ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୪ ବିଧାୟକଙ୍କ ଟିକେଟ କାଟିଲା ବିଜେଡି।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ୯ଟି ଲୋକସଭା ଆସନର ୫୪ଟି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

୫୪ଟି ବିଧାନସଭା ଆସନରେ ନୂଆ ଓ ପରୁଣା ମୁହଁକୁ ଅଗ୍ରାଧିକାର ଦେଇଛି ବିଜେଡି। ଏସବୁ ଭିତରେ ୧୪ ଜଣ ବିଧାୟକଙ୍କ ଟିକେଟ ମଧ୍ୟ କଟିଛି। ଦଳୀୟ ସର୍ଭେ ଆଧାରରେ ୧୪ ଜଣ ଟିକେଟ ରେସ୍‌ରୁ ବାଦ୍ ପଡ଼ିଛନ୍ତି।

କଳହାଣ୍ଡିରେ କଟିଲେ ଅନାମ

୨୦୧୪ ନିର୍ବାଚନରେ ବିଜେଡି ଟିକେଟରୁ ନିର୍ବାଚନ ଜିତିଥିଲେ ଅନାମ ନାୟକ। ହେଲେ ଏଥର ତାଙ୍କୁ ବାଦ୍‌ ଦେଇ କଳାହାଣ୍ଡି ବିଧାନସଭା ଆସନରୁ ଦୁଷ୍ମନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ। ଦୁଷ୍ମନ୍ତ କଂଗ୍ରେସରୁ ବିଜେଡିକୁ ଆସିଥିଲେ। ୨୦୧୪ ନିର୍ବାଚନରେ ଅନାମ ଏବଂ ଦୁଷ୍ମନ୍ତ ମୁହାଁମୁହିଁ ହୋଇଥିଲେ।

ନର୍ଲାରୁ ଭୁପିନ୍ଦର ପ୍ରାର୍ଥୀ

କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରେ ଏଥର ପ୍ରାର୍ଥୀ ବଦଳାଇଛି ବିଜେଡି। ୨୦୧୪ରେ ଜିତିଥିବା ଧନେଶ୍ୱର ମାଝି ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି। ତାଙ୍କ ଜାଗାରେ ଭୁପିନ୍ଦର ସିଂଙ୍କୁ ପ୍ରାର୍ଥୀ କରିଛି ଦଳ। ୨୦୧୪ ନିର୍ବାଚନ ପୂର୍ବରୁ ଭୁପିନ୍ଦର କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଭୁପିନ୍ଦରଙ୍କୁ ଅଳ୍ପ କିଛି ମାସ ପାଇଁ ରାଜ୍ୟସଭାକୁ ପଠାଇଥିଲା ବିଜେଡି।

ଚିତ୍ରକୋଣ୍ଡାରୁ କଟିଲେ ଡମ୍ବରୁ ସିସା

ପ୍ରଥମ ବଣ୍ଡା ବିଧାୟକ ଭାବେ ୨୦୧୪ରେ ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିଲେ ଡମ୍ବରୁ ସିସା। ହେଲେ ଏଥର ଟିକେଟ ପାଇନାହାନ୍ତି ସେ। ତାଙ୍କୁ ହଟାଇ ବିଜେଡି ପୂର୍ଣ୍ଣଚନ୍ଦ୍ର ସାକାଙ୍କୁ ପ୍ରାର୍ଥୀ କରିଛି।

ଛତ୍ରପୁରରୁ ହଟିଲେ ପ୍ରିୟାଂସୁ ପ୍ରଧାନ

ବ୍ରହ୍ମପୁର ଲୋକସଭା ଅଧିନରେ ଆସୁଥିବା ଛତ୍ରପୁର ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି ନବୀନ। ଡାକ୍ତର ପ୍ରିୟାଂସୁ ପ୍ରଧାନଙ୍କ ଟିକେଟ କାଟି ସୁବାସ ଚନ୍ଦ୍ର ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ୨୦୧୪ରେ ପ୍ରିୟାଂସୁ ପ୍ରଥମ ଥର ପାଇଁ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ରମେଶ କଟିଲେ, ବିକ୍ରମ ଆସିଲେ

ସମ୍ମାନଜନକ ବ୍ରହ୍ମପୁର ବିଧାନସଭା ଆସନରେ ବି ବଡ଼ ପରିବର୍ତ୍ତନ କରିଛି ବିଜେଡି। ପାଞ୍ଚ ପାଞ୍ଚ ଥରର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଟିକେଟ କଟିଛି। ତାଙ୍କ ଜାଗାରେ ବିକ୍ରମ ପଣ୍ଡାଙ୍କୁ ଟିକେଟ ଦେବାକୁ ଘୋଷଣା କରିଛି ଦଳ। ବିକ୍ରମ କିଛିମାସ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

