ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭାରତର ନିର୍ବାଚନ କମିଶନ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ଘୋଷଣା ହେବା ସହ ଦେଶରେ ନିର୍ବାଚନ ଆଚରଣ ବିଧି ବି ଲାଗୁ ହୋଇଛି। ଓଡ଼ିଶାରେ ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ ବି ହେଉଥିବାରୁ ଏଠାକାର ନିର୍ବାଚନର ଗୁରୁତ୍ୱ ବଢ଼ିଯାଇଛି।
ନିର୍ବାଚନ ଘୋଷଣା ହେବା ପରେ କମିଶନ ପକ୍ଷରୁ ରାଜନୈତିକ ଦଳ ମାନଙ୍କ ପାଇଁ କେତୋଟି ‘କରଣୀୟ ଓ ଅକରଣୀୟ’ ବି ଘୋଷଣା କରାଯାଇଛି। ଏଥିରେ ସବୁଠୁ ବଡ଼ କଥା ହେଲା ସରକାର ଆଜିଠୁ କୌଣସି ନୂଆ ନୀତି ବା କାର୍ଯ୍ୟକ୍ରମ ଘୋଷଣା କରିପାରିବେ ନାହିଁ।

ଆଚରଣ ବିଧି କ’ଣ
ନିର୍ବାଚନ କମିଶନଙ୍କ ଆଚରଣ ବିଧି ହେଉଛି ଏକ ପ୍ରକାର ନିର୍ଦ୍ଦେଶାବଳୀ ଯାହାକୁ ରାଜନୈତିକ ଦଳ ମାନେ ମାନିବେ। କେବଳ ରାଜନୈତିକ ଦଳ ନୁହେଁ ପ୍ରାର୍ଥୀମାନଙ୍କ ପାଇଁ ବି ଏହା ଲାଗୁ ହେବ। ଏହି ନିୟମାବଳୀରେ ନିର୍ବାଚନୀ ଭାଷଣ, ଭୋଟ ଦିବସ, ପୁଲିଂ ବୁଥ, ନିର୍ବାଚନ ଇସ୍ତାହାର,ଶୋଭାଯାତ୍ରା ଓ ଭଲ ଆଚରଣ ପ୍ରଦର୍ଶନ ଇତ୍ୟାଦି ବିଷୟ ରହିଛି। ଏଭଳି କରିବାର ଉଦ୍ଦେଶ୍ୟ ଯେପରିକି ନିର୍ବାଚନ ଅବାଧ ଓ ନିରପେକ୍ଷ ହୋଇ ପାରିବ।

କେବେଠୁ ଆରମ୍ଭ?
ପ୍ରେସ ସୂଚନା କାର୍ଯ୍ୟାଳୟର ସୂଚନା ଅନୁସାରେ ୧୯୬୦ରେ କେରଳ ବିଧାନସଭା ନିର୍ବାଚନରେ ଏହି ଆଚରଣ ବିଧି ପ୍ରଥମେ ଲାଗୁ କରାଯାଇଥିଲା। ୧୯୬୨ ସାଧାରଣ ନିର୍ବାଚନରେ ପ୍ରାୟ ସବୁ ଦଳ ଏହାକୁ ମାନିଥିଲେ। ତା’ ପରଠାରୁ ସମସ୍ତଙ୍କ ପକ୍ଷରୁ ଏହାକୁ ପାଳନ କରାଯାଇଛି ଓ ଏହା ନିର୍ବାଚନର ଏକ ଅଂଶ ବିଶେଷ ହୋଇଛି। ୧୭୭୯ ଅକ୍ଟୋବର ମାସରେ ନିର୍ବାଚନ କମିଶନ ଏକ ନୂଆ ନିୟନ୍ତ୍ରଣ ବ୍ୟବସ୍ଥା ଏଥିରେ ଯୋଡ଼ିଲେ। ସେହି ଅନୁସାରେ ନିର୍ବାଚନ ଘୋଷଣା ବେଳେ କ୍ଷମତାରେ ଥିବା ସରକାରଙ୍କ ଉପରେ କିଛି ଅଧିକ ଅଙ୍କୁଶ ଲଗାଯାଇଛି। ଏଥରର ନିର୍ବାଚନ ଆଚରଣ ବିଧି ମାର୍ଚ୍ଚ ୧୦ରୁ ପ୍ରୟୋଗ ହେବ ଓ ନିର୍ବାଚନ ଫଳ ଘୋଷଣା ପର୍ଯ୍ୟନ୍ତ ବଳବତ୍ତର ରହିବ।
କଣ ସବୁ କଟକଣା?

ନିର୍ବାଚନ ଆଚରଣ ବିଧିରେ ୮ ଟି କଟକଣା ରହିଛି। କେମିତି ଭାଷଣ ପ୍ରଦାନ କରାଯିବ,ବୁଥରେ କ’ଣ କ’ଣ ମାନିବାକୁ ପଡ଼ିବ, ଭୋଟ ଦିନ ପ୍ରାର୍ଥୀ କଣ କରିବେ ଓ ନକରିବେ, ପର୍ଯ୍ୟବେକ୍ଷକଙ୍କ ଭୂମିକା କଣ ହେବ ଓ ନିର୍ବାଚନ ଘୋଷଣାପତ୍ରରେ କଣ ରହିବ ଏ ସବୁ କଥା ଏଥିରେ ରହିଛି।
ତାରିଖ ଘୋଷଣା ହେବା କ୍ଷଣି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାମ ହେବ ସରକାରୀ କଳକୁ ନିର୍ବାଚନ କାମରେ ବ୍ୟବହାର କରିପାରିବେ ନାହିଁ। ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ନୂଆ କାର୍ଯ୍ୟକ୍ରମ, ନୀତି କିମ୍ବା ପ୍ରକଳ୍ପ ଘୋଷଣା ହୋଇ ପାରିବ ନାହିଁ। ସରକାରୀ ଅର୍ଥ ଖର୍ଚ୍ଚ କରି ନିଜ ଦଳର ପ୍ରଚାର ପାଇଁ ସରକାର ମାନେ ଗଣ ମାଧ୍ୟମରେ ବିଜ୍ଞାପନ ଦେଇପାରିବେ ନାହିଁ।

