ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବିକାଶର ବହୁ ପଛରେ ପୋଷ୍ୟ ଗ୍ରାମ ପେଦା ଲାବୁଡୁ।

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ଆନ୍ଧ୍ରପ୍ରଦେଶରେ ଆଗାମୀ ୫ ବର୍ଷ ପାଇଁ ପୁଣି ସରକାର ଗଠନର ସ୍ୱପ୍ନ ଦେଖୁଥିବା ତେଲୁଗୁ ଦେଶମ ଦଳର ସୁପ୍ରିମୋ ଅର୍ଥାତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଶକ୍ତ ଧକ୍କା ଲାଗିଛି। ଚନ୍ଦ୍ରବାବୁଙ୍କ ପୋଷ୍ୟ ଗ୍ରାମରେ ବର୍ତ୍ତମାନ ବିରୋଧୀ ଦଳର ନେତା ୱାଇଏସ୍ଆର କଂଗ୍ରେସ ଦଳର ସୁପ୍ରିମୋ ୱାଇ ଏସ ଜଗନମୋହନ ରେଡ୍ଡି ଜନସାଧାରଙ୍କ ହିରୋ ବନିଯାଇଛିନ୍ତି।

ଆନ୍ଧ୍ରପ୍ରଦେଶର ଊଟି ରୂପେ ପରିଚିତ ଆରକୁ ଭ୍ୟାଲିଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଛି ପେଦା ଲାବୁଡୁ ନାମକ ଗୋଟିଏ ଛୋଟିଆ ଆଦିବାସୀ ଗ୍ରାମ। ଏହା ଗୋଟିଏ ମାଓ ପ୍ରବଣ ଅଞ୍ଚଳ ଏବଂ ଏହି ଗ୍ରାମ ବିକାଶଠାରୁ ବହୁ ପଛରେ ରହିଛି। ଏହି ଗ୍ରାମକୁ ସବୁ କ୍ଷେତ୍ରରେ ବିକଶିତ କରିବା ପାଇଁ ଚନ୍ଦ୍ରବାବୁ ୨୦୧୫  ମସିହାରେ ଏହାକୁ ପୋଷ୍ୟ ଗ୍ରାମ ରୂପେ ଘୋଷଣା କରିଥିଲେ।

ଚନ୍ଦ୍ରବାବୁ ଏହି ଗ୍ରାମର ବିକାଶ ଭାର ନିଜ କାନ୍ଧକୁ ନେବା ପରେ ଏହି ଗ୍ରାମର ଜନସାଧାରଣ ଗାଁକୁ ନୂଆ ଦିନ ଆସିଲା ବୋଲି ଆଶା କରିଥିଲେ। ଖୁସିରେ ନାଚି ଉଠିଥିଲେ। ପୋଷ୍ୟ ଗ୍ରାମ ଘୋଷଣାକୁ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ଗ୍ରାମକୁ ବର୍ତ୍ତମାନ ସୁଦ୍ଧା ପିଇବା ପାଣି, ରାସ୍ତା, ଶିକ୍ଷାଦାନ ପାଇଁ ସ୍କୁଲ ଓ ଏପରିକି ବିଜୁଳି ପହଞ୍ଚି ପାରିନାହିଁ।

ଚନ୍ଦ୍ରବାବୁଙ୍କ ଘୋଷଣା ଘୋଷଣାରେ ରହିଯିବାରୁ ଏହି ଗ୍ରାମର ଶତକଡା ୯୦ ଭାଗ ପରିବାର ଚନ୍ଦ୍ରବାବୁଙ୍କ ଉପରୁ ଆସ୍ଥା ହରାଇଛନ୍ତି। ଏବେ ଗ୍ରାମବାସୀ ଜଗନମୋହନ ରେଡ୍ଡିଙ୍କୁ ନିଜର ହିରୋ ବୋଲି କହୁଛନ୍ତି।

ନିର୍ଵାଚନ ପାଖେଇ ଆସୁଥିବାରୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ପୋଷ୍ୟ ଗ୍ରାମରେ ଗୋଟିଏ ହସ୍ପିଟାଲ ଖୋଲା ଯାଇଥିଲା। ଗୋଟିଏ ପାଣି ଟାଙ୍କି ନିର୍ମାଣ କରାଯିବା ସହ ପ୍ରତି ଘରକୁ ବିଜୁଳି ସଂଯୋଗ ସାଙ୍ଗକୁ ହାଇ ସ୍ପିଡ୍ ଇଣ୍ଟରନେଟ ସଂଯୋଗ କରିବାକୁ ଉଦ୍ୟମ କରାଯାଇଥିଲା।

