ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଲିଙ୍କ୍‌ ବିଲ୍ଡିଂ ଭୁଶୁଡ଼ିବା ପରେ ଦିଲ୍ଲୀପ କନଷ୍ଟ୍ରକ୍‌ସନ୍‌ର ପାରିବା ପାଣିଆକୁ ନେଇ ପ୍ରଶ୍ନ ଉଠିଛି। କୋଠା କେମିତି ଭୁଶୁଡ଼ିଲା ତାକୁ ନେଇ ଖୋଳତାଡ଼ ଚାଲିଥିବା ବେଳେ ଏହି ଠିକା ସଂସ୍ଥାର ଅନ୍ୟ ନିର୍ମାଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦିଲ୍ଲୀପ କନଷ୍ଟ୍ରକ୍‌ସନ୍‌ ପୁରୀରେ ଅନେକ ଗୁରୁତ୍ୱପୂର୍ଣ୍ଣ କୋଠା ନିର୍ମାଣ କରିଥିବା ବେଳେ ଆଉ କିଛି କୋଠା ନିର୍ମାଣାଧିନ ରହିଛି।

ଶ୍ରୀମନ୍ଦିର ଜଗମୋହନ ଏବଂ ନାଟ୍ୟ ମଣ୍ଡପର ସଂରକ୍ଷଣ କାମ ଏହି ସଂସ୍ଥା କରିଥିବା ବେଳେ ନବକଳେବର କୋଠା ମଧ୍ୟ ଏହି ସଂସ୍ଥା ନିର୍ମାଣ କରିଥିଲା। ସେହିପରି ୧୫ କୋଟି ଟଙ୍କା ବ୍ୟୟରେ ନୀଳାଦ୍ରି ଭକ୍ତ ନିବାସର ନିର୍ମାଣ କାମ ମଧ୍ୟ ଏହି ଠିକା ସଂସ୍ଥା ନେଇଥିଲା। ଏସବୁ ନିର୍ମାଣ କାମ ଶେଷ ହୋଇଥିଲେ ମଧ୍ୟ ଏବେ ଏହାର ସ୍ଥାୟୀତ୍ୱକୁ ନେଇ ଉଠିଛି ପ୍ରଶ୍ନ।

ଏବେ ପୁରୀରେ ଚାଲିଥିବା ୩୩ କୋଟି ଟଙ୍କା ବ୍ୟୟରେ ହବିଷ୍ୟାଳି କେନ୍ଦ୍ର, ୨୦ କୋଟି ଟଙ୍କା ବ୍ୟୟରେ ଚାଲିଥିବା ଶ୍ରୀମନ୍ଦିର ପ୍ରଶାସନିକ ଭବନ କାମ ମଧ୍ୟ କରୁଛି ଏହି କନଷ୍ଟ୍ରକ୍‌ସନ୍‌ କମ୍ପାନି। ଏପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ କାମ ବି କରୁଛି ଏହି ସଂସ୍ଥା।

ଏୟାରପୋର୍ଟ ଲିଙ୍କ୍‌ ବିଲ୍ଡିଂ ଭୁଶୁଡ଼ିବା ପରେ ପୁରୀର ଏହି ନିର୍ମାଣାଧିନ କାମକୁ ନେଇ ପ୍ରଶ୍ନବାଚୀ ଉଠିଛି। ଏହା ଭବିଷ୍ୟତରେ ସୁରକ୍ଷିତ ରହିବ କି ନାହିଁ ତାର କିଏ ଗ୍ୟାରେଣ୍ଟି ଦେବ ବୋଲି ଚର୍ଚ୍ଚା ଚାଲିଛି।

ଏପଟେ ଲିଙ୍କ୍‌ ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ କମିସନରେଟ୍‌ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଠିକା ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ ଖଟେଇଙ୍କ ସମେତ ଅନ୍ୟ ତିନି ଜଣ ଗିରଫ ହୋଇଛନ୍ତି।

Comment