ଗୀତା ଦାସ

ସାବଧାନ! ଆପଣ ମନଇଛା ଖାଦ୍ୟ ଖାଇଲେ ତା’ ହୋଇପାରେ ଚାପ ବୃଦ୍ଧିର ମୁଖ୍ୟ କାରଣ!

ଖାଦ୍ୟ

ଖାଦ୍ୟ ବିଷୟରେ ନିଜର ଅଜ୍ଞତା ଯୋଗୁଁ, ଲୋକେ ନ ଜାଣି କେତେକ ଖାଦ୍ୟ ଖାଉଛନ୍ତି, ଯାହାଫଳରେ ଶାରୀରିକ ଓ ମାନସିକ ଚାପ ବଢ଼ିବାର ଦେଖାଯାଉଛି।

ମୂଳରୁ କୁହାଯାଇଛି ଯେ ଶାରୀରିକ ଓ ମାନସିକ ଚାପର ବହୁ କାରଣ ରହିଛି। ତେଣୁ ବ୍ୟକ୍ତିବିଶେଷ କ୍ଷେତ୍ରରେ କାହିଁକି ଜଣକର ଶାରୀରିକ ଓ ମାନସିକ ଚାପ ଅତ୍ୟଧିକ ହେଉଛି, ସେ କଥା ପରୀକ୍ଷା କରି ନିର୍ଣ୍ଣୟ କରିବାକୁ ପଡ଼େ। ଏହା କାରଣରୁ ସମସ୍ତଙ୍କଠାରେ ଚାପ ବଢ଼େ ନାହିଁ।

ଅଳ୍ପସଂଖ୍ୟକ ଲୋକଙ୍କର କେତେକ ଖାଦ୍ୟ ଦେହରେ ଚଳୁ ନଥିବାରୁ ସେପରି ଖାଦ୍ୟ ଖାଇଲେ କେତେଗୁଡ଼ିଏ ମାନସିକ ବିକାର ଦେଖାଯାଏ। ଯଥା କଫି ଓ ଚାହାରେ କେଫିନ୍ ବୋଲି ଗୋଟାଏ ପ୍ରକାରର କେମିକାଲ୍‌ ଅଛି। କେତେ ଲୋକଙ୍କର କେଫିନ୍‌ ଥିବା ପାନୀୟ ପିଇଲେ ସେମାନଙ୍କଠାରେ ଆତଙ୍କ ବା ପ୍ୟାନିକ୍ (ଡିଜଅର୍ଡର) ରୋଗର ଲକ୍ଷଣ ପରି ଲକ୍ଷଣ ଦେଖାଦିଏ।

ଏହାଛଡ଼ା ସାଧାରଣତଃ ଚାହା, କଫି, ପେପ୍‌ସିକୋଲା ପରି ଅନ୍ୟାନ୍ୟ କୋଲାଜାତୀୟ ପାନୀୟ, ଚିନି ଓ ଲୁଣ ଖାଇଲେ ମନରେ ଅସ୍ଥିରତା ଓ ଚାଞ୍ଚଲ୍ୟ ବଢ଼େ ଏବଂ ଦୈହିକ ଉତ୍ତେଜନା ଯୋଗୁଁ ଅନେକେ ସ୍ଥିର ହୋଇ ବସିପାରନ୍ତି ନାହିଁ। ସେମାନେ ଟହଲ ମାରନ୍ତି, ଗୋଡ଼ ତଳେ ଘଷନ୍ତି, ଖୁଜ୍‌ବୁଜ୍‌ ହୁଅନ୍ତି; ତରତର ହୋଇ କଥା କୁହନ୍ତି। କପ୍‌ଟାଏ ବା ଗିଲାସଟାଏ ଧରିଥିଲେ ହାତ ଥରେ।

ମିଠା ଜିନିଷ ଖାଇଲେ ଦେହରେ ଶକ୍ତି ସଞ୍ଚାର ହେଉଥିବାରୁ ଅନେକେ ମିଠା ସରବତ ଓ ଅନ୍ୟ ପାନୀୟ ପିଇ ସତେଜ ବୋଧ କରନ୍ତି। ମାତ୍ର ଯିଏ ଅଧିକା ଶକ୍ତିକୁ କାମରେ ଲଗେଇପାରେ ନାହିଁ, ସେ ଏଭଳି ଖାଦ୍ୟ ବେଶି ଖାଇଲେ ଅକାରଣ ଚାଞ୍ଚଲ୍ୟ ଅନୁଭବ କଲାରୁ ତା’ର ଭଲ ନ ହୋଇ ଖରାପ ହୋଇଥାଏ। ସବୁ ଖାଦ୍ୟ ହଜମ ହୋଇ ଦେହର ବିଭିନ୍ନ କ୍ରିୟା ପ୍ରକ୍ରିୟାକୁ ସାହାଯ୍ୟ କରିଥାଏ କିମ୍ବା ଏଥିରେ ବ୍ୟାଘାତ ସୃଷ୍ଟି କରିଥାଏ। ଏଥିପାଇଁ ଯେଉଁ ପ୍ରକାର ଖାଦ୍ୟ ଖାଇଲେ ପରେ ନିଜର ମନ ଓ ମିଜାଜ୍‌ରେ ଅସ୍ୱାଭାବିକ ପରିବର୍ତ୍ତନ ଘଟିବାର ଲକ୍ଷ୍ୟ କରିବେ, ସେପରି ଖାଦ୍ୟ ନ ଖାଇଲେ ଭଲ ହେବ।

