ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ
  • ଭୋଟ ଗ୍ରହଣ ତାରିଖ – ୨୩ ଏପ୍ରିଲ୍‌
  • ମାର୍ଚ୍ଚ ୨୮ରୁ ଏପ୍ରିଲ୍‌ ୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ
  • ମୋଟ ଭୋଟଦାତା – ୮ଲକ୍ଷ ୧୬ ହଜାର ୨୭୪
  • ମୋଟ ଭୋଟଗ୍ରହଣ କେନ୍ଦ୍ର – ୪୪୭
  • ମୋଟ ପୋଲିଂ ବୁଥ୍‌ – ୯୩୫
  • ମୋଟ କ୍ରିଟିକାଲ୍‌ ବୁଥ୍‌ – ୩୪୬

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁର ଜିଲ୍ଲାର ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଆସନ ପାଇଁ ଏପ୍ରିଲ୍‌ ୨୩ରେ ଭୋଟଗ୍ରହଣ କରାଯିବ। ସେଥିପାଇଁ ଜିଲ୍ଲାପ୍ରଶାସନ ଦ୍ୱାରା ବ୍ୟାପକ ପ୍ରସ୍ତୁତି କରାଯାଇଛି। ନିର୍ବାଚନ ଆଚରଣବିଧି ଲାଗୁ ହେବାପରେ ପ୍ରଥମେ ଦଳୀୟ ପୋଷ୍ଟର ହୋର୍ଡିଂ ପତକା ହଟାଯାଇଛି। ସେହିପରି ରାତ୍ରିକାଳୀନ ପୋଲିସ୍‌ ପାଟ୍ରୋଲିଂ କରାଯିବା ସହ ଇଭିଏମ୍‌ ଭିବିପାଟ୍‌କୁ ପ୍ରସ୍ତୁତ କରି ରଖାଯାଇଛି। ଏଥର ନିର୍ବାଚନରେ ଉଭୟ ରାଜ୍ୟ ପୋଲିସ୍‌ ସହ କେନ୍ଦ୍ରୀୟ ସୁରକ୍ଷାବଳକୁ ନିୟୋଜନ କରାଯିବ।

ସେଥିପାଇଁ ପ୍ରସ୍ତୁତି ସରିଥିବା ବେଳେ, ଏବେ ଅପେକ୍ଷା ନାମାଙ୍କନପତ୍ର ଦାଖଲ ଯାଞ୍ଚ ଓ ଭୋଟିଂ ପାଇଁ। ଚଳିତ ନିର୍ବାଚନ ଯେପରି ଅବାଧ, ନିରପେକ୍ଷ ଓ ଭୟମୁକ୍ତ ହେବ ସେଥିପାଇଁ ଜିଲ୍ଲାପ୍ରଶାସନ ଓ ପୋଲିସ୍‌ ସମସ୍ତ ବ୍ୟବସ୍ଥା କରିଛି।

ସମ୍ବଲପୁର ଜିଲ୍ଲାରେ ରହିଛି ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ। ସମ୍ବଲପୁର, ରେଙ୍ଗାଲି, ରେଢ଼ାଖୋଲ ଓ କୁଚିଣ୍ଡା ବିଧାନସଭା ସହ ସମ୍ବଲପୁର ଲୋକସଭା ଆସନ ପାଇଁ ଆସନ୍ତା ୨୩ ଏପ୍ରିଲ୍‌ରେ ଭୋଟ ଗ୍ରହଣ କରାଯିବ। ସେଥିପାଇଁ ଜିଲ୍ଲାର ମୋଟ ୮ଲକ୍ଷ ୧୬ ହଜାର ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪ ଲକ୍ଷ ୯ ହଜାର ୫୦୪ ଜଣ ପୁରୁଷ, ୪ ଲକ୍ଷ ୬ ହଜାର ୬୭୯ ଜଣ ମହିଳା ଓ ୯୧ଜଣ ତୃତୀୟ ଲିଙ୍ଗ ଭୋଟଦାତା ରହିଛନ୍ତି।

ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ଗୋଟିଏ ପୋଲିଂ ବୁଥ କେବଳ ମହିଳାଙ୍କ ପାଇଁ ଓ ଗୋଟିଏ ବୁଥ୍‌ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଜିଲ୍ଲାର ମୋଟ ୪୪୭ଟି ଭୋଟଗ୍ରହଣ କେନ୍ଦ୍ରରେ ୯୩୫ଟି ବୁଥ୍‌ ରହିବ। ଗ୍ରାମାଞ୍ଚଳରେ ୩୪୪ଟି ଓ ସହରାଞ୍ଚଳରେ ୧୦୩ଟି ଭୋଟଗ୍ରହଣ କେନ୍ଦ୍ର ରହିବ। ସମ୍ପୂର୍ଣ୍ଣ ଜିଲ୍ଲାକୁ ୧୦୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ସମ୍ବଲପୁର ନିର୍ବାଚନମଣ୍ଡଳୀରେ ୧୭ଟି ଆଦର୍ଶ ବୁଥ୍‌ ରହିବା ସହ ରେଙ୍ଗାଲି, କୁଚିଣ୍ଡା ଓ ରେଢ଼ାଖୋଲରେ ୧୦ଟି ଲେଖାଏଁ ଆଦର୍ଶ ପୁଲିଂ ବୁଥ ରହିବ। ସମ୍ବଲପୁର ଜିଲ୍ଲାର ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ମୋଟ ୯୩୫ଟି ବୁଥ୍‌ ମଧ୍ୟରୁ ୩୪୬ଟି ଅତି ସମ୍ବେଦନଶୀଳ ବୁଥ ରହିଛି। ଏହି ବୁଥ୍‌ଗୁଡ଼ିକରେ ରାଜ୍ୟ ପୋଲିସ୍‌ ସହ କେନ୍ଦ୍ରୀୟ ସୁରକ୍ଷାବଳ ମଧ୍ୟ ମୁତୟନ ରହିବେ ବୋଲି ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଅଜୟ କୁମାର ଜେନା କହିଛନ୍ତି।

ନିର୍ବାଚନ ବିଜ୍ଞପ୍ତି ଚଳିତମାସ ୨୮ତାରିଖରେ ପ୍ରକାଶିତ ହେବାପରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଯିବ। ମାର୍ଚ୍ଚ ୨୮ତାରିଖରୁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ସେହି ୨୮ମାର୍ଚ୍ଚରୁ ଆରମ୍ଭ ହୋଇ ଏପ୍ରିଲ୍‌ ୪ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ୍‌ ୫ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ଏପ୍ରିଲ୍‌ ୮ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏପ୍ରିଲ୍‌ ୨୩ତାରିଖରେ ଭୋଟଗ୍ରହଣ ଥିବାରୁ ୨୧ତାରିଖ ସଂନ୍ଧ୍ୟା ୫ଟା ସୁଦ୍ଧା ପ୍ରଚାର କାର୍ଯ୍ୟ ଶେଷ ହେବ। ଗତ ନିର୍ବାଚନରେ ସମସ୍ତ ୪ଟି ଯାକ ବିଧାନସଭା କ୍ଷେତ୍ରରେ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ମଧ୍ୟରେ ଖୁବ୍‌ କମ ଭୋଟ ବ୍ୟବଧାନ ଥିବାରୁ ଚଳିତ ବର୍ଷ ବ୍ୟାପକ ଅର୍ଥ ବଣ୍ଟା, ଗଣ୍ଡଗୋଳର ଆଶଙ୍କା କରିଛି ଜିଲ୍ଲାପ୍ରଶାସନ। ସେଥିପାଇଁ ବ୍ୟାପକ ପୋଲିସ୍‌ ମୁତୟନ, ପାଟ୍ରୋଲିଂ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଟଙ୍କା ବାଣ୍ଟିବା ସମୟରେ ଚଢ଼ାଉ ପାଇଁ ସ୍ୱତନ୍ତ୍ର ଟିମ୍‌ ପ୍ରସ୍ତୁତ କରି ରଖାଯାଇଛି ବୋଲି ଏସ୍‌ପି ସଞ୍ଜିବ ଅରୋରା କହିଛନ୍ତି।

ଚଳିତ ନିର୍ବାଚନରେ ସମ୍ବଲପୁର ଜିଲ୍ଲାରେ ମୁଖ୍ୟତଃ ବିଜେଡି-ବିଜେପି ମଧ୍ୟରେ ସମସ୍ତ ୪ଟି ବିଧାନସଭା ଓ ଲୋକସଭା ଆସନରେ ସିଧା ଫାଇଟ୍‌ ହେଉଥିବାରୁ ନିର୍ବାଚନ ତାରିଖ ଘୋଷଣା ଦିନରୁ ରାଜନୈତିକ ଉଷ୍ମତା ବାରି ହୋଇପଡ଼ୁଛି। ହେଲେ ଭୋଟଗ୍ରହଣ ଦିନ ଯେତିକି ପାଖେଇ ଆସିବ ରାଜନୈତିକ ଦଳର ଭୋଟପ୍ରଚାର ସେତିକି ଅଧିକ ଜମିବା ଆଶା କରାଯାଉଛି।

Comment