ଓଡ଼ିଶାଲାଇଭ୍ ବ୍ୟୁରୋ

ସହିଦଙ୍କ ପରିବାରକୁ ଅସମ୍ମାନ ଘଟଣାରେ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କୁ ଗିରଫ କରିବାକୁ ଦାବି କରିଛି କଂଗ୍ରେସ। ପ୍ରେସମିଟରେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଏହି ଦାବି କରିଛନ୍ତି।

“ମୁଖ୍ୟମନ୍ତ୍ରୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ। ଦେବାଶିଷଙ୍କୁ ଦଳରୁ ବହିଷ୍କାର କରନ୍ତୁ। ସହିଦଙ୍କୁ ଅସମ୍ମାନ, ଜାତୀୟ ପତାକା ଓ ଜାତୀୟତାକୁ ଅସମ୍ମାନ।”, ପ୍ରେସମିଟରେ କହିଛନ୍ତି ପଞ୍ଚାନନ କାନୁନଗୋ।

ଏ ସମ୍ପର୍କିତ ଦଫା ଲଗାଇ ଦେବାଶିଷଙ୍କୁ ଗିରଫ କରାଯାଉ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଦେବାଶିଷଙ୍କ ବିରୋଧରେ ମହିଳା କଂଗ୍ରେସ ପକ୍ଷରୁ ବାଦାମବାଡ଼ି ଥାନାରେ ଏତଲା ଦିଆଯାଇଛି।

ଏହି ପ୍ରସଙ୍ଗରେ ପଞ୍ଚାନନଙ୍କୁ ଜବାବ ଦେଇଛି ବିଜେଡି। ଦଳ ଏହାର ବିଚାର କରିବ କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ।

“ଘଟଣାକୁ ନେଇ ଦେବାଶିଷ କ୍ଷମା ପ୍ରାର୍ଥନା କରିସାରିଛନ୍ତି। ଦେବାଶିଷଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନେବ କି ନାହିଁ ତାହା ଦଳ ନିର୍ଣ୍ଣୟ କରିବ”, କହିଛନ୍ତି ପ୍ରତାପ ଦେବ।

ପୁଲୱାମା ଆକ୍ରମଣରେ ସହିଦ ମନୋଜ ବେହେରାଙ୍କ ଅନ୍ତିମ କ୍ରିୟା ସମୟରେ ବିଧାୟକ ଦେବାଶିଷ ସାମନ୍ତରାୟ ଉପସ୍ଥିତ ଥିଲେ। ସେଠାରେ ସହିଦ ମନୋଜଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିଥିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ବିବାଦ ଜୋର ଧରିବାରୁ ମଙ୍ଗଳବାର ଦେବାଶିଷ ନଃସର୍ତ୍ତ କ୍ଷମା ମାଗିଥିଲେ।

Comment