ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ


ଆସନ୍ତା ସୋମବାର ଦିନ ୨୦୧୯ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହୋଇପାରେ। କୁହାଯାଉଛି ଦେଶର ଚାଷୀମାନଙ୍କୁ ଦ୍ୱିତୀୟ କିସ୍ତି ଅର୍ଥ ମଞ୍ଜୁର କରିବା ପରେ ଲୋକସଭା ନିର୍ବାଚନ ପାଇଁ ଘୋଷଣା ପ୍ରକାଶ ପାଇବ।

ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀମାନଙ୍କ ପାଇଁ ବିଭିନ୍ନ ଘୋଷଣା କରିବା ଜରିଆରେ ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଚାଷୀମାନଙ୍କ ପାଇଁ ଏହି ଆର୍ଥିକ ସହାୟତା ସମ୍ପର୍କିତ ଯୋଜନା ବଜେଟରେ ଘୋଷଣା କରିଥିଲେ ଅସ୍ଥାୟୀ ଅର୍ଥ ମନ୍ତ୍ରୀ ପୀୟୂଷ ଗୋଏଲ।

ଖବର ଆସୁଛି ଯେ ଆସନ୍ତା ସୋମବାର ସୁଦ୍ଧା ନିର୍ବାଚନ ତାରିଖ ଘୋଷଣା ଏକ ରକମ ନିଶ୍ଚିତ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଯାହାକୁ ଯେମିତି ତୋଷ କରାଯାଇପାରେ ସେହି କାମରେ ମୋଦି ସରକାର ଲାଗିପଡିଛନ୍ତି।

ଗୋଟିଏ ସୂତ୍ର ଅନୁସାରେ ସୋମବାରକୁ ଆଉ ତାରିଖ ଡେଇଁବ ନାହିଁ। ଚଳିତ ୮ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ରାଜ୍ୟ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇ ସାରିଛି। ଏଥି ପୂର୍ବରୁ ୬ ତାରିଖରେ ଏନଡିଏ ସରକାରର ଶେଷ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଚାଷୀମାନଙ୍କ ପାଇଁ ଦୁଇ ହଜାର ଟଙ୍କା ସହାୟତା ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରି ଦିଆଯିବ।

ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ନିଧିର ପ୍ରଥମ କିସ୍ତି ଫେବ୍ରୁଆରି ୨୪ ତାରିଖରେ ଘୋଷଣା କରାଯାଇଥିଲା। ଯେହେତୁ ଦ୍ୱିତୀୟ କିସ୍ତିଟି ଚଳିତ ଆର୍ଥିକ ବର୍ଷ ଭିତରେ ଆସୁଛି, ଏଥିପାଇଁ କ୍ୟାବିନେଟର ଅନୁମୋଦନ ଦରକାର। ଏପ୍ରିଲ ପ୍ରଥମ ସପ୍ତାହରେ ଚାଷୀ ଏହି ସହାୟତା ପାଇବେ।

୨୪ ତାରିଖରେ ଯେଉଁ କୋଟିଏ ଚାଷୀଙ୍କୁ ଅର୍ଥ ଦିଆଗଲା ସେମାନଙ୍କ ଭିତରୁ ୪୦ ପ୍ରତିଶତ ଚାଷୀ କେବଳ ଉତ୍ତର ପ୍ରଦେଶର। ଉକ୍ତ ଟଙ୍କା ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶର ଚାଷୀଙ୍କୁ ମୁଖ୍ୟତଃ ଯାଇଥିଲା। ଅନ୍ୟ ରାଜ୍ୟ ସରକାର ଚାଷୀଙ୍କ ତାଲିକା ପଠାଇ ନଥିବା ଘଟଣାରେ ମୋଦି ସେମାନଙ୍କୁ ସମାଲୋଚନା କରିଥିଲେ।

ସାଧାରଣ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆସନ୍ତା ଦୁଇ ଦିନ ମଧ୍ୟରେ ଜମ୍ମୁ କଶ୍ମୀରରେ ନିର୍ବାଚନ ହେବକି ନା ସେନେଇ ନିର୍ବାଚନ କମିଶନ ଘୋଷଣା ଶୁଣାଇପାରେ।

କମିଶନ ପାଇଁ ବଡ଼ ପ୍ରଶ୍ନ ହେଉଛି ବର୍ତ୍ତମାନ ପରିସ୍ଥିତିରେ ସେଠି ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରାଯାଇପାରିବ କି? ଗୃହ ମନ୍ତ୍ରାଳୟ ପକ୍ଷରୁ କମିଶନଙ୍କୁ କୁହାଯାଇ ସାରିଛି ଯେ କେନ୍ଦ୍ର ପୂରା ପ୍ରସ୍ତୁତ। ଯଦି କମିଶନ ସନ୍ତୁଷ୍ଟ ହେବେ ତେବେ ସେଠି ଏକାଥରେ ନିର୍ବାଚନ ହେବ।

LEAVE A REPLY

Please enter your comment!
Please enter your name here