ହେଲେ ହସ୍ପିଟାଲରେ ଡାକ୍ତର ନିୟୋଜିତ କରାଯାଇ ନଥିବା ବେଳେ  ପାଣି ଟାଙ୍କିରୁ ପାଣି ଆସୁନି। ପାଣି ଟାଙ୍କି ପରିଚାଳନା ପାଇଁ କର୍ମଚାରୀ ନିଯୁକ୍ତ କରାଯାଇ ନାହିଁ। ଘରକୁ ବିଜୁଳି ସାଙ୍ଗକୁ ହାଇ ସ୍ପିଡ ଇଣ୍ଟେରନେଟ ସଂଯୋଗ କରାଯାଇଛି, ହେଲେ ନିଶୁଳ୍କ ବ୍ୟବସ୍ଥା ସରିବା ପରେ ଏହା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି।

ପାଠପଢ଼ା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ଚାକିରି ପ୍ରଦାନ କରାଯିବ ବୋଲି ଆନ୍ଧ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇପାରି ନାହିଁ।

“ଆମ ଗ୍ରାମର ଶିକ୍ଷିତ ଯୁବକ ଯୁବତୀମାନେ ଚାକିରି ଆଶାରେ ବିଶାଖାପାଟଣାସ୍ଥିତ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ ସରକାର ଆମ ଦୁଃଖ ବୁଝୁ ନାହାନ୍ତି”, କହିଛନ୍ତି ଗ୍ରାମବାସୀ।

୨୦୧୪ ନିର୍ବାଚନରେ ୱାଇ ଏସ ଆର କଂଗ୍ରେସର ପ୍ରତିନିଧି କୀଡାରି ସର୍ବେଶ୍ୱର ରାଓଙ୍କୁ ସମର୍ଥନ କରିବା ସହ ତାଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିଲେ। କିନ୍ତୁ ୨୦୧୬ ମସିହାରେ ସେ ୱାଇଏସ୍‌ଆର କଂଗ୍ରେସ ଛାଡି ତେଲୁଗୁ ଦେଶମ ଦଳରେ ଯୋଗ ଦେଇଥିଲେ। କିନ୍ତୁ ଗତ ବର୍ଷ ମାଓବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି।

ଗ୍ରାମବାସୀମାନେ ଆଗାମୀ ନିର୍ବାଚନରେ ପୁଣି  ୱାଇଏସଆର କଂଗ୍ରେସ ପ୍ରତି ଆସ୍ଥା ପ୍ରକଟ କରିବେ ବୋଲି ଜଣାପଡ଼ିଛି।

ସରପଞ୍ଚ ଶ୍ରୀ ରାଓ କହଛନ୍ତି, “ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ପେଦା ଲାବୁଡୁ ଗ୍ରାମକୁ ପୋଷ୍ୟ ଗ୍ରାମ ରୂପେ ଘୋଷଣା କରିବା ପରେ ଗ୍ରାମର ବିକାଶ ହେବ ବୋଲି ଆମେମାନେ ଆଶା ରଖିଥିଲୁ। କିନ୍ତୁ ଗାଁରେ ବିକାଶମୂଳକ କାମ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ରାଜ୍ୟ ସରକାର କିମ୍ବା ଜିଲ୍ଲାପ୍ରଶାସନ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଗଭର ନୁହନ୍ତି। ଏପରିକି ଗତ ବର୍ଷେ ହେଲା କୌଣସି ସରକାରୀ କର୍ମଚାରୀ ଏହି ଗ୍ରାମ ପରିଦର୍ଶନରେ ଆସି ନାହାନ୍ତି। ଏଣୁ ଆଗାମୀ ନିର୍ଵାଚନରେ ଆମେ ଜଗନମୋହନ ରେଡ୍ଡିଙ୍କୁ ସମର୍ଥନ କରିବୁ।”

ଏହି ଘଟଣା ପରେ ବର୍ତ୍ତମାନ ତେଲୁଗୁ ଦେଶମର କିଛି ନେତା ଦଳ ଛାଡି ୱାଇଏସ୍ଆର କଂଗ୍ରେସ ଦଳରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି।

Comment