ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁରରେ ଦିନକୁ ଦିନକୁ ଯାତ୍ରାର ମାହୋଲ ଜମୁଛି। ଯାତ୍ରାରେ ପାରମ୍ପାରିକ ଲଣ୍ଡା ବେଶ, ବୁଦ୍ଧ ବେଶ ଓ ଗଣ ବାଘ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବୁଢ଼ୀ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ବାଘ ବେଶ ଓ ବାଘ ନାଟ ଦେଖିବାକୁ ଲୋକେ ଅନେଇ ବସିଥାନ୍ତି।

ବେଶଧାରୀମାନେ ବାଘ ବେଶ ଧରି ସାହି ସାହି ବୁଲୁଛନ୍ତି। ଗାନ୍ଧିନଗରସ୍ଥିତ ବୈଷ୍ଣଦେବୀ ବାଇକ ସେଣ୍ଟରର ୧୧ ଜଣ ବାଘବେଶଧାରୀ ବେଶରେ ଗେଟ ବଜାର, କାମ୍ପ ସାହି ଆଦିରେ ନାଟ କରିଥିଲେ।

ଭୋର ୪ରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଏମାନଙ୍କ ଦେହରେ ରଙ୍ଗ ବୋଳା ଯାଇଥିଲା। ରଙ୍ଗ କରିବାକୁ ଜଣକ ପିଚ୍ଛା ୬ହଜାର ଟଙ୍କା ଲେଖାଏଁ ନିଅନ୍ତି। ପେଣ୍ଟ ପାଇଁ ୪୫୦ ଟଙ୍କା ଓ ଢାଂପ ବାଦ୍ୟ ପାଇଁ ୧୮୦୦ ଟଙ୍କା ଖର୍ଚ୍ଚ ହୁଏ।

ବାଘ ମା’ଙ୍କ ବାହାନ ହୋଇଥିବାରୁ ଏହି ବେଶର କଥା ଅତି ନିଆରା। ନିକଟ ରାଜ୍ୟ ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ବାଘ ନାଚ ହେଉଥିଲେ ମଧ୍ୟ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ବାଘ ନାଟ ସମ୍ପୂର୍ଣ୍ଣ ଅଲଗା। ବାଘ ନାଟରେ ଠାଣୀ ଓ ବାଦ୍ୟ ବ୍ରହ୍ମପୁରକୁ ସବୁଠାରୁ ଶୀର୍ଷରେ ରଖେ।

ଅତୀତରେ ରାତିରେ ପେଟ୍ରୋମାକ୍ସ ଲାଇଟ୍ ଲଗାଇ ବାଘବେଶଧାରୀ ସାହି ସାହି ବୁଲୁଥିଲେ। କିନ୍ତୁ ଏବେ ଉଜ୍ଜଳ ଆଲୋକ ଓ ମିନି ଜେନେରେଟର ଧରି  ବାଘବେଶଧାରୀ ସାହି ସାହି ବୁଲୁଛନ୍ତି।

ବାଘନାଚର ସ୍ୱତନ୍ତ୍ରତା ରହିଥିବାରୁ ବାଘବେଶଧାରୀ ବ୍ୟକ୍ତି ଦୁଇରୁ ଚାରି ସପ୍ତାହ ପୂର୍ବରୁ ବାଘ ନାଚ ତାଲିମ ନେଇଥାନ୍ତି।

ବାଘବେଶ ଦିନ ସମ୍ପୃକ୍ତ  ବ୍ୟକ୍ତି  ଉପାସ  ରୁହନ୍ତି। ପରିବାର ଲୋକେ ମଧ୍ୟ ନିଷ୍ଠାରେ ରହନ୍ତି। ଲୋକର ସମଗ୍ର ଶରୀରରେ ଲୋମ ଛଞ୍ଚାଯାଏ। ଏନାମେଲ ରଙ୍ଗ ବୋଳାଯାଇଥାଏ। ରଙ୍ଗ ବୋଳିବାପାଇଁ ପ୍ରାୟ ୬ ଘଣ୍ଟାଚ ସମୟ  ଲାଗିଥାଏ। ଅପରାହ୍ନରେ ବାଘର ମୁଣ୍ଡ ଓ ଲାଙ୍ଗୁଡ଼ ମା’ଙ୍କ ଅସ୍ଥାୟୀ ମଣ୍ଡପକୁ ପୂଜା ପାଇଁ ପଠାଯାଏ। ସନ୍ଧ୍ୟାରେ ସେ ଏହାକୁ ପିନ୍ଧି ବାଦ୍ୟର ତାଳେତାଳେ ମା’ଙ୍କ ନିକଟକୁ ଯାଆନ୍ତି।

ବାଘବେଶ ବେଶୀ ସମୟ ଲାଗୁଥିବାରୁ କୌଣସି ଚିତ୍ରାଳୟ ଏହି ବେଶ କରନ୍ତି ନାହିଁ।ଏଥିପାଇଁ ସ୍ୱତନ୍ତ୍ର ଆର୍ଟିଷ୍ଟ ରହିଥାନ୍ତି।

Comment