ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆର ବୋଲର କୁଲଦୀପ ଯାଦବ ଆଇସିସି ଟି-୨୦ ବୋଲର ରାଙ୍କିଙ୍ଗ୍‌ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ରେ ଭାରତ ହାରି ଦୁଇଟି ପଏଣ୍ଟ କଟିବା ପରେ ମଧ୍ୟ ଭାରତୀୟ ଦଳ ଶ୍ରେଷ୍ଠ ରାଙ୍କିଙ୍ଗ୍‌ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ପାକିସ୍ତାନ ତାଲିକାର ପ୍ରଥମ ସ୍ଥାନରେ ରହିଛି।

କୁଲଦୀପ ଯାଦବ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ତଥା ନିର୍ଣ୍ଣାୟକ ଟି-୨୦ରେ ୨୬ ରନ୍‌ ଦେଇ ୨ଟି ୱିକେଟ ନେଇଥିଲେ। ଭାରତ ଏହି ମ୍ୟାଚ ୪ ରନ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ କୁଲଦୀପ ଯାଦବ ଶ୍ରେଷ୍ଠ ରାଙ୍କିଙ୍ଗ୍‌ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଫଗାନିସ୍ତାନ କ୍ରିକେଟ ଟିମ୍‌ର ବୋଲର ରଶିଦ ଖାନ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି।

ସେହିପରି ବ୍ୟାଟ୍ସମ୍ୟାନ ତାଲିକାରେ ରୋହିତ ଶର୍ମା ୭ମ ସ୍ଥାନରେ ଥିବାବେଳେ କେଏଲ ରାହୁଲ ତିନୋଟି ସ୍ଥାନ ତଳକୁ ଖସି ୧୦ମ ସ୍ଥାନରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଖେଳୁନଥିବା ବିରାଟ କୋହଲି ତାଲିକାର ୧୯ତମ ସ୍ଥାନକୁ ଖସି ଆସିଛନ୍ତି। ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ର ବାବର ଆଜମ।

ଅନ୍ୟପଟେ କୁଳଦୀପଙ୍କୁ ବାଦ ଦେଲେ ଆଇସିସି ଟି-୨୦ ବୋଲର ତାଲିକାର ଟପ୍ ଟେନରେ ଅନ୍ୟ କେହି ଭାରତୀୟ ବୋଲର ସ୍ଥାନ ପାଇନାହାନ୍ତି। ଏହି କ୍ରମରେ ୟୁଜବେନ୍ଦ୍ର ଚହଲ ୧୭ ତମ ସ୍ଥାନରେ ଥିବାବେଳେ ଭୁବନେଶ୍ୱର କୁମାର ୧୮ତମ ସ୍ଥାନରେ ରହିଛନ୍ତି। ଲେଗ୍ ସ୍ପିନର କୃଣାଲ ପାଣ୍ଡ୍ୟା ୩୯ଟି ସ୍ଥାନ ଉପରକୁ ଉଠି ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ ୫୮ ରାଙ୍କ୍‌ରେ ରହିଛନ୍ତି।

Comment