ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଓଡ଼ିଶାର ଏକ ନମ୍ବର ବିଶ୍ୱବିଦ୍ୟାଳୟ। ୨୦୧୯ ନିମନ୍ତେ ଅନୁଷ୍ଠିତ ହୋଇଥିବା ନ୍ୟାସେନାଲ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ରାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ ଦ୍ୱାରା ରାଙ୍କିଙ୍ଗ୍‌ରେ ସାରା ଭାରତରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ୨୪ ତମ ସ୍ଥାନ ଅଧିକାର କରିଛି ‘ସୋଆ’। ଗତବର୍ଷ ଭଳି ସୋଆ ଚଳିତ ବର୍ଷ ମଧ୍ୟ ୨୪ତମ ସ୍ଥାନ ବଜାୟ ରଖିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଦିନ ନୂଆଦିଲ୍ଲୀ ଠାରେ ୨୦୧୯ ରାଙ୍କିଙ୍ଗର ଘୋଷଣା କରାଯାଇଛି।

ଏନ୍ଆଇଆରଏଫ୍‌ ପକ୍ଷରୁ ପରିଚାଳିତ ଏହି ରାଙ୍କିଙ୍ଗ୍‌ର ଉନ୍ମୋଚନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କରିଥିଲେ। ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୨୪ତମ ସ୍ଥାନରେ ରହିଥିବା ବେଳେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ସମଗ୍ର ଶିକ୍ଷାନୁଷ୍ଠାନ କ୍ୟାଟେଗୋରୀରେ ୪୧ତମ ସ୍ଥାନରେ ରହିଛି। ଏହା ଛଡ଼ା ସୋଆ ସମଗ୍ର ପୂର୍ବାଞ୍ଚଳରେ ଶ୍ରେଷ୍ଠତମ ଡିମ୍‌ଡ ଟୁ ବି ୟୁନିଭର୍ସିଟି ଭାବେ ସ୍ଥାନ ପାଇଛି।

୨୦୦୭ରେ ୟୁଜିସି ଦ୍ୱାରା ସୋଆ ଡିମ୍‌ଡ ଟୁ ବି ୟୁନିଭର୍ସିଟି ମାନ୍ୟତା ପାଇଥିବା ବେଳେ ଏନ୍ଆଇଆରଏଫ୍‌ ରାଙ୍କିଙ୍ଗ୍‌ରେ ୨୦୧୬ ଠାରୁ ଲଗାତାର ୪ ବର୍ଷ ଧରି ଓଡ଼ିଶାରେ ଏକ ନମ୍ବର ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଆସୁଛି। ୨୦୧୮ରେ ସୋଆ  ୪୯.୫୯ ସ୍କୋର ହାସଲ କରିଥିବା ବେଳେ ଚଳିତବର୍ଷ ୫୦.୩୧ ସ୍କୋର ହାସଲ କରିଛି।

ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ ଓଡ଼ିଶାରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏନ୍ଆଇଆରଏଫ୍‌ ରାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଛି। ସାରା ଭାରତରେ ୨୧ତମ ସ୍ଥାନ ଅଧିକାର କରିଥିବା ବେଳେ ପୂର୍ବାଞ୍ଚଳରେ ମଧ୍ୟ ଏହା ପ୍ରଥମ ସ୍ଥାନ ଲାଭ କରିଛି।

ଇଞ୍ଜିନିୟରିଂ କ୍ଷେତ୍ରରେ ପ୍ରଥମ ଥର ପାଇଁ ଏନ୍ଆଇଆରଏଫ୍‌ ରାଙ୍କିଙ୍ଗ୍‌ରେ ପ୍ରବେଶ କରିଥିବା ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ସାରା ଦେଶରେ ୩୨ତମ ସ୍ଥାନ ହାସଲ କରିଛି । ଏକ ପ୍ରାଇଭେଟ୍ ଡିମ୍‌ଡି ଟୁ ବି ୟୁନିଭର୍ସିଟି ପରିଚାଳିତ ଇଞ୍ଜିନିୟରିଂ କଲେଜ ଭାବେ ଆଇଟିଇଆର୍ ପୂର୍ବାଞ୍ଚଳରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛି।

LEAVE A REPLY

Please enter your comment!
Please enter your name here