ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରିଶିଖର ଓ ରତନପୁର ଗାଁରେ ଶୋକର ଛାୟା। ସହିଦ ମନୋଜ, ପ୍ରସନ୍ନଙ୍କୁ ଝୁରି ଘୁମୁରି ଘୁମୁରି କାନ୍ଦୁଛନ୍ତି ଗାଁ ଲୋକେ।

ଦୁଇ ଦିନ ହେଲା କାହା ଘରେ ଚୁଲି ଜଳୁନି। ଖାଇବା ପିଇବା ଭୁଲି ଗଲେଣି ଲୋକେ। ପିଲାଠାରୁ ବୁଢ଼ା ସମସ୍ତଙ୍କ ଆଖି ଲୁହ ଛଳ ଛଳ। ଦୁଇ ଦିନ ତଳେ ହସ ଖୁସିରେ ଫାଟି ପଡୁଥିବା ଗାଁରେ ଏବେ ଶୋକର ଛାୟା ଖେଳି ଯାଇଛି।

ଏମିତି ଚିତ୍ର ହେଉଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ପାରିଶିଖର ଏବଂ କଟକ ଜିଲ୍ଲା ନିଆଳି ବ୍ଲକର ରତନପୁର ଗାଁର। ଦୁଇ ବୀର ଯବାନଙ୍କୁ ହରାଇ ଏହି ଗାଁ ପୂରା ସ୍ତବ୍ଧ ହୋଇଯାଇଛି। ସହିଦଙ୍କ ପରିବାରର ଲୋକେ କାନ୍ଦି କାନ୍ଦି ନୟାନ୍ତ ହୋଇଯାଇଥିବା ବେଳେ ଗାଁ ଲୋକଙ୍କ ଆଖିରୁ ବି ଲୁହ ଶୁଖୁନି।

“ଝିଅ ଜନ୍ମଦିନ ପାଇଁ ଗାଁକୁ ୪୦ ଦିନ ଛୁଟିରେ ଆସିଥିଲେ। ଧୁମ୍‌ଧାମରେ ଝିଅ ଜନ୍ମଦିନ ପାଳିଥିଲେ। କଥା ଦେଇଥିଲେ ମାର୍ଚ୍ଚ ମାସରେ ପୁଣି ଘରକୁ ଆସିବେ। ହେଲେ ଏବେ ତାଙ୍କ ଶବ ଘରକୁ ଫେରୁଛି”, ଏତିକି କହି ଭୂଇଁରେ କାନ୍ଦି କାନ୍ଦି ଗଡ଼ି ଯାଇଥିଲେ ସହିଦ ଯବାନ ମନୋଜ ବେହେରାଙ୍କ ସ୍ତ୍ରୀ ଇଲି ବେହେରା।

ମନୋଜଙ୍କ ମା’ ବାପା ବି  ଧୈର୍ଯ୍ୟ ହରାଇ ବସିଛନ୍ତି। ନିଜ ଆଖି ଆଗରେ ପୁଅ ଚାଲିଯିବାର ଦୁଃଖଦ ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଉଭୟ। ମନୋଜଙ୍କ ମା’ କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇଯାଉଥିବା ବେଳେ ବାପା ଦମ୍ଭର ସହ କହିଛନ୍ତି ‘ମୋ ପୁଅ ବୀର ଯବାନ।

“ପୁଅକୁ ହରାଇ ମୁଁ ଦୁଃଖି ନୁହେଁ। ଏଭଳି ପୁଅକୁ ଜନ୍ମ ଦେଇ ମୁଁ ଗର୍ବିତ। ମୋ’ ପୁଅ ଦେଶ ପାଇଁ ଜୀବନ ଦେଇଛି। ସବୁ ବାପା, ମାଆଙ୍କୁ ଅନୁରୋଧ କରୁଛି କି ସେମାନେ ତାଙ୍କ ପୁଅମାନଙ୍କୁ ସେନାବାହିନୀକୁ ଛାଡ଼ନ୍ତୁ”, କହିଛନ୍ତି ମନୋଜଙ୍କ ବାପା ଜଟାଧାରୀ ସ୍ୱାଇଁ।

