ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହୋଇଛି। ପାଖାପାଖି ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ଖରା ଓ ତାତିରେ ଅଂଶୁଘାତ ଭୟ ଚାରିଆଡ଼େ ଖେଳିଯାଇଛି। ରାଜ୍ୟରେ ଗତ ୩ ଦିନ ମଧ୍ୟରେ ୨ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଛି। ବୁଧବାର ଭଦ୍ରକ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଅଂଶୁଘାତ କାରଣରୁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ମୃତ୍ୟୁ ହୋଇଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ଅର୍ଜୁନପୁର ଗାଁର ଇନ୍ଦ୍ରଜିତ ରାଉତ। ବୁଧବାର ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅସହ୍ୟ ଗରମ କାରଣରୁ ଅଂଶୁଘାତରେ ପୁଅର ମୃତ୍ୟୁ ଘଟିଥିବା ମୃତ ଇନ୍ଦ୍ରଜିତ ରାଉତଙ୍କ ବାପା କହିଛନ୍ତି।

ଏହା ପୂର୍ବରୁ ସୋମବାର ଏହିଭଳି ଏକ ଅଭିଯୋଗ ଆସିଥିଲା। ପୁରୀ ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକ୍‌ର ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଛି। ତରଣ ଗ୍ରାମ ପଞ୍ଚାୟତ ଅଫିସ୍‌କୁ ନିଜ ପେନ୍‌ସନ୍‌ ଭତ୍ତା ଆଣିବାକୁ ଯିବା ସମୟରେ ଅଂଶୁଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରମବାସୀ କହିଛନ୍ତି।

ଅସହ୍ୟ ଗରମ ସହିତ ରାଜ୍ୟର ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ସମସ୍ତ ବିଦ୍ୟାଳୟରେ ଖରା ଛୁଟିକୁ ଶୀଘ୍ର ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ୍‌ ୧୮ରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ।

Comment