ପିଲା ଅଝଟ ହେଲେ ସାଧାରଣତଃ ଗୋଟାଏ କ’ଣ ଭଲ ଜିନିଷ ଖାଇବାକୁ ଦେଇ ଲୋକେ ପିଲାଙ୍କୁ ଭୁଲାନ୍ତି। ଏହି ଭାବରେ ମନ ବ୍ୟସ୍ତ ହେଲେ ଭଲ ଜିନିଷଟିଏ ଖାଇ ମନ ଭଲ କରିବାର ଉପାୟ ଆମେ ପିଲାଟି ଦିନରୁ ଅଭ୍ୟାସ କରିଥାଉ। ବଡ଼ ହେଲା ପରେ ମଧ୍ୟ ଅନେକଙ୍କର ଏହି ଅଭ୍ୟାସ ବଳବତ୍ତର ଥାଏ। ସେଭଳି ଲୋକଙ୍କରର ଅନବରତ ଟିକେ ଟିକେ କରି ମନ ବ୍ୟସ୍ତ ହେଲେ ବା କୌଣସି କାରଣରୁ ମନ ଭାରାକ୍ରାନ୍ତ ଥିଲେ ସେମାନେ କ୍ରମାଗତ ଭାବରେ ଖାଉଥାଆନ୍ତି। ଏଥିପାଇଁ ବହୁ ଚାପଗ୍ରସ୍ତ ଲୋକଙ୍କର ଖାଇ ଖାଇ ଓଜନ ବଢ଼େ ଓ ମେଦ ବୃଦ୍ଧି ହୁଏ।

ଆଉ କେତେକ ଲୋକ ଅଛନ୍ତି, ଯେଉଁମାନେ ସବୁବେଳେ ତରତର ହେଉଥାଆନ୍ତି। ଖାଇବାଟା ତାଙ୍କ ପାଇଁ ଚାପ ଲାଘବ କରେ ନାହିଁ, ବରଂ ଚାପ ଅନୁଭବ କଲେ ଖାଇବା ଇଚ୍ଛା ଚାଲିଯାଏ। ଏମାନେ ଯେତେ ଖାଇଲେ ମଧ୍ୟ ଏମାନଙ୍କ ଦେହରେ ଲାଗେ ନାହିଁ।

ଯେଉଁ ଲୋକମାନେ ସବୁବେଳେ ସମୟ ଅଭାବ ଯୋଗୁଁ ଚାପଗ୍ରସ୍ତ ହୁଅନ୍ତି, ସେମାନେ ତରତର ହୋଇ ଖାଇବାରୁ ସେମାନଙ୍କର ବଦହଜମ ଓ ପେଟରେ ବାୟୁ ହେବାର ସମ୍ଭାବନା ବଢ଼େ। କାମର ଭିଡ଼ ଯୋଗୁଁ ଦୀର୍ଘ ସମୟ ଲାଗି ଓପାସ ରହିବାରୁ ମଧ୍ୟ ସେମାନଙ୍କର ଦେହ ଖରାପ ହୁଏ। ଅନେକେ ଯେତେବେଳେ ନିଜର ଓଜନ କମେଇବା ଲାଗି ଖୁବ୍‌ କମ୍‌ ଖାଆନ୍ତି, ସେତେବେଳେ ସେମାନଙ୍କର ମାନସିକ ଚାପ ବହୁତ ବଢ଼ିଥାଏ। ଏହି ଭାବରେ ଚାପର ଖାଦ୍ୟ ସହିତ ବିଭିନ୍ନ ପ୍ରକାରର ସମ୍ବନ୍ଧ ରହିଛି। ଏଥିପାଇଁ ସେ କ’ଣ ଖାଉଛନ୍ତି, କେତେ ଖାଉଛନ୍ତି ଓ ଖାଇବାର ଢଙ୍ଗ କ’ଣ; ସେଥିପ୍ରତି ଲକ୍ଷ୍ୟ ରଖିଲେ ଚାପଜନିତ ସମସ୍ୟା କମ୍‌ ହେବ।

(ଗୀତା ଦାସ ଜଣେ ପରିଚିତ ଓଡ଼ିଆ ଲେଖିକା ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନସ୍ତତ୍ୱବିଦ। ୧୮୬୮ ମସିହାରୁ ସେ କାନାଡ଼ାରେ ରହୁଛନ୍ତି। ‘ମନର ଅନ୍ଧାର ମାନସିକ ସମସ୍ୟା’ ପୁସ୍ତକରେ ଶ୍ରୀମତି ଦାସ ମଣିଷର ଦୈନନ୍ଦିନ ଓ ପେସାଦାର ଜୀବନରେ ଆସୁଥିବା ବିଭିନ୍ନ ମାନସିକ ସମସ୍ୟାର ଲକ୍ଷଣ, କାରଣ ଏବଂ ଉପଚାର ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ପୁସ୍ତକର ବିଭିନ୍ନ ଭାଗକୁ ପାଠକମାନଙ୍କ ନିକଟରେ ଓଡ଼ିଶାଲାଇଭ୍’ ମାଧ୍ୟମରେ ପହଞ୍ଚାଇବା ଲାଗି ଲେଖିକା ଅନୁମତି ପ୍ରଦାନ କରିଛନ୍ତି – ସମ୍ପାଦକ, ଓଡ଼ିଶାଲାଇଭ୍‌)

(ସୌଜନ୍ୟ: ମନର ଅନ୍ଧାର ମାନସିକ ସମସ୍ୟା)

Comment