ମୋହନାରେ ବଦଳିଲା ଟିକେଟ

ଗଜପତି ଜିଲ୍ଲା ମୋହନା ନିର୍ବାଚନମଣ୍ଡଳୀରେ ୨୦୧୪ରେ ନିର୍ବାଚନ ଜିତିଥିଲେ ବାସନ୍ତୀ ମଲ୍ଲିକ। ହେଲେ ତାଙ୍କୁ ଏଥର ଦଳ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇନି। ବାସନ୍ତୀଙ୍କ ଟିକେଟ କାଟି ବିଜେଡି ପୂର୍ଣ୍ଣବାସୀ ନାୟକଙ୍କୁ ପ୍ରାର୍ଥୀ କରିଛି।

ଗୁଣପୁରରୁ ହଟିଲେ ତ୍ରିନାଥ

ରାୟଗଡ଼ା ଜିଲ୍ଲା ଗୁଣପୁର ବିଧାନସଭା ଆସନରୁ ବିଧାୟକ ଥିବା ତ୍ରିନାଥ ଗମାଙ୍ଗଙ୍କ ଟିକେଟ କାଟିଛି ଦଳ। ତ୍ରିନାଥ ଟିକେଟ ପାଉ ନଥିବା ଆଗୁଆ ସୂଚନା ପାଇ ଦଳରୁ ଇସ୍ତଫା ଦେଇଥିଲେ। ଗୁଣପୁରରେ ବିଜେଡି ରଘୁରାମ ଗମାଙ୍ଗଙ୍କ ଉପରେ ଭରସା କରିଛି।

ଆସ୍କାରେ ମହିଳା ପ୍ରାର୍ଥୀ

ଗଞ୍ଜାମ ଜିଲ୍ଲା ଆସ୍କାରେ ବି ପ୍ରାର୍ଥୀ ବଦଳାଇଛି ଦଳ। ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦେବରାଜ ମହାନ୍ତିଙ୍କୁ ବାଦ୍ ଦେଇ ମଞ୍ଜୁଳା ସ୍ୱାଇଁଙ୍କୁ ଟିକେଟ ଦେବାକୁ ବିଜେଡି ଘୋଷଣା କରିଛି। ଏହି ଆସନରେ ମହିଳା କାର୍ଡ ଖେଳିଛି ବିଜେଡି।

ବାଲିଗୁଡ଼ାରୁ ଚକ୍ରଧର

କନ୍ଧମାଳ ଲୋକସଭା ଆସନର ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ଟିକେଟ ଅଦଳ ବଦଳ ହୋଇଛି। ବିଧାୟକ ଥିବା ରାଜୀବ ପାତ୍ରଙ୍କ ଟିକେଟ କାଟି ଦଳ ଚକ୍ରଧର କହଁରଙ୍କୁ ପ୍ରାର୍ଥୀ କରିଛି।

ଦଶପଲ୍ଲାରେ ବଦଳିଲେ ପ୍ରାର୍ଥୀ

ଦଶପଲ୍ଲାରୁ ବିଧାୟକ ଭାବେ ନିର୍ବାଚିତ ହେଉଥିବା ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ଟିକେଟ କଟିଛି। ତାଙ୍କ ଜାଗାରେ ଦଳ ରମେଶ ବେହେରାଙ୍କୁ ପ୍ରାର୍ଥୀ କରିଛି।

ବିଜେପୁରରୁ ନିଜେ ନବୀନ

ବରଗଡ଼ ଜିଲ୍ଲା ବିଜେପୁର ଆସନରୁ ନିଜେ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବେ। ଏନେଇ ଆଜି ଘୋଷଣା କରିଛି ଦଳ। ୨୦୧୮ ଉପ-ନିର୍ବାଚନରେ ବିଧାୟିକା ଥିବା ରୀତା ସାହୁଙ୍କୁ ନିରାଶ କରିଛି ବିଜେଡି। ୨୦୦୪ରୁ ଏହି ଆସନରୁ କଂଗ୍ରେସର ସୁବଳ ସାହୁ ନିର୍ବାଚିତ ହୋଇ ଆସୁଥିଲେ।

କଣ୍ଟାବାଞ୍ଜିରୁ କଟିଲେ ଆୟୁବ ଖାନ୍

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଧାୟକ ଥିବା ଆୟୁବ ଖାନ୍‌ଙ୍କୁ ଆଉ ପ୍ରାର୍ଥୀ କରିବାକୁ ଚାହିଁନି ଦଳ। ସେ ବିଭିନ୍ନ ବିବାଦରେ ଫସିଥିବାରୁ ତାଙ୍କ ଟିକେଟ କଟିଛି। କଣ୍ଟାବାଞ୍ଜିରୁ ବିଜେଡି ଅଜୟ ଦାସଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି।

Comment