ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ଯୁବ ବାହିନୀକୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି ଅରୂପ ପଟ୍ଟନାୟକ।

“ବିଜୁ ଯୁବ ବାହିନୀ ନାଁରେ ବହୁତ ଅପପ୍ରଚାର କରାଯାଉଛି। ଯେଉଁମାନେ ଏଭଳି ଅପପ୍ରଚାର କରୁଛନ୍ତି ସେମାନେ ବିଜୁ ଯୁବ ବାହିନୀକୁ ଭୟ କରୁଛନ୍ତି। ଜଣେ ପୂର୍ବତନ ସାଂସଦ ଏବଂ ବିରୋଧୀ ଦଳର ଆଉ କିଛି ନେତା ବିଜୁ ଯୁବ ବାହିନୀକୁ ଗୁଣ୍ଡା ବାହିନୀ ଭାବେ ଆଖ୍ୟା ଦେଉଛନ୍ତି”,  ଏହା କହିଛନ୍ତି ଅରୂପ ପଟ୍ଟନାୟକ।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ଗତ ଏପ୍ରିଲ ୧୮ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ତାଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାସହ ସେ ବିଜୁ ଯୁବ ବାହିନୀର ଦାୟିତ୍ୱ ମଧ୍ୟ ବୁଝୁଛନ୍ତି।

ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ନେଇ ହୋ-ହଲ୍ଲା ହେବା ପରେ ଅରୂପ ‘କନକ ନ୍ୟୁଜ’ରେ ସାକ୍ଷାତକାର ଦେଇ ବିଜୁ ଯୁବ ବାହିନୀ ପାଇଁ ଓକିଲାତି କରିଛନ୍ତି। ବିଜୁ ଯୁବ ବାହିନୀ କେବେ ଅସାମାଜିକ କାର୍ଯ୍ୟକୁ ପ୍ରଶ୍ରୟ ଦିଏ ନାହିଁ ବୋଲି ଅରୂପ କହିଛନ୍ତି।

“ବିଜୁ ଯୁବ ବାହିନୀ ସଦସ୍ୟ ଦଳୀୟ କାର୍ଯ୍ୟରେ ଲାଗୁ ନାହାନ୍ତି। ସେମାନେ ସମାଜର ଗଠନମୂଳକ କାମରେ ଲାଗୁଛନ୍ତି। ରଥଯାତ୍ରାରେ ସଫେଇ କାମ ହେଉ କି ତିତ୍‌ଲି ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସାହାଯ୍ୟ କରିବା ହେଉ, ସବୁଠି ବିଜୁ ଯୁବ ବାହିନୀର ପିଲାମାନେ କାମ କରୁଛନ୍ତି”, ଅରୂପ ପଟ୍ଟନାୟକ ଏହା କହିଛନ୍ତି।

ବିଜୁ ଯୁବ ବାହିନୀରେ ୧୮ରୁ ୩୫ ବର୍ଷ ବୟସର ପିଲାମାନେ ସଦସ୍ୟ ରହିଛନ୍ତି। ହେଲେ ସେମାନଙ୍କୁ ନେଇ ଶୁଖିଲା ରାଜନୀତି କରାଯାଉଛି। ଯେଉଁମାନେ ଏଭଳି ତାତ୍ସଲ୍ୟ କରୁଛନ୍ତି ସେମାନେ ଅତୀତରେ ଓଡ଼ିଶାର ଖଣିଜ ସମ୍ପଦକୁ ଲୁଟ୍ କରିଛନ୍ତି। ଆଉ ଏବେ ହେଲିକପ୍ଟର ଧରି ଉଡ଼ୁଛନ୍ତି ବୋଲି ଅରୂପ ବାଣ ମାରିଛନ୍ତି।

“କିଛି ଲୋକ ଧରି ନେଇଥିଲେ ଯେ ଓଡ଼ିଶାରେ ସେମାନେ ହିଁ କେବଳ ରାଜୁତି କରିବେ। କିନ୍ତୁ ଯେତେବେଳେ ବିଜୁ ଯୁବ ବାହିନୀ ଗଠନ ହୋଇଗଲା ଏବଂ ସେମାନେ ଗାଁ ଗହଳିରେ ବିଭିନ୍ନ ସାମାଜିକ କାମରେ ଲିପ୍ତ ରହିଲେ ତାକୁ ଦେଖି ସମସ୍ତେ ଭୟ କରିଗଲେ। ସେଥିପାଇଁ ସେମାନେ ଅପପ୍ରଚାର ରାସ୍ତାକୁ ଆପଣାଇ ନେଇଛନ୍ତି”, ଏମିତି କଥା କହି ଅରୂପ ବିରୋଧୀଙ୍କୁ ବହେ ଝାଡ଼ିଛନ୍ତି।

ଅରୂପ କହିଛନ୍ତି ଯେ ମୁମ୍ବାଇରେ ପୋଲିସ କମିଶନର ଥିବା ବେଳେ ଗୁଣ୍ଡାମାନଙ୍କ ସହ ଲଢ଼େଇ କରୁଥିଲି। ଏଣୁ ଏବେ ଏଠାରେ କେମିତି ଗୁଣ୍ଡାବାହିନୀ କରି ଗୁଣ୍ଡା ତିଆରି କରିବି?

ଅଭିଜିତ ଆୟାର ମିତ୍ରଙ୍କ ସମ୍ପର୍କରେ ମଧ୍ୟ ଶ୍ରୀ ପଟ୍ଟନାୟକ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି।

ଯେଉଁ ବ୍ୟକ୍ତି ବିଜୁ ଯୁବ ବାହିନୀକୁ ଗୁଣ୍ଡା ବାହିନୀ କହି ସମାଲୋଚନା କରୁଛନ୍ତି ସେ ଅଭିଜିତ ଆୟାର ମିତ୍ରଙ୍କୁ ଓଡ଼ିଶାକୁ ଭଡ଼ାରେ ଆଣି ଆମ ସଂସ୍କୃତିକୁ ଅପମାନ କରିଛନ୍ତି। ଯଦି ଏମିତି ସ୍ଥିତି ମୁମ୍ବାଇରେ ହୋଇଥାନ୍ତା ତାହାଲେ ପରିସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି ଅରୂପ କହିଛନ୍ତି।

କିଛିଦିନ ଧରି ବିଜୁ ଯୁବ ବାହିନୀକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ବିରୋଧୀ ବିଜେପି ଏବଂ କଂଗ୍ରେସ ବିଜୁ ଯୁବ ବାହିନୀକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଆସୁଛନ୍ତି। ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ବାଣ ମାରିଛନ୍ତି।

ନିକଟରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ବିଜୁ ଯୁବ ବାହିନୀକୁ ଗୁଣ୍ଡା ବାହିନୀ ଭାବେ ଆଖ୍ୟା ଦେଇ ସମାଲୋଚନା କରିଥିଲେ।

Comment