ରତନପୁରର ରତ୍ନ ହଜିଗଲା

ନିଆଳି ବ୍ଲକ ରତନପୁର ଗ୍ରାମର ଜଟାଧାରୀ ସ୍ୱାଇଁଙ୍କ ପୁଅ ୨୦୦୬ରେ ସିଆର୍‌ପିଏଫ୍‌ ୮୨ ବାଟାଲିୟନରେ ନିଯୁକ୍ତି ପାଇଥିଲେ। ପରିବାରର ଅଭାବ ଅନଟନକୁ ଅତି ନିକଟରୁ ଦେଖିଥିବା ମନୋଜ ଚାକିରିଟିଏ ପାଇଁ ପାଠ ପଢ଼ିବା ବେଳୁ ହିଁ ଉଦ୍ୟମ ଜାରି ରଖିଥିଲେ।

ପୁଅ ଚାକିରି ପାଇବା ପରେ ବାପା, ମାଆଙ୍କ ଗୋଡ଼ ତଳେ ଲାଗୁ ନଥିଲା। ପୁଅ ଦେଶ ସେବାରେ ନିୟୋଜିତ ହୋଇଥିବାରୁ ସେମାନେ ଗର୍ବ କରୁଥିଲେ। ୨୦୧୬ ଜାନୁଆରି ୨୦ରେ ମନୋଜଙ୍କର ବାହାଘର ହୋଇଥିଲା। ୨୦୧୭ରେ ମନୋଜ କନ୍ୟା ସନ୍ତାନର ବାପା ହୋଇଥିଲେ।  ଗତ ଜାନୁଆରି ୧୬ରେ ଝିଅ ପ୍ରଥମ ଜନ୍ମବାର୍ଷିକୀ ପାଳନ କରିବାକୁ ମନୋଜ ଛୁଟି ନେଇ ଗାଁକୁ ଆସିଥିଲେ। ସ୍ତ୍ରୀ ଇଲିକୁ କଥା ଦେଇଥିଲେ କି ମାର୍ଚ୍ଚ ମାସରେ ପୁଣି ଆସିବେ। ହେଲେ ତାହା ତାଙ୍କ ଭାଗ୍ୟରେ ନଥିଲା। ମାର୍ଚ୍ଚ ମାସ ପୂର୍ବରୁ ଶବ ହୋଇ ଗାଁକୁ ଫେରିଛନ୍ତି ମନୋଜ।

ମନୋଜର ଶେଷ ଫୋନ୍

ସହିଦ ହେବା ପୂର୍ବରୁ ମନୋଜ ଶେଷ ଥର ପାଇଁ ସ୍ତ୍ରୀ ଇଲିକୁ ଫୋନ୍ କରିଥିଲେ। ଶ୍ରୀନଗର ଅଭିମୁଖେ ବସ୍‌ରେ ଯିବା ପୂର୍ବରୁ ସ୍ତ୍ରୀ ସହ ଅଳ୍ପ ସମୟ କଥା ହୋଇଥିଲେ। ଝିଅ କାନ୍ଦିବାରୁ ତାକୁ ବୁଝାଇ ଦିଅ କହି ଫୋନ୍ କାଟି ଦେଇଥିଲେ। କିନ୍ତୁ ଏହାପରେ ଏକ ଦୁଃଖଦ ଖବର ଆସିଥିଲା। ମନୋଜ ସହିଦ ହେବା ଖବର ଶୁଣିବା ପରେ ସ୍ତ୍ରୀ ଇଲିଙ୍କ ପାଦ ତଳୁ ମାଟି ଖସିଯାଇଥିଲା। କାନ୍ଦ ବୋବାଳିରେ ଗାଁରେ ଶୋକର ଛାୟା ଖେଳି ଯାଇଥିଲା।

