ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଆଜି ବରଗଡରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର ଓ ରୋଡ ସୋ

ଆଜି ବରଗଡ ଲୋକସଭାକ୍ଷେତ୍ରରେ ମାରଥନ ପ୍ରଚାର କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ରୋଡ ସୋ ସହିତ ଜନସଭାକୁ ସମ୍ବୋଧିତ କରିବେ ନବୀନ। ଦିନ ୧୧ଟାରେ ଭେଡେନ ବ୍ଲକରେ ଆୟୋଜନ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ ନବୀନ। ଏହାପରେ ପାଟଣାଗଡ଼ରେ ମଧ୍ୟ ବିଜେଡି ପ୍ରାଥୀଙ୍କ ଭୋଟଲାଗି ପ୍ରଚାର କରିବେ।

ବିଜେପିର ମିଶନ ଓଡ଼ିଶା – ଆଜି ଆସୁଛନ୍ତି ଯୋଗୀ

ଆଜି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆଗାମୀ ୩ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଯୋଗୀ ଅଦିତ୍ୟନାଥ ଓଡ଼ିଶାରେ ପ୍ରଚାର କରିବେ। ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଯୋଗୀ ରାଉରକେଲା, ଅନୁଗୁଳ ଓ ଫୁଲବାଣୀରେ ନିର୍ବାଚନ ରାଲି କରିବେ। ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଆସନ୍ତାକାଲି ଭୁବନେଶ୍ୱରରେ ରୋଡ ସୋ‘ କରିବେ ମୋଦି

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଗସ୍ତରେ ଆସିବେ। ରାଜଧାନୀ ଭୁବନେଶ୍ୱରରେ କରିବେ ରୋଡ ସୋ’। ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମୋଦି ୧୬ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବେ ମୋଦି। ଏନେଇ ବିଜେପିର ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ଓଡ଼ିଶାରେ ପ୍ରତି ଲୋକସଭା ଆସନ ପାଇଁ ୮ ଓ ବିଧାନସଭା ପାଇଁ ୭ ପ୍ରାର୍ଥୀ

ନିର୍ବାଚନ କମିଶନ ଅଧିକାରୀ ମାନେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ସମ୍ପର୍କରେ ଚୂଡାନ୍ତ ସୂଚନା ଦେଇଛନ୍ତି। ୪ଟି ପର୍ଯ୍ୟାୟରେ ହେବାକୁ ଥିବା ରାଜ୍ୟର ୨୧ ଲୋକସଭା ଆସନ ପାଇଁ ମୋଟ ୧୭୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଅର୍ଥାତ ପ୍ରତି ଲୋକସଭା ଆସନ ପାଇଁ ହାରାହାରି ୮ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି। ସେହିଭଳି ୧୪୭ ବିଧାନସଭା ଆସନ ସକାଶେ ୧୧୩୭ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହାରାହାରି ହିସାବରେ ପ୍ରତି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ୭।

Comment