ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଭାବେ ବିଜେଡି ଟିକେଟ୍ରୁ ପୂର୍ବତନ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପ୍ରଶାସିକାରୁ ପଲିଟିସିଆନ ହୋଇଥିବା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସହିତ ଅରୂପ ପଟ୍ଟନାୟକଙ୍କ ଭୁବନେଶ୍ୱରରୁ ଲଢ଼େଇ ହେବ।ଏନେଇ ଗୁରୁବାର ଅରୂପ ପଟ୍ଟନାୟକ କହିଛନ୍ତି, “ଭୁବନେଶ୍ୱରରୁ ଯାହାର ଲୋକପ୍ରିୟତା ଅଧିକ ସେ ଆଗାମୀ ନିର୍ବାଚନରେ ଜିତିବ”
“ମୁଁ ପୂର୍ବତନ ଆଇପିଏସ୍ ନୁହେଁ। ବର୍ତ୍ତମାନ ନିର୍ବାଚନ ମୈଦାନରେ ମୁଁ ଜଣେ ସାଧାରଣ ନାଗରିକ। ଲୋକଙ୍କ ପାଇଁ ଭଲ କାମ କରିବାକୁ ମୋର ଇଚ୍ଛା। ଏଥିପାଇଁ ମୋର ସଂକଳ୍ପ ଓ ପ୍ରତିବନ୍ଧତା ରହିବ। ପ୍ରତିଶ୍ରୁତି ଦେବା ମୋର ଅଭ୍ୟାସ ନୁହେଁ। ଯାହାର ଲୋକପ୍ରିୟତା ବେଶି ସେ ଆଗାମୀ ନିର୍ବାଚନରେ ବିଜୟ ଲାଭକରିବ” ଅରୂପ ପଟ୍ଟନାୟକ କହିଛନ୍ତି।
ନିର୍ବାଚନ ପାଇଁ ବାଜିଛି ବଗୁଲ। ପ୍ରାର୍ଥୀ ବି ହୋଇସାରିଛନ୍ତି ଫାଇନାଲ। ପ୍ରଚାର ମଇଦାନରେ ଆଇପିଏସ୍ ବନାମ ଆଇଏଏସ୍। ଏହାରି ଭିତରେ ନିର୍ବାଚନ କରିଡରରେ ଚର୍ଚ୍ଚା ଭୁବନେଶ୍ୱର ଲୋକସଭା ଆସନ ଲାଗି ଜନମତ କାହା ସପକ୍ଷରେ ଯିବ। ଅନ୍ୟପଟେ କଂଗ୍ରେସ ଏପର୍ଯ୍ୟନ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଫାଇନାଲ କରନାହିଁ। ଆଗାମୀ ନିର୍ବାଚନରେ କାହା ସପକ୍ଷରେ ଯିବ ଜନମତ ଏବଂ ହାତୀ କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ତାହା ଆଗାମୀ ଭବିଷ୍ୟତରେ ହିଁ ସ୍ପଷ୍ଟ ହୋଇଯିବ।


















