ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପିପିଲିରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ କିଛି ନୂଆ କଥା ନୁହେଁ। ନିର୍ବାଚନ ଆସିଲେ ପିପିଲି ରାଜନୀତି ଥର ହର ହୁଏ। ଏଥର ବି ମତଦାନର ଗୋଟିଏ ଦିନ ପୂର୍ବରୁ ପିପିଲି ରାଜନୀତି ଉଠୁଛୁ ପଡୁଛି। ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଉପରକୁ ଆକ୍ରମଣ ଅଭିଯୋଗରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଗିରଫ ହୋଇଛନ୍ତି। ଏହି ଗିରଫଦାରୀ ପରେ ଏବେ ପ୍ରଶ୍ନ ଉଠୁଛି ପିପିଲିରେ ମହାରଥୀ ଜିତିବେ ନା ହାରିବେ?

ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଏବଂ ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ହୋଇଥିବାରୁ ମହାରଥୀଙ୍କ ଭାଗ୍ୟ କ’ଣ ହେଉଛି ତା’ ଉପରେ ସମସ୍ତଙ୍କ ନଜର।

୬ ଥରର ବିଧାୟକ ମହାରଥୀ

ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ହେଉଛନ୍ତି ପ୍ରଦୀପ ମହାରଥୀ। ପିପିଲି ବିଧାନସଭା ଆସନରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମହାରଥୀ ସପ୍ତମ ଥର ପାଇଁ ଏଥର ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିଲେ। ହେଲେ ପରୀକ୍ଷା ଦେବା ପୂର୍ବରୁ ମହାରଥୀ ଗିରଫ ହୋଇଛନ୍ତି। ପିପିଲି ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ତେବେ ପିପିଲି ଭୋଟର ଏଥର ମହାରଥୀଙ୍କ ଭାଗ୍ୟକୁ କେମିତି ତଉଲୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

୧୯୮୫ରୁ ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ ମହାରଥୀ। ପ୍ରଥମେ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢ଼ି ବିଧାନସଭାକୁ ଆସିଥିଲେ ମହାରଥୀ। ୧୯୯୦ରେ ଜନତା ଦଳ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ ସେ। ହେଲେ ୧୯୯୫ରେ ମହାରଥୀଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ମହାରଥୀଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଯୁଧିଷ୍ଠିର ସାମନ୍ତରାୟ କଂଗ୍ରେସ ଟିକେଟରେ ନିର୍ବାଚନ ଜିତିଥିଲେ।

୧୯୯୫ ପରେ ରାଜ୍ୟ ରାଜନୀତିର ସମୀକରଣ ବଦଳିଥିଲା। ବିଜୁ ବାବୁଙ୍କ ଦେହାନ୍ତ ପରେ ବିଜୁ ଜନତା ଦଳ ଗଠନ ହୋଇଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୦୦୦ରେ ପ୍ରଥମ ଥର ପାଇଁ ବିଜେଡି ଲଢ଼ିଥିଲା ନିର୍ବାଚନ। ଆଉ ମହାରଥୀ ବି ପିପିଲିରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ଜିତିଥିଲେ।

୨୦୦୦ରୁ ଆଜି ପର୍ଯ୍ୟନ୍ତ ଲଗାତାର ବିଜେଡି ଟିକେଟରୁ ବିଧାୟକ ଭାବେ ଜିତି ଆସୁଛନ୍ତି ମହାରଥୀ। ନବୀନଙ୍କ ଅମଳରେ ମହାରଥୀ ଦୁଇ ଦୁଇ ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ହେଲେ ୨୦୧୯ ଭୋଟ ପୂର୍ବରୁ ଅଡୁଆରେ ପଡ଼ିଛନ୍ତି ମହାରଥୀ। ଅଡୁଆ ଭିତରୁ ମହାରଥୀ ବାହାରୁଛନ୍ତି କି ନାହିଁ ତାହା ଅପେକ୍ଷା କରି ଦେଖିବାର କଥା।

କେମିତି ଫସିଲେ ମହାରଥୀ?

