ଓଡ଼ଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ରବିବାର ବୈଠକ ଡକାଇଥିଲେ। ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଆଜି ବିଭିନ୍ନ ଗୁରୁତ୍ୱପୁର୍ଣ ନିଷ୍ପତି ନିଆଯାଇଛି। ଏଣିକି ଶ୍ରୀମନ୍ଦିର ସମସ୍ୟାକୁ ନେଇ ପ୍ରତି ୩ ମାସରେ ଥରେ ଲେଖାଏଁ ବର୍ଷକୁ ୪ଥର ସମୀକ୍ଷା ବୈଠକ ହେବ।

ସେହିପରି ବାଇଶିପାହାଚରେ ପିଣ୍ଡଦାନର ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ବାଇଶିପାହାଚରେ ପିଣ୍ଡଦାନର ସ୍ଥାନ ପରିବର୍ତ୍ତନ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ କେଉଁଠିକୁ କରାଯିବ ତାହା ଗୁରୁଜୀ ଶଙ୍କରାଚାର୍ଯ୍ୟଙ୍କ ମତ ଅନୁସାରେ ସ୍ଥିର ହେବ।

ଶଙ୍କରାଚାର୍ଯ୍ୟ କହିଛନ୍ତି, “ଶ୍ରୀମନ୍ଦିର ସମସ୍ୟା ଅସାଧ୍ୟ ନୁହେଁ, ମୂଳ ତୃଟିକୁ ସୁଧାରି ପାରିଲେ ସବୁ ସମସ୍ୟାର ସମାଧାନ ହୋଇପାରିବ।”

ଅନ୍ୟପଟେ ଶ୍ରୀମନ୍ଦିରର ମର୍ଯ୍ୟାଦା, ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ତିନୋଟି ସ୍ତମ୍ଭ ଯଥା ପ୍ରଶାସନ, ରାଜତନ୍ତ୍ର ଓ ସେବାୟତ ତନ୍ତ୍ର ମଧ୍ୟରେ ସମନ୍ୱୟ ରହିଲେ ହିଁ ସବୁ କାର୍ଯ୍ୟ ସୁରୁଖୁରୁରେ ସମ୍ଭବ ହେବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି।

ରବିବାର ବୈଠକରେ ପୁରୀ ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଅତିରିକ୍ତ ଆଇନ ସଚିବ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ହାଇକୋର୍ଟ ଓକିଲ ସଙ୍ଘର ପ୍ରତିନିଧି, ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି, , ପୁରୀ ଓକିଲ ସଙ୍ଘର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।

Comment