମନ୍ତେ ୪୨୦ କୋଟି ଟଙ୍କା, ଅଣସରକାରୀ ମହାବିଦ୍ୟାଳୟ ନିମନ୍ତେ ୧,୨୮୩ କୋଟି ଟଙ୍କା ଏବଂ ‘ସମଗ୍ର ଶିକ୍ଷା’ ପାଇଁ ୩,୫୫୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ସେହିପରି ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ନିମନ୍ତେ ୧୬୫ କୋଟି ଟଙ୍କା, ବିଶ୍ଵବ୍ୟାଙ୍କ ମହାୟତା ପ୍ରାପ୍ତ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା ନିମନ୍ତେ ୨୫୮ କୋଟି ଟଙ୍କା ଏବଂ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ନିମନ୍ତେ ୧୭୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।   

ରାଜ୍ୟର ବୈଷୟିକ ବିଶ୍ଵବିଦ୍ୟାଳୟ ଏବଂ ଇଂଜିନିୟରିଂ ସ୍କୁଲ, ପଲିଟେକନିକ୍ସର ଭିତ୍ତିଭୂମି ବିକାଶ ନିମନ୍ତେ ୨୦୪ କୋଟି ଟଙ୍କା ଆଭଣ୍ଟନ କରାଯାଇଛି। ସେହିପରି ଆଇଟିଆଇ ଏବଂ ପଲିଟେକନିକ ମାଧ୍ୟମରେ ଓଡ଼ିଶା ରାଜ୍ୟ ସ୍ଵୟଂ ନିଯୁକ୍ତି ମିଶନ ଏବଂ ଯୁବକମାନଙ୍କ ଦକ୍ଷତା ବିକାଶ ପାଇଁ ୨୧ କୋଟି ପ୍ରଦାନ କରାଯାଇଛି।

ଏଥିସହିତ ଭୁବନେଶ୍ଵରରେ ବିଶ୍ଵ ଦକ୍ଷତା କେନ୍ଦ୍ର ଗଠନ ପାଇଁ ଏସୀୟ ବିଶ୍ଵ ବ୍ୟାଙ୍କ (ଏଡିବି) ସହାୟତାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ଅଧୀନରେ ୧୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

Tags: #Assembly #MonsoonSession #Budget2022-23 #EducationEducationSector

Comment