ମନ୍ତ୍ରୀଙ୍କ ଉପରେ କଟକଣା
ଆଚରଣ ବିଧିରେ ରହିଛି ଯେ ମନ୍ତ୍ରୀ ମାନେ ଦଳୀୟ କାର୍ଯ୍ୟ ସହିତ ସରକାରୀ ଗସ୍ତକୁ ଯୋଡ଼ି ପାରିବେ ନାହିଁ କି ସରକାରୀ କର୍ମଚାରୀଙ୍କୁ ଦଳର ପ୍ରଚାର କାମରେ ବ୍ୟବହାର କରିପାରିବେ ନାହିଁ। ସେହିଭଳି ସରକାରୀ ଗାଡ଼ି ଓ ଯନ୍ତ୍ରପାତି ବ୍ୟବହାର କରିବା ନିଷିଦ୍ଧ। ଆହୁରି ମଧ୍ୟ ପ୍ରଚାର ଓ ମିଟିଂ ପାଇଁ ସର୍ବସାଧାରଣ ସ୍ଥାନ ଯଥା ମଣ୍ଡପ ଓ ପଡ଼ିଆକୁ ବିରୋଧୀ ଦଳଙ୍କୁ ମଧ୍ୟ ଦିଆଯିବ। କ୍ଷମତାରେ ଥିବା ସରକାର ବିଭିନ୍ନ ବିଭାଗରେ, ନିଗମରେ କିମ୍ବା ଅନ୍ୟ ଅର୍ଦ୍ଧସରକାରୀ ସଂସ୍ଥାରେ କାହାକୁ ଅସ୍ଥାୟୀ ନିଯୁକ୍ତି ଦେଇ ପାରିବେ ନାହିଁ।

ବିରୁଦ୍ଧ ପ୍ରଚାର
ବିରୋଧୀ ରାଜନୈତିକ ଦଳ ଓ ପ୍ରାର୍ଥୀ ମାନଙ୍କୁ କେବଳ ସେମାନଙ୍କର କାର୍ଯ୍ୟ ସମ୍ପାଦନ ଭିତ୍ତିରେ ସମାଲୋଚନା କରାଯାଇ ପାରିବ। କୌଣସି ଜାତିଗତ କିମ୍ବା ଧର୍ମଗତ ଆକ୍ଷେପ କରାଯାଇ ପାରିବ ନାହିଁ। ନିର୍ବାଚନ ପ୍ରଚାର ପାଇଁ ମସଜିଦ,ମନ୍ଦିର ଓ ଚର୍ଚ୍ଚକୁ ବ୍ୟବହାର କରାଯାଇ ପାରିବ ନାହିଁ। ଭୋଟରକୁ ଲାଞ୍ଚ ଦେବା,ତା ପ୍ରତି ପ୍ରତିଶୋଧପରାୟଣ ହେବା ଓ ଜାଲି ଭୋଟରକୁ ମଧ୍ୟ ବାରଣ କରାଯାଇଛି। ଭୋଟ ଗ୍ରହଣ ସମୟ ଶେଷକୁ ନିର୍ଘଣ୍ଟ ଭାବେ ଧରି ୪୮ ଘଣ୍ଟା ପୂର୍ବରୁ ସବୁ ରକମ ପ୍ରଚାର ପ୍ରସାର ବନ୍ଦ ହେବ।
ଆଇନଗତ ସମର୍ଥନ ନାହିଁ
ଏହି ଆଚରଣ ବିଧି ସର୍ବସମ୍ମତି ଭିତ୍ତିରେ ପ୍ରସ୍ତୁତ କରାଯାଇଛି ଓ ସମସ୍ତେ ଏହାକୁ ମାନିବା କଥା ।ଏହାର କୌଣସି ସାମ୍ବିଧାନିକ ଭିତ୍ତି ନାହିଁ। ସିଧାସଳଖ କହିଲେ ,ଯଦି କେହି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ନିର୍ବାଚନ ଆଇନ ଅନୁସାରେ ଉଲ୍ଲଘଂକାରୀଙ୍କ ବିରୁଦ୍ଧରେ କୌଣସି ମକଦ୍ଦମା ରୁଜୁ କରାଯାଇ ପାରିବ ନାହିଁ। ମାନିବା ନମାନିବା ନିଜ ଇଛା ଉପରେ ନିର୍ଭର କରେ। ଅତି ବେଶୀରେ ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ ଜବାବ ତଲବ କରିପାରିବ। ଅଭିଯୁକ୍ତ ଦଳ କିମ୍ବା ପ୍ରାର୍ଥୀ ହୁଏତ ଭୁଲକୁ ସ୍ୱୀକାର କରିପାରନ୍ତି,ପ୍ରତ୍ୟାଖ୍ୟାନ କରିପାରନ୍ତି କିମ୍ବା ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ପାରନ୍ତି। ମୋଟାମୋଟି ଭାବରେ କହିଲେ ,ନିର୍ବାଚନ କମିଶନର ଆଚରଣ ବିଧିର କୌଣସି ଆଇନଗତ ଭିତ୍ତି ନାହିଁ।

















