ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଧଉଳି ପାଦ ଦେଶରେ ଧଉଳି-କଳିଙ୍ଗ ମହୋତ୍ସବ
  • ମହୋତ୍ସବ ଉଦଘାଟନ କଲେ ରାଜ୍ୟପାଳ
  • ଗୀତା ମହାତ୍ମ୍ୟ ଏବଂ ଛଉ ନୃତ୍ୟରେ ଝୁମିଲେ ଦର୍ଶକ
  • ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଗଲା ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ

ଐତିହାସିକ ଧଉଳି ପାଦ ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ୧୫ତମ ଧଉଳି-କଳିଙ୍ଗ ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜନ କରାଯାଇଛି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହି ଉତ୍ସବକୁ ଉଦଘାଟନ କରି ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଶଂସା କରିଛନ୍ତି।

“ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟ ହେଉଛି ମହାନ। ଧଉଳି ପାଦ ଦେଶରେ ଧଉଳି-କଳିଙ୍ଗ ମହୋତ୍ସବ ଆୟୋଜନ ନିଶ୍ଚିତ ଭାବେ ଗର୍ବର କଥା। ଏହି ସାଂସ୍କୃତି ମହାମିଳନରେ ମୁଁ ନିଜକୁ ସାମିଲ କରିପାରି ଥିବାରୁ ବହୁତ ଖୁସି”, କହିଛନ୍ତି ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ୍।

ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା  ପ୍ରଚାର କରିଥିଲେ ସେହି ସ୍ଥାନରୁ ଉଦଘାଟନୀ ସନ୍ଧ୍ୟାରେ ଝଙ୍କୃତ ହେଉଥିଲା ଶାସ୍ତ୍ରୀୟ ନୃତ୍ୟ ସହିତ ସମରକଳା ନୃତ୍ୟର ଅପୂର୍ବ ଛନ୍ଦ ଓ ମୂର୍ଚ୍ଛନା।

ଉଦଘାଟନୀ ସନ୍ଧ୍ୟାର ପ୍ରଥମ ପରିବେଷଣ ଥିଲା ଗୀତା ମହାତ୍ମ୍ୟ। ଶ୍ରୀମଦ ଭଗବତ ଗୀତାର କିଛି ମୁଖ୍ୟ ଅଧ୍ୟାୟରୁ ଉଦ୍ଧୃତ ବିଷୟବସ୍ତୁକୁ ନେଇ ୪ଟି ନୃତ୍ୟ ଶୈଳୀରେ ପରିବେଶିତ ହୋଇଥିଲା ଗୀତା ମହାତ୍ମ୍ୟ। କଥକ ନୃତ୍ୟର ତଟକାର, ଓଡ଼ିଶୀ ନୃତ୍ୟର ଅଭିନୟ, ଭାରତନାଟ୍ୟମ ନୃତ୍ୟର ତେଜ ଓ ସମକାଳୀନ ନୃତ୍ୟର ଆଧୁନୀକରଣକୁ ନେଇ କଳାକାରମାନଙ୍କ ଦ୍ୱାରା ପରିବେଶିତ ଗୀତା ମହାତ୍ମ୍ୟ ଅତି ଚମତ୍କାର ଥିଲା। ଏହାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ।

ଏହାକୁ ରଚନା କରିଥିଲେ କେଦାର ମିଶ୍ର, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି।

ଦ୍ୱିତୀୟ ତଥା ଅନ୍ତିମ ପରିବେଷଣ ଥିଲା ଭୁବନେଶ୍ୱର ମୟୂର ଆର୍ଟ ସେଣ୍ଟରର କଳାକାରମାନଙ୍କ ଦ୍ୱାରା ଛଉ ନୃତ୍ୟ। ଛଉ ନୃତ୍ୟରେ ସେମାନେ ପାଇକ ବିଦ୍ରୋହ ପରିବେଷଣ କରିଥିଲେ।। ଇଂରେଜମାନଙ୍କୁ ଓଡ଼ିଶାରୁ ବିତାଡ଼ିତ କରିବା ପାଇଁ ପାଇକମାନଙ୍କ ଅବଦାନ ଥିଲା ଅତୁଳନୀୟ। ପାଇକମାନେ ଇଂରେଜମାନଙ୍କ ବିରୋଧରେ କରିଥିବା ବିଦ୍ରୋହକୁ ଛଉ ନୃତ୍ୟ ମାଧ୍ୟମରେ କଳାକାରମାନେ ଅତି ନିଖୁଣ ଭାବେ ପରିବେଷଣ କରିଥିଲେ।

ଉଦଘାଟନୀ ସନ୍ଧ୍ୟାରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବିଶାଲ କୁମାର ଦେବ, ପୂର୍ବତନ ପ୍ରଶାସକ ଲଳିତ ମାନସିଂହ, ବିଶିଷ୍ଟ ନୃତ୍ୟାଙ୍ଗନା ଡକ୍ଟର ମୀନତି ମିଶ୍ର, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସଚିବ ଗୁରୁ ଅରୁଣା ମହାନ୍ତି। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣୀ ମିଶ୍ର ଓ ଡକ୍ଟର ଶ୍ରୀନିବାସ ଘଟୁଆରୀ।

ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ବିଖ୍ୟାତ ବଂଶୀବାଦକ ପ୍ରଫେସର ମୋହିନି ମୋହନ ପଟ୍ଟନାୟକ, ଘୋଡ଼ା ନାଚ ଶିଳ୍ପୀ ଉତ୍ସବ ଦାସ, ଆମେରିକାରେ ଓଡ଼ିଶୀ ନୃତ୍ୟକୁ ପ୍ରଚାର ଓ ପ୍ରସାର କରୁଥିବା ପ୍ରତାପ କୁମାର ଦାସ ଏବଂ ନୃତ୍ୟ ସମୀକ୍ଷକ ତଥା ଗବେଷକ କେଦାର ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା।

Comment