ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ବଢ଼ିବାରେ ଲାଗିଛି ଅସହ୍ୟ ଖରା ଓ ପ୍ରଚଣ୍ଡ ତାତି। ତାତିର ପ୍ରକୋପରେ ଓଡ଼ିଶା ଜଳୁଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଆଜି ତାଳଚେର ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ତାପମାତ୍ରା ରେକର୍ଡ କରାଯାଇଛି। ବର୍ତ୍ତମାନ ଟିଟଲାଗଡ଼ ହେଲାଣି ତତଲାଗଡ଼ା।

ତାଳଚେରରେ ସର୍ବାଧିକ ୪୩.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ ଓ ଅନୁଗୁଳରେ ୪୩ ଓ ୪୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭବାନୀପାଟଣା ୪୨.୫, ବଲାଙ୍ଗିର ୪୨, ଝାରସୁଗୁଡ଼ା ୪୦.୯, ସୋନପୁର ୪୦.୮, ସମ୍ବଲପୁର ୪୦.୧, ସୁନ୍ଦରଗଡ଼ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଟୁଇନ୍‌ ସିଟିରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହୋଇଛି। ଶନିବାର ଭୁବନେଶ୍ୱର ୩୯.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କଟକରେ ୩୮.୬ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଦିନକୁ ଦିନ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଥିବା ବେଳେ ଆଗାମୀ ଦିନରେ ଅଂଶୁଘାତର ଭୟ ଆଶଙ୍କା କରାଯାଉଛି।

Comment