ପାରିଶିଖର ଗାଁରେ ବି ଶୋକରଛାୟା

ମନୋଜଙ୍କୁ ହରାଇ ରତନପୁର ଗାଁ ଯେମିତି ଝୁରୁଛି ସେମିତି ପ୍ରସନ୍ନଙ୍କ ପାଇଁ ଜଗତସିଂହପୁର ଜିଲ୍ଲାର ପାରିଶିଖର ଗାଁ ମଧ୍ୟ କାନ୍ଦୁଛି। ପ୍ରସନ୍ନ ଆତଙ୍କବାଦୀ ହମ୍‌ଲାରେ ସହିଦ ହେବା ଖବର ଜଣାପଡ଼ିବା ପରେ କୋଳାହଳ ପୂର୍ଣ୍ଣ ଗାଁରେ ପୂରା ନୀରବ ପାଲଟି ଯାଇଛି।

“ପ୍ରସନ୍ନ ଖୁବ୍ ଭଲ ମଣିଷ ଥିଲେ। ଗାଁକୁ ଆସିଲା ମାତ୍ରେ ଲୋକଙ୍କୁ ଏକାଠି କରି ବିଭିନ୍ନ ମେଳା ମହୋତ୍ସବ ଆୟୋଜନ କରନ୍ତି। ତାଙ୍କର ଇଚ୍ଛା ଥିଲା କି ଚାକିରି ଶେଷ ହେବା ପରେ ପିଲାଙ୍କୁ ଏକାଠି କରି ଏକ କ୍ଳବ ଘର ନିର୍ମାଣ କରିବେ। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ସହଯୋଗ କରିବେ। ହେଲେ ତାଙ୍କ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ”, କୋହଭରା କଣ୍ଠରେ ଏହା କହିଛନ୍ତି ଶିଖର ଗ୍ରାମବାସୀ।

୧୯୯୫ରେ ପ୍ରସନ୍ନ ସିଆର୍‌ପିଏଫ୍ ୬୧ ବାଟାଲିୟନରେ ତାଙ୍କୁ ଚାକିରି ମିଳିଥିଲା। ଦୀର୍ଘ ୨୪ ବର୍ଷର ଚାକିରି କାଳରେ ସେ ବିଭିନ୍ନ ସ୍ଥାନରେ ସଫଳତାର ସହ ନିଜର କର୍ତ୍ତବ୍ୟ ସମ୍ପାଦକ କରିଥିଲେ। ଖୁବ୍‌ ସାହସୀ ଓ ନିର୍ଭୀକ ଥିବା ପ୍ରସନ୍ନ ଗାଁରେ ବି ସମସ୍ତଙ୍କର ପ୍ରିୟପାତ୍ର ଥିଲେ।

ଗତ ଅକ୍ଟୋବରରେ ତାଙ୍କର ଜମ୍ମୁ କଶ୍ମୀରକୁ ବଦଳି ହୋଇଥିଲା। ନୂଆ ଜାଗାକୁ ବଦଳି ହେବା ପରେ ସେ ୨୦୧୮ ନଭେମ୍ବର ୧୭ରେ ଗାଁକୁ ଆସିଥିଲେ। ପୁଣି ଖରା ଛୁଟିରେ ଆସିବେ ବୋଲି ସାଙ୍ଗସାଥୀମାନଙ୍କୁ କଥା ଦେଇଥିଲେ। ଗତ ସୋମବାର ରାତି ୯ଟାରେ ସ୍ତ୍ରୀ ମୀନା ଓ ପୁଅ ଜଗନ ସହ କଥା ହୋଇଥିଲେ। ଝିଅ ରୁନି ସହ ବି କଥା ହୋଇଥିଲେ। ହେଲେ ବ୍ୟସ୍ତତା ପାଇଁ ଆଉ ସେ କାହା ସହ କଥା ହୋଇ ନଥିଲେ।

ଶୁକ୍ରବାର ରାତିରେ ପରିବାର ଲୋକ ଶୋଇବା ପରେ ଘରକୁ ନାଉଗାଁ ପୋଲିସ ଆସି ପ୍ରସନ୍ନ ସହିଦ ହୋଇଥିବା ଖବର ଦେବା ପରେ ଘର କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ଗାଁ ସାରା ଲୋକ ପ୍ରସନ୍ନଙ୍କ ଘର ପାଖରେ ରୁଣ୍ଡ ହୋଇଛନ୍ତି। ଖିଆ ପିଆ ଛାଡ଼ି ସମସ୍ତେ ପ୍ରସନ୍ନଙ୍କ ଶେଷ ଦର୍ଶନ କରିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

Comment