ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଜସପ୍ରିତ ବୁମ୍‌ରା ଦିନିକିଆ ମ୍ୟାଚର ସର୍ବଶ୍ରେଷ୍ଠ ଖେଳାଳିର ମାନ୍ୟତା ପାଇଛନ୍ତି। ଏହି କ୍ରମରେ ଟିମ୍‌ ଇଣ୍ଡିଆ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡକୁ ୪-୧ରେ ହରାଇ ଦିନିକିଆ ରାଙ୍କିଙ୍ଗ୍‌ର ଦ୍ୱିତୀୟ ସ୍ଥାନରେ ରହିଛି। ଆଇସିସି ଦିନିକିଆ ରାଙ୍କିଙ୍ଗ୍‌ ଅନୁଯାୟୀ ବିରାଟ କୋହଲି ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ମାନ୍ୟତା ପାଇଥିବା ବେଳେ ଜସପ୍ରିତ ବୁମ୍‌ରା ବୋଲର ଭାବେ ଶୀର୍ଷ ସ୍ଥାନ ରହିଛନ୍ତି। ସୋମବାର ଆଇସିସି ପକ୍ଷରୁ ଦିନିକିଆ ରାଙ୍କିଙ୍ଗ୍‌ ଘୋଷଣା କରି ଏହି ସୂଚନା ଜାରି କରାଯାଇଛି।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିଲା ମଧ୍ୟ ଏହା ତାଙ୍କ ରାଙ୍କିଙ୍ଗ୍‌ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ । ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦୁଇଟି ମ୍ୟାଚ ଖେଳିନଥିଲେ ସୁଦ୍ଧା ନମ୍ବର ୱାନ ବ୍ୟାଟ୍ସମ୍ୟାନ ସ୍ଥାନ ବଜାୟ ରଖିଛନ୍ତି।

ଅନ୍ୟ ପଟେ ଭାରତ ଠାରୁ ପରାଜୟ ପରେ ନ୍ୟୁଜିଲାଣ୍ଡ ଟିମ୍‌ ତଳକୁ ଖସିଯାଇ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ତେବେ ଟିମ୍ ଇଣ୍ଡିଆ ୧୨୨ ପଏଣ୍ଟ ସହ ରାଙ୍କିଙ୍ଗ୍‌ର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୧୨୬ ପଏଣ୍ଟ ପାଇ ଇଂଲଣ୍ଡ ଦଳ ଦିନିକିଆ ରାଙ୍କିଙ୍ଗ୍‌ର ପ୍ରଥମ ସ୍ଥାନରେ ରହିଛି।

ଏହି ରାଙ୍କିଙ୍ଗ୍‌ରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବ୍ୟାଟିଂ ମାନ୍ୟତାର ୧୭ତମ ସ୍ଥାନରେ ରହିଛନ୍ତି।

Comment