ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ :  ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ୯ ହଜାର ୨୮୬ଟି ମାମଲାର ଫଇସଲା କରାଯାଇଛି। ଜରିମାନା ଓ କ୍ଷତିପୂରଣ ବାବଦକୁ ୬୧ କୋଟି ୮୧ ଲକ୍ଷ ୬୮ ହଜାର ୬୩ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଲୋକ ଅଦାଲତରେ ଫୌଜଦାରୀ, ଦେୱାନି, ଚେକ ବାଉନ୍ସ, ଦୁର୍ଘଟଣାଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ,  ପାରିବାରିକ ଓ ବୈବାହିକ, ରାଜସ୍ୱ, ଶ୍ରମିକ ସଂପର୍କିତ, ଚାକିରି ଓ ବକେୟା ପ୍ରାପ୍ୟ ମାମଲା, ବିଦ୍ୟୁତ ଓ ଜଳ ଯୋଗାଣ ବ୍ୟୟ ବିବାଦ, ଜମି ଅଧିଗ୍ରହଣ ମାମଲା ଆଦିର ଶୁଣାଣି କରାଯାଇ ଆପୋଷ ବୁଝାମଣାରେ ସମାଧାନ କରାଯାଇଥିଲା।

ପ୍ରାକ୍ ମକଦ୍ଦମା ସ୍ତରୀୟ ୫୧ ହଜାର ୩୨୫ଟି ମାମଲା ମଧ୍ୟରୁ ୨୭୪୪ଟି ଏବଂ ୪୬ ହଜାର ୯୧୨ଟି ବିଚାରାଧିନ ମାମଲା ମଧ୍ୟରୁ ୬ ହଜାର ୫୪୨ଟିର ଆପୋଷ ସମାଧାନ ହୋଇଥିବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରାଧିକରଣ ସଦସ୍ୟ ସଚିବ ଦେବାଶିଷ ନାୟକଙ୍କ ତତ୍ତ୍ୱାବଧାନରେ ସହକାରୀ ସଚିବ ଜ୍ୟୋତିରଂଜନ ଦାସ ଓ ସଂସ୍ଥା ଅଧିକାରୀ କମଳାକାନ୍ତ କର ପ୍ରମୁଖ ଲୋକ ଅଦାଲତ ଆୟୋଜନରେ ସହଯୋଗ କରିଥିଲେ।

ହାଇକୋର୍ଟରେ ଲୋକ ଅଦାଲତ

ଓଡ଼ଇଶା ରାଜ୍ୟ ଆଇନସେବା ପ୍ରାଧିକରଣ ମୁଖ୍ୟ ପୃଷ୍ଠପୋଷକ ତଥା ମୁଖ୍ୟ ବିଚାରପତି କେ ଏସ ଝାଭେରୀ, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ବିଚାରପତି ସଂଜୁ ପଣ୍ଡା, ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ବିଚାରପତି ସି ଆର ଦାସଙ୍କ ମାର୍ଗଦର୍ଶନରେ ହାଇକୋର୍ଟ ପରିସରରେ ଜାତୀୟସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।

ଏଥିପାଇଁ ୭୯୯ଟି ମାମଲା ତାଲିକାଭୁକ୍ତ ହୋଇଥିବା ବେଳେ ୧୨୭ଟି ମାମଲା ଫଇସଲା କରାଯାଇ ୬ କୋଟି ୨୯ ଲକ୍ଷ ୯ ହଜାର ଟଙ୍କା କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ହାଇକୋର୍ଟ ବିଚାରପତି ଚିତ୍ତ ରଂଜନ ଦାସ, ବିଚାରପତି ଡକ୍ଟର କେ କେ ରଥ, ବିଚାରପତି ବିଶ୍ୱନାଥ ରଥ, ବିଚାରପତି ଏସ କେ ସାହୁ, ବିଚାରପତି କେ ଆର ମହାପାତ୍ର, ବିଚାରପତି ଡକ୍ଟର ଏ କେ ମିଶ୍ର ମାମଲାଗୁଡ଼ିକର ବିଚାର କରିଥିଲେ।

Comment