ରବିବାର ବିଳମ୍ବିତ ରାତିରେ ଯେତେବେଳେ ଫ୍ଲାଇଂ ସ୍କ୍ୱାଡ ଟିମ୍ ମହାରଥୀଙ୍କ ଫାର୍ମହାଉସ ଉପରେ ଚଢ଼ାଉ କରିଥିଲେ, ସେତେବେଳେ ମାଜିଷ୍ଟ୍ରେଟଙ୍କ ସହିତ ପୋଲିସ ଉପରେ ଆକ୍ରମଣ କରାଯାଇଥିଲା।

ଏହି ଆକ୍ରମଣରେ ମାଜିଷ୍ଟ୍ରେଟଙ୍କ ସହିତ ସ୍ଥାନୀୟ IIC ଓ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ଏହାପରେ ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମାଜିଷ୍ଟ୍ରେଟ ସିଧାସଳଖ ପ୍ରଦୀପ ମହାରଥୀଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ସମ୍ପୂର୍ଣ୍ଣ ଘଟଣା ବାବଦରେ କହିଥିଲେ। ଯାହାପରେ ତଦନ୍ତ ଆରମ୍ଭ କରିଥିଲା ପୁରୀ ପୋଲିସ। ଏସପି ଓ ଜିଲ୍ଲାପାଳ ମଧ୍ୟ ତଦନ୍ତ ଆରମ୍ଭ କରିଥିଲେ।

ତଦନ୍ତ ପରେ ପ୍ରଦୀପ ମହାରଥୀଙ୍କୁ ଥାନାରେ ପଚରାଉଚରା ଆରମ୍ଭ କରାଯାଇଥିଲା। ପଚରାଉଚରାର କିଛି ସମୟରେ ମଧ୍ୟରେ ପୋଲିସ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି।

ଗିରଫ ନେଇ  ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଏହାପରେ ପିପିଲି ଥାନା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଥାନା ପରିସରେ ପ୍ରଦୀପ ମହାରଥୀ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି। କିଛି ସମୟ ମଧ୍ୟରେ ପୁରୀ ଏସପି ଏନେଇ ସମ୍ପୂର୍ଣ୍ଣ ପ୍ରତିକ୍ରିୟା ଦେବା ନେଇ ସୂଚନା ମିଳିଛି।

ମହାରଥୀଙ୍କ ବିରୋଧରେ ଅନେକ ସଙ୍ଗୀନ ଦଫା ଲଗାଇଛି ପିପିଲି ପୋଲିସ। ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ବି) ୧୮୬ ଏବଂ ଲୋକପ୍ରତିନିଧି ଆଇନ ୧୦୩ ଅନୁସାରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଏଥର ପିପିଲିରେ କ’ଣ ହେବ?

ଉପକୂଳ ଓଡ଼ିଶାର ସବୁଠୁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ହେଉଛି ପିପିଲି। ନିର୍ବାଚନ ଆସିଲେ ଏହି ଆସନକୁ ନେଇ ସବୁଠି ଚର୍ଚ୍ଚା ହୋଇଥାଏ। ପ୍ରଦୀପ ମହାରଥୀ ଏବଂ ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଯୁଧିଷ୍ଠିର ସାମନ୍ତରାୟଙ୍କୁ ନେଇ ରାଜନୀତି ପାଣିପାଗ ସରଗରମ ହୋଇଥାଏ। କାରଣ ମହାରଥୀଙ୍କୁ ପିପିଲିରେ ସବୁବେଳେ ଯୁଧିଷ୍ଠିର ହିଁ ଟକ୍କର ଦେଇ ଆସୁଥିଲେ।

ହେଲେ ଏଥର ପିପିଲିରେ ପଶାପାଲି ବଦଳିଛି। ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବାକୁ ମନା କରିଦେବାରୁ କଂଗ୍ରେସ ଏଠାରେ ନୂଆ ପ୍ରାର୍ଥୀ ଦେଇଛି। ସେହିପରି ବିଜେପି ମଧ୍ୟ ଆଶ୍ରିତ ପଟ୍ଟନାୟକଙ୍କ ଉପରେ ଭରସା କରିଛି।

୬ ଥରର ବିଧାୟକ ପ୍ରଦୀପ ମହାରଥୀଙ୍କୁ ପିପିଲିରେ ସବୁବେଳେ କଂଗ୍ରେସ ହିଁ ଟକ୍କର ଦେଇ ଆସୁଥିଲା। ହେଲେ ଏଥର ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ସହ ସିଧାସଳଖ ମୁକାବିଲା କରୁଥିଲେ ମହାରଥୀ। ମତଦାନ ପୂର୍ବରୁ ମହାରଥୀ ଗିରଫ ହୋଇଥିବାରୁ ପିପିଲିବାସୀ ପୁରୁଣା ନେତା ମହାରଥୀଙ୍କୁ ନା ନୂଆ ମୁହଁ ଆଶ୍ରିତଙ୍କୁ ଭରସା କରୁଛନ୍ତି ତା’ ଉପରେ ନଜର।

Comment