ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ): ନିର୍ବାଚନ ତାରିଖ ଘୋଷଣା ସରିଛି। ହେଲେ ପ୍ରାର୍ଥୀ ସ୍ଥିର ହୋଇପାରୁନି। ବିଜେଡି, ବିଜେପି ଅବା କଂଗ୍ରେସ କଟକ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ କିଏ ହେବ ସ୍ଥିର କରିପାରୁନାହାନ୍ତି। ଟିକେଟ ବଣ୍ଟନ ନେଇ ଅଛିଣ୍ଡା ଅଙ୍କ ଏବେ କେବଳ ନେତା ନୁହଁନ୍ତି, କର୍ମୀ ଓ ସମର୍ଥକଙ୍କୁ ବି ଦ୍ୱନ୍ଦ୍ୱରେ ପକାଇଛି।
ଇତିମଧ୍ୟରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ତାଲିକାରୁ ୧୪ ଜଣ ବର୍ତ୍ତମାନ ବିଧାୟକ ଓ ୫ ଜଣ ସାଂସଦଙ୍କ ଟିକେଟ କଟିଛି। ସେହିପରି କଂଗ୍ରେସ ଦଳ ମଧ୍ୟ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଜାରି କରିଛି। ୬ଟି ଲୋକସଭା ଆସନ ସହ ୩୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ପକ୍ଷରୁ ଦିନେ ବା ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ କଟକ ଲୋକସଭା ଆସନରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।
କଟକ ଲୋକସଭା ଆସନରୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରତିନିଧିତ୍ୱ କରୁଛନ୍ତି। ଏହି ଲୋକସଭା କ୍ଷେତ୍ରରୁ ମହତାବ ଲଗାତର ୫ ଥର ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ଅଣ କଂଗ୍ରେସ ଗଡ଼ ଭାବେ ପରିଚିତ ଏହି ଆସନରୁ ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଦଳରେ ମାନସ ମନ୍ଥନ ଚାଲିଛି। ତେବେ ଏଥର ବିଜେପି ଓ କଂଗ୍ରେସ ତା’ର ପୂର୍ବ ପ୍ରାର୍ଥୀ ପରିବର୍ତ୍ତନ କରୁଥିବାର ଆଭାସ ମିଳୁଥିବା ବେଳେ ବିଜେଡି ପୁଣି ପୁରୁଣା ମୁହଁକୁ ଦୋହରାଇବାର ସମ୍ଭାବନା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
କଟକ ଲୋକସଭା ଆସନ ଦୁଇ ଦଶକରୁ ଅଧିକ ସମୟ ଧରି ବିଜେଡିର ଏକ ଗଡ଼ ଭାବେ ରହିଆସିଛି। ବିଜେଡି ସାଂସଦ ମହତାବ ଏଠାରେ ୧୯୯୮ ମସିହାଠାରୁ ଅଦ୍ୟାବଧି ୫ ଥର ନିର୍ବାଚନ ଜିତିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଚଳଚ୍ଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଶ୍ରୀ ମହତାବ ୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।
ବିଜେପି ପ୍ରାର୍ଥୀ ସମୀର ଦେ ତୃତୀୟ ସ୍ଥାନରେ ରହିଥିଲେ। ଏହି ନିର୍ବାଚନରେ ମହତାବଙ୍କୁ ୫ ଲକ୍ଷ ୨୬ ହଜାର ୮୫ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅପରାଜିତା ମହାନ୍ତି ୨ ଲକ୍ଷ ୧୯ ହଜାର ୩୨୩ ଖଣ୍ଡ ଭୋଟ ପାଇଥିଲେ। ସେହିପରି ବିଜେପି ପ୍ରାର୍ଥୀ ସମୀର ଦେ ୧ ଲକ୍ଷ ୪୬ ହଜାର ୯୩ ଖଣ୍ଡ ଭୋଟ ପାଇଥିଲେ।
କଟକ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିଆସୁଥିବା ମହତାବଙ୍କୁ ଏଥର ବିଜେଡିରୁ ପ୍ରାର୍ଥୀହେବା ସମ୍ଭାବନା ନେଇ ଅନିଶ୍ଚିତତା ଜାରି ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କୈାଣସି ବରିଷ୍ଠ ତଥା ପ୍ରଭାବଶାଳୀ ଆଇନଜୀବୀ ଅଥବା କୌଣସି ମହିଳା କିମ୍ବା କୈାଣସି ବୁଦ୍ଧିଜୀବୀ ଏଠାରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ବିଜେପି ପ୍ରାର୍ଥୀ ଭାବେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାମ ଆଗରେ ରହିଛି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ଗତଥର ପ୍ରାର୍ଥୀ ସମୀର ଦେଙ୍କ ଦଳ ମଧ୍ୟରେ ବେଶ ପ୍ରଭାବ ଥିବାରୁ ସେ କଟକ ଲୋକସଭା ଆସନ କିମ୍ବା ବାରବାଟୀ-କଟକ ବା ବଡ଼ମ୍ବା ବିଧାନସଭା ଆସନରୁ ଲଢ଼ିପାରନ୍ତି ବୋଲି ଶୁଣିବାକୁ ମିଳୁଛି।
ନିକଟରେ କଂଗ୍ରେସ ଦଳର ସାମିଲ ହୋଇଥିବା ପଞ୍ଚାନନ କାନୁନଗୋଙ୍କ ପ୍ରାର୍ଥୀତ୍ୱ ଉପରେ କଂଗ୍ରେସ ହାଇକମାଣ୍ଡ ମୋହର ମାରିଥିବା ଦଳୀୟ କର୍ମୀଙ୍କ ପକ୍ଷରୁ ଶୁଣିବାକୁ ମିଳୁଛି।
କଟକ ଲୋକସଭା ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ଏଥର ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।