ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ଆଜି ଭୋରରରୁ ଭାରତୀୟ ବାୟୁସେନାର ବଡ଼ ଧରଣର ହମଲା ହୋଇଛି। ବାୟୁସେନାର ୧୨ଟି ଲଢ଼ୁଆ ମିରାଜ-୨୦୦୦ ବିମାନ ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଛି। ଏଥିରେ ଜୈଶ-ଇ-ମହମ୍ମଦର ୩୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ବାଲାକୋଟରେ ଭାରତୀୟ ବାୟୁସେନାର ହମଲାରେ ଧ୍ୱଂସ ହୋଇଥିବା ଥିବା ଏହି ଆତଙ୍କି କ୍ୟାମ୍ପ୍‌ ବିଷୟରେ..

ପାକିସ୍ତାନର ଖାଇବର ପାଖତୁନୱା ପ୍ରଦେଶରେ ଥିବା କୁନହାରି ନଦୀ କୂଳରେ ବାଲାକୋଟ ସହର ଅବସ୍ଥିତ। ସହର ଠାରୁ ୨୦ କିମି ଦୂରରେ ଏକ ପାହାଡ଼ ଉପରେ ରହିଛି ଆତଙ୍କି କ୍ୟାମ୍ପ୍‌। ଏହି ଅଞ୍ଚଳରେ କେବଳ ଜୈଶ-ଇ-ମହମ୍ମଦର ନୁହେଁ, ହିଜବୁଲ ମୁଜାହିଦ୍ଦିନର ମଧ୍ୟ ଆତଙ୍କୀ କ୍ୟାମ୍ପ ସକ୍ରିୟ ରହିଛି।

ବାଲାକୋଟରେ ଥିଲା ଜୈଶ-ଇ-ମହମ୍ମଦର ସବୁଠାରୁ ବଡ଼ କ୍ୟାମ୍ପ

ବାଲାକୋଟରେ ଥିବା  ଜୈଶ-ଇ-ମହମ୍ମଦର କ୍ୟାମ୍ପଟି ସବୁଠାରୁ ବଡ଼ ପେଣ୍ଠ ସ୍ଥଳି ଥିଲା। ଏହି କ୍ୟାମ୍ପ୍‌ରେ ଏକାଥରକେ ୫୦୦ରୁ ୭୦୦ ଲୋକ ରହିବାର ବ୍ୟବସ୍ଥା ରହିଛି। ଏହି କ୍ୟାମ୍ପ୍‌ରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଚାଳନାର ସ୍ୱତନ୍ତ୍ର ତାଲିମ ଦିଆଯାଇଥାଏ। ବିଶେଷ କରି ଏଠାରେ ଆତଙ୍କବାଦୀମାନଙ୍କୁ ଆତ୍ମଘାତୀ ଆକ୍ରମଣ ସହ ଆଇଇଡି ବିସ୍ଫୋରଣ ତାଲିମ୍‌ ଦିଆଯାଏ।

ପାକିସ୍ତାନ ଆର୍ମିର ପୂର୍ବତନ ଅଧିକାରୀ ଆତଙ୍କବାଦୀଙ୍କୁ ତାଲିମ ଦିଅନ୍ତି

ପାକିସ୍ତାନ ଆର୍ମିର ପୂର୍ବତନ ଅଧିକାରୀ ମାନେ ଏହି ଆତଙ୍କବାଦୀମାନଙ୍କୁ ତାଲିମ୍‌ ଦେଇଥାନ୍ତି। ଜୈଶ-ଇ-ମହମ୍ମଦର ମୁଖ୍ୟ ମୋଷ୍ଟ ୱାଣ୍ଟେଡ ମସୁଦ ଅଜହର ଏହି କ୍ୟାମ୍ପକୁ ନିୟମିତ ଆସିଥାଏ। ମସୁଦ ଏଠାରେ ଆତଙ୍କବାଦୀଙ୍କୁ ଆକ୍ରମଣାତ୍ମକ ଭାଷଣା ଦେଇଥାଏ। କୁହାଯାଉଛି, ପୁଲୱାମା ଆକ୍ରମଣ ଘଟାଇଥିବା ଆତ୍ମଘାତୀ ଆଦିଲ ଅହମ୍ମଦ ଏହି ସ୍ଥାନରୁ ଟ୍ରେନିଂ ପାଇଥିଲା।

ମଙ୍ଗଳବାର ଭାରତୀୟ ବାୟୁସେନାର ୧୨ଟି ଲଢ଼ୁଆ ମିରାଜ-୨୦୦୦ ବିମାନ ପାକିସ୍ତାନର ବାଲାକୋଟରେ ଥିବା ଏହି ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରି ଜୈଶ-ଇ-ମହମ୍ମଦର ଏହି ଆତଙ୍କି କ୍ୟାମ୍ପକୁ ଧ୍ୱଂସ କରିଦେଇଛି।

Comment