ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବୁଢ଼ୀ ଠାକୁରାଣୀ ସପ୍ତମ ଦିନରେ ଜଉରା ସାହିସ୍ଥିତ ତାଙ୍କ ମାଉସୀ ଘରକୁ ବୁଲିଯାଇଥିଲେ।

ଦେଶୀ ବେହେରା ସାହିସ୍ଥିତ ଅସ୍ଥାୟୀ ମଣ୍ଡପରୁ ରାତି ୮.୪୫ରେ ବାହାରି ମା’ ବୁଢ଼ୀ ଠାକୁରାଣୀ ୧୦ଟି ସାହି ପରିକ୍ରମା କରିଥିଲେ। ସାହି ପରିକ୍ରମା କରି ମା’ ତାଙ୍କ ମାଉସୀଙ୍କ ଘରକୁ ଯାଇଥିଲେ।

ମାଉସୀ ଭାବେ ପରିଚିତ ଶ୍ରୀନିବାସ ରାଓଙ୍କ ପତ୍ନୀ ଏମ୍‌ ସୁନୀତାଙ୍କ ଘରକୁ ଯାଇଥିଲେ। ପାରମ୍ପାରିକ ରୀତିନୀତି ଅନୁଯାୟୀ ଏମ୍‌ ସୁନୀତା ମା’ଙ୍କ ପୂଜାର୍ଚ୍ଚନା କରିଥିଲେ ଓ ତାଙ୍କୁ ପଣା ସାଙ୍ଗକୁ କାକରା ପିଠା ଭୋଗ ରୂପେ ଅର୍ପଣ କରିଥିଲେ।

ମା’ ଠାକୁରାଣୀ ମାଉସୀଙ୍କ ଘରକୁ ଯାଇ କାକରା ପିଠା ଖାଇବାର ପ୍ରଥା କାହିଁ କେଉଁ କାଳରୁ ରହିଆସୁଅଛି। ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ସମୟରେ ମା’ ମୋଟ୍‌ ୩ଥର ମାଉସୀଙ୍କ ଘରକୁ ବୁଲିଯାଆନ୍ତି।

ସପ୍ତମ ଦିପରେ ଠାକୁରାଣୀ ୧୦ଟି ସାହିର ପରିକ୍ରମା କରିଥାନ୍ତି। ରଜା ଗୋର୍ଜି ସାହି, ବଡ଼ବଜାର ସାହି, ଖାସ୍‌ପା ସାହି, ନୃସିଂହ ମନ୍ଦିର ସାହି, କେଉଟ ସାହି,  ଚନ୍ଦ୍ର ଶେଖର ମନ୍ଦିର ସାହି ଆଦି ସାହି ମା’ ପରିକ୍ରମା କରିଥାନ୍ତି। ଶେଷରେ ମା’ ରାତି ୧୧ଟାରେ ନିଜ ଅସ୍ଥାୟୀ ମଣ୍ଡପକୁ ଫେରିଥିଲେ।

ଏହି ସାହି ପରିକ୍ରମା ବେଳେ ମା’ ବିଭିନ୍ନ ସାହିର ରଥକୁ ଆମନ୍ତ୍ରଣ କରିଛନ୍ତି। ନୃସିଂହ ମନ୍ଦିର ସାହିର ହଟ ଅର୍ଜୁନ ରଥ, କେଉଟ ସାହିର ରାମଚନ୍ଦ୍ର ରଥ, ଶଙ୍ଖାରି ସାହିର ବୀର ଲକ୍ଷ୍ମଣ ରଥ, ଜେମାଦେଇ ପେଣ୍ଠ ସାହିର ଜଗନ୍ନାଥ ରଥ ଓ ପୁରୁଣା ବ୍ରହ୍ମପୁର ସାହି ମହାବୀର କର୍ଣ୍ଣ ରଥକୁ ଆମନ୍ତ୍ରଣ କରିଥିଲେ।

ଏହି ଯାତ୍ରାରେ ପ୍ରବଳ ଜନଗହଳି ଯୋଗୁଁ  ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଶୃଙ୍ଖଳା ରକ୍ଷା ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।

Comment