ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ସିମୁଳିଆ ବିଧାନସଭା ଆସନରେ ତ୍ରିମୁଖୀ ଲଢ଼େଇ।

ଭଦ୍ରକ ଲୋକସଭା ଆସନ ଅଧିନରେ ଆସୁଥିବା ସିମୁଳିଆରେ ଚାଲିଛି ଜୋରଦାର ଟକ୍କର। ବିଜେଡି-ବିଜେପି-କଂଗ୍ରେସର ପ୍ରାର୍ଥୀଙ୍କ ପ୍ରଚାରରେ ସିମୁଳିଆ ପ୍ରଚାର ମଇଦାନ କମ୍ପୁଥିବା ବେଳେ ଏଠାକର ଭୋଟର ଏଥର କାହାକୁ ନେତା ଭାବେ ବାଛୁଛନ୍ତି ତା’ ଉପରେ ରହିଛି ନଜର।

ସିମୁଳିଆରେ ଏଥର ବିଜେଡି ପ୍ରାର୍ଥୀ କରିଛି ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ। ଜ୍ୟୋତି ୨୦୧୪ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ଏହାଛଡ଼ା ଜ୍ୟୋତି ହେଉଛନ୍ତି ପୂର୍ବତନ ବିଧାୟକ ପର୍ଶୁରାମ ପାଣିଗ୍ରାହୀଙ୍କ ପୁଅ।

ବାପାଙ୍କ ଲୋକପ୍ରିୟତା ଏବଂ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନାକୁ ଆଧାର କରି ଜ୍ୟୋତି ୨୦୧୪ ନିର୍ବାଚନ ବୈତରଣୀ ପାର ହୋଇଥିଲେ। ଏଥର ବି ତାଙ୍କ ଉପରେ ବିଜେଡି ସୁପ୍ରିମୋ ଭରସା କରିଛନ୍ତି। ହେଲେ ଜ୍ୟୋତିଙ୍କୁ ଏଥର ଅଡୁଆ କରୁଛନ୍ତି ଦୁଇ ବରିଷ୍ଠ ନେତା ପଦ୍ମଲୋଚନ ପଣ୍ଡା ଏବଂ ଅନନ୍ତ ସେଠୀ।

ପଦ୍ମଲୋଚନ ପୂର୍ବରୁ କଂଗ୍ରେସରେ ଥିଲେ। ଜାନକୀ ପଟ୍ଟନାୟକଙ୍କ ଅମଳରେ ସେ ମନ୍ତ୍ରୀ ବି ଥିଲେ। କିନ୍ତୁ କିଛିଦିନ ତଳେ ସେ ପିସିସି ସଭାପତିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ପଦ୍ମଲୋଚନ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏବେ ସେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି।

ପଦ୍ମଲୋଚନ ପଣ୍ଡା କଂଗ୍ରେସ ଛାଡ଼ିବା ପରେ ସିମୁଳିଆରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ସେନେଇ ଚର୍ଚ୍ଚା ବଢ଼ିଥିଲା। ଶେଷରେ କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀଙ୍କୁ ସିମୁଳିଆରେ ପ୍ରାର୍ଥୀ କରିଛି କଂଗ୍ରେସ। ଏବେ ସେଠି ଜ୍ୟୋତିପ୍ରକାଶ-ପଦ୍ମଲୋଚନ-ଅନନ୍ତଙ୍କ ଭିତରେ କଡ଼ା ଫାଇଟ ଚାଲିଛି।

ଏହି ବିଧାନସଭା ଆସନରେ ଆସନ୍ତା ୨୯ରେ ହେବ ଭୋଟ। ତେବେ ଭୋଟର ଏହି ତିନି ନେତାଙ୍କ ଭିତରୁ କାହା ମୁଣ୍ଡରେ ପାଗ ଭିଡୁଛନ୍ତି ତାହା ଦେଖିବାର କଥା।

ସିମୁଳିଆର ୩୦ ବର୍ଷର ରାଜନୀତି ରେକର୍ଡ କହୁଛି ଯେ ଏଠାରେ କଂଗ୍ରେସ ଏବଂ ବିଜେଡି ଭିତରେ ସବୁବେଳେ ଫାଇଟ ହୋଇଥାଏ। କଂଗ୍ରେସର ପଦ୍ମ ଲୋଚନ ପଣ୍ଡା ଏବଂ ଜନତା ଦଳର ପର୍ଶୁରାମ ପାଣିଗ୍ରାହୀଙ୍କ ଭିତରେ ଟକ୍କର ହୋଇଥାଏ। ଗୋଟିଏ ପାଳି ପର୍ଶୁରାମ ଜିତିଥିବା ବେଳେ ଆର ପାଳିକୁ ପଦ୍ମଲୋଚନ ହିଁ ବିଜୟୀ ହୋଇଥାନ୍ତି।

ତେବେ ଏଥର ସିମୁଳିଆର ଚିତ୍ର କ’ଣ ହେଉଛି ତାହା ଏବେଠୁ କହିବା ମୁସ୍କିଲ ହୋଇ ଯାଇଛି। ଗତ ଥର ଜ୍ୟୋତି ପାଣିଗ୍ରାହୀ ନିର୍ବାଚନ ଜିତିଥିବାରୁ ଏଥର ତାଙ୍କ ଉପରେ ପୁଣି ଭୋଟର ଭରସା କରୁଛନ୍ତି ନା ଅନ୍ୟ କାହାକୁ ତାକୁ ନେଇ ରାଜନୀତି ସରଗରମ ରହିଛି।

୧୯୮୦ରେ ପର୍ଶୁରାମ ପାଣିଗ୍ରାହୀ ନିର୍ବାଚନ ଜିତିଥିବା ବେଳେ ୧୯୮୫ରେ ପଦ୍ମଲୋଚନ ପଣ୍ଡା ନିର୍ବାଚନ ଜିତିଥିଲେ। ୧୯୯୦ରେ ପୁଣି ପର୍ଶୁରାମ ଏବଂ ୧୯୯୫ରେ ପଦ୍ମ ଲୋଚନ ପଣ୍ଡା ଜିତିଥିଲେ।

୨୦୦୦ରେ ପର୍ଶୁରାମ ଏବଂ ୨୦୦୪ରେ ପଦ୍ମଲୋଚନ ପଣ୍ଡା ନିର୍ବାଚନ ବୈତରଣୀ ପାର ହୋଇଥିଲେ। ୨୦୦୯ରେ ପର୍ଶୁରାମ ପାଣିଗ୍ରାହୀ ଜିତିଥିଲେ। ହେଲେ ୨୦୧୪ ନିର୍ବାଚନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଯିବାରୁ ପୁଅ ଜ୍ୟୋତି ପ୍ରକାଶଙ୍କ ଉପରେ ଭରସା କରିଥିଲା ବିଜେଡି।

ତେବେ ପ୍ରତି ପାଞ୍ଚ ବର୍ଷରେ ପରିବର୍ତ୍ତନ ଚାହୁଁଥିବା ସିମୁଳିଆ ଭୋଟର ଏଥର କ’ଣ ଚାହୁଁଛନ୍ତି ତାହା ମେ’ ୨୩ରେ ହିଁ ସ୍ପଷ୍ଟ ହେବ।

Comment