ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱେଲିଙ୍ଗଟନ୍‌ରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଟ୍ୱେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ହାରିଲା। ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଦଳ ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଟିମ୍‌ ଇଣ୍ଡିଆକୁ ୮୦ ରନ୍‌ରେ ହାରାଇଛି ନ୍ୟୁଜିଲାଣ୍ଡ ଟିମ୍‌।

ଟସ୍‌ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ କାରିବାକୁ ଆମନ୍ତ୍ରଣ କରିଥିଲା ଟିମ୍‌ ଇଣ୍ଡିଆ। ଏହାପରେ ୬ ୱିକେଟ ହରାଇ ୨୧୯ ରନ୍‌ ସଂଗ୍ରହ କରିଥିଲା ନ୍ୟୁଜିଲାଣ୍ଡ ଟିମ୍‌। ଦଳର ୱିକେଟକିପର ଟିମ ସେଫର୍ଟ ସର୍ବାଧିକ ୮୪ ରନ୍‌ ସଂଗ୍ରହ କରିଥିବା ବେଳେ ଅଧିନାୟକ କେନ୍ ୱିଲିୟମସନ ୩୪ ରନ୍‌ କରିଥିଲେ। ସେହିପରି ଟିମ୍‌ ଇଣ୍ଡିଆର ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ୱିକେଟ ସଂଗ୍ରହ କରିଥିବା ବେଳେ ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, କୃନାଲ ପାଣ୍ଡ୍ୟା ଓ ୟୁଜବେନ୍ଦର ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି।

ଅନ୍ୟପଟେ ୨୨୦ ରନ୍‌କୁ ଟାର୍ଗେଟରେ ରଖି ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା। ଆରମ୍ଭରୁ ନ୍ୟୁଜିଲାଣ୍ଡ ଟିମ୍‌ର ଦମଦାର ବୋଲରଙ୍କୁ ସାମ୍ନା କରି ପାରିନଥିଲା ଟିମ୍ ଇଣ୍ଡିଆ। ଭାରତୀୟ ଦଳ ୧୯.୨ ଓଭରରେ ୧୩୯ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲା। ଏହା ସହ ୮୦ ରନ୍‌ରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ହାରିଛି। ଭାରତୀୟ ଦଳ ପକ୍ଷରୁ ଏମ୍‌ଏସ୍‌ ଧୋନୀ ସର୍ବାଧିକ ୩୯ ରନ୍‌ କରିଥିବା ବେଳେ ଶିଖର ଧୱନ ୨୯ ରନ ସଂଗ୍ରହ କରିଥିଲେ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଘରୋଇ ମାଟିରେ ନିଜ ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଏହି ମ୍ୟାଚରେ ଭାରତ ବିପକ୍ଷ ଦିନିକିଆ ସିରିଜରେ ହାରିବାର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ ଟିମ୍‌। ଏହାସହ ଭାରତୀୟ ଦଳର ବିଜୟ ଧାରାରେ ପୂର୍ଣ୍ଣଛେଦ ପକାଇଛି ନ୍ୟୁଜିଲାଣ୍ଡ ଟିମ୍